କେନ୍ଦ୍ରାପଡ଼ାରେ କିରାସିନି ଦୁର୍ନୀତି : ୩ ଡିଲର‌୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡ଼ା : ରାସନ୍‌ ଓ କିରାସିନି ଆବଣ୍ଟନରେ ଅନିୟମିତତା କରି ଫସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ତିନି ଡିଲର‌୍‌। ସେମାନଙ୍କ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲ୍ଲା ଯୋଗାଣ ବିଭାଗ ମହାକାଳପଡ଼ା ବ୍ଲକ୍‌ର ଦୁଇ ଏବ˚ ରାଜକନିକାର ଜଣେ ଡିଲର‌୍‌ଙ୍କ ବିରୋଧରେ ଜିଲ୍ଲାପାଳଙ୍କ କୋର୍ଟରେ ଏତଲା ଦାଏର କରିଛି।

ମାର୍ଚ୍ଚରେ କରୋନାଜନିତ ଲକଡାଉନ୍‌ ଘୋଷଣା ହେବା କାରଣରୁ ସରକାର ତିନି ମାସର ରାସନ୍‌ ଆଗୁଆ ପ୍ରଦାନ କରିଥିଲେ। କିନ୍ତୁ ଏ ବଣ୍ଟନ ବ୍ୟବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ସା˚ଘାତିକ କେଳେଙ୍କାରୀ ସାମ୍ନାକୁ ଆସିଲାଣି। ଡିଲରମାନେ ସରକାରୀ ଦରକୁ ବାଏଁ ବାଏଁ ଉଡ଼ାଇ ଖାଉଟିଙ୍କୁ ଶୋଷଣ କରିଛନ୍ତି। ଏପ୍ରିଲ୍‌ ମାସରେ କରାସିନି ଲିଟର‌୍‌ ସରକାର ଧାର୍ଯ୍ୟ କରିଥିଲେ ୨୬ଟଙ୍କା। କିନ୍ତୁ ଡିଲର‌୍‌ ମାନେ କେଉଁଠି ୪୨ଟଙ୍କାରେ ବିକ୍ରି କରିଛନ୍ତି ତ କେଉଁଠି ୩୦ଟଙ୍କା। କିରାସିନି ପରିମାଣ ବି କମାଇ ଦିଆଯାଇଛି। ଖାଉଟିଙ୍କୁ ୧୮୫୦ଗ୍ରାମ୍‌ କିରାସିନି ଦେବା ପରିବର୍ତ୍ତେ ଦେଇଛନ୍ତି ଦେଢ଼ ଲିଟର‌୍‌। ଯୋଗାଣ ବିଭାଗ ମହାକାଳପଡ଼ା ଦେଉଳପଡ଼ାର ଡିଲର‌୍‌ ସୁନାକର ରାଉତ, ଧନିଆପଡ଼ାର ପାର୍ବତୀ ଡବ୍ଲୁଏସ୍‌ଏଚ୍‌ଜି ଗ୍ରୁପ୍‌ ଏବ˚ ରାଜକନିକା ପେଗରପଡ଼ା ବଟକେଶ୍ବର ଏସ୍‌ଏଚ୍‌ଜିଠାର ଏଭଳି କେଳେଙ୍କାରୀର ପ୍ରମାଣ ପାଇଛି। ଦେଉଳପଡ଼ା ଓ ଧନିଆପଡ଼ାରେ ୪ଟଙ୍କା ଅଧିକ ଦର ଓ ୩୫୦ଗ୍ରାମ୍‌ କମ୍‌ କିରାସିନି ଦିଆଯାଇଥିବା ବେଳେ ପେଗରପଡ଼ାରେ ହିତାଧିକାରୀଙ୍କୁ ମୁଣ୍ତ ପିଛା ୫କେଜି ଚାଉଳ ଦେବା ପରିବର୍ତ୍ତେ ସାଢେ଼ ୪ କେଜି ଦେଇ ୫୦୦ଗ୍ରାମ୍‌ କାଟି ରଖାଯାଇଛି। ହିତାଧିକାରୀମାନେ ହୋ’ହଲ୍ଲା କରିବା ପରେ ବିଭାଗୀୟ ଅଧିକାରୀ ସ˚ପୃକ୍ତ ସ˚ସ୍ଥା ନାଁରେ ରାଜକନିକା ଥାନାରେ ଏତଲା ଦେବା ସହ ବଣ୍ଟନ ଦାୟିତ୍ବରୁ ନିଲମ୍ବିତ କରିଛନ୍ତି। ହାଣ୍ତିରୁ ଗୋଟିଏ ଭାତ ଚିପିବା ଭଳି ଯଦି ଏହି ତିନିଟି ଡିଲର‌୍‌ଙ୍କୁ ଉଦାହରଣ ଭାବେ ନିଆଯାଏ, ତେବେ ଜିଲ୍ଲାର ସମୁଦାୟ ୬୦୨ଟି ଡିଲର‌୍‌ କେନ୍ଦ୍ରରେ କରାସିନି ଓ ଚାଉଳ ବଣ୍ଟନରେ ହୋଇଥିବା କେଳେଙ୍କାରୀ କେତେ ବ୍ୟାପକ, ତାହା ସହଜେ ଅନୁମାନ କରାଯାଇପାରେ।

ଅନ୍ୟପକ୍ଷରେ, ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ବି ଧାର୍ଯ୍ୟଠୁ ଅଧିକ ଦର ଏବ˚ ପରିମାଣ କମ୍‌ ଦିଆଯାଇଥିବା ଘଟଣାକୁ ସ୍ବୀକାର କରିଛନ୍ତି। କହିଛନ୍ତି, ଏହା ସାରା ଜିଲ୍ଲାରେ ହୋଇନାହିଁ। କେତୋଟି ଜାଗାରେ ଡିଲର‌୍‌ ମାନେ ଏଭଳି କରିଥିବା ନଜରକୁ ଆସିଛି। ଯେଉଁମାନେ ଏପରି କରିଥିବେ, ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର