କମ୍ ପରିମାଣର ଦିଆଯାଉଛି, ସାରା ରାଜ୍ୟକୁ ଲମ୍ବିଛି
ବାବୁ-ନେତା-ଡିଲରଙ୍କ ମଧୁଚନ୍ଦ୍ରିକା ଆଡ଼କୁ ଆଙ୍ଗୁଠି

Advertisment

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ାରେ ଏପ୍ରିଲମାସରେ ପିଡିଏସ୍‌ କିରାସିିନି ହିତାଧିକାରୀଙ୍କୁ ଲିଟର ପିଛା ୪୦ ଟଙ୍କାରେ ଦିଆଯାଇଛି। ମେ’ ମାସରେ ବି ଲିଟର ପିଛା ଦର ସେତିକି ରହିଛି। ସେହି ଜିଲ୍ଲାର ହିଞ୍ଜିଳିରେ ଡିଲର ଗତମାସରେ ୩୦ଟଙ୍କା ଦରରେ କିରାସିନି ଦେଇଥିଲେ, ଏମାସରେ ବି ସେତିକି। ଚିକିଟିରେ ଏପ୍ରିଲରେ ଲିଟର ପିଛା ଦର ଥିଲା ୩୨ ଟଙ୍କା। ଏମାସରେ ଏଯାଏ ମିଳିନି। ବେଲଗୁଣ୍ଠାରେ ଏପ୍ରିଲ ମାସରେ ଲିଟର ପିଛା ୩୦ ଟଙ୍କାରେ ବିକ୍ରି େହାଇଥିଲା। ଡିଲରଙ୍କ ସୂଚନା ହେଉଛି, କିରାସିନି ଦର କମିଛି, ଏ ପର୍ଯ୍ୟନ୍ତ ଉଠାଯାଇନାହିଁ।

ଜିଲ୍ଲା ଗୋଟିଏ, କିନ୍ତୁ କିରାସିନି ଦରରେ ଏତେ ତଫାତ୍ କେମିତି? କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ, ଅନ୍ୟ ଜିଲ୍ଲାରେ ଆହୁରି ବିଚିତ୍ର ସ୍ଥିତି ସାମ୍ନାକୁ ଆସିଛି। ଯେଉଁମାସରେ ୪୦ ଟଙ୍କା ଦରରେ କିରାସିନି ନେଇଛନ୍ତି, ଏ ଜିଲ୍ଲାର ଅନ୍ୟ କିଛି ଅଞ୍ଚଳରେ ଲିଟର ପିଛା ୨୮ରୁ ୩୦ ଟଙ୍କା ଭିତରେ ବିକ୍ରି ହୋଇଛି।

ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେପି ନେତା ଶାରଦା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଯୋଗାଣ ମନ୍ତ୍ରୀ, ସଚିବ ପ୍ରମୁଖଙ୍କ ନିକଟରେ କରିଥିବା ଅଭିଯୋଗ ଉପରେ ‘ସମ୍ବାଦ’ କରିଥିବା ତନାଘନା ଏଭଳି ସାଂଘାତିକ ଚିତ୍ର ସାମ୍ନାକୁ ଆଣିଛି। କିରାସିନି ଯୋଗାଣରେ ଏଭଳି ଚିତ୍ର କେଉଁଠି ନା କେଉଁଠି ସୂଚାଇ ଦେଉଛି, ସରକାରଙ୍କ ନିର୍ଦେଶ ପଛରେ ଏକ ବଡ଼ ଧରଣର କେଳେଙ୍କାରୀ ବାବୁ-ନେତା-ଡିଲରଙ୍କ ମଧୁଚନ୍ଦ୍ରିକାରେ ହେଉଛି।

ଶ୍ରୀ ପ୍ରଧାନ ମାହାଙ୍ଗା ନିର୍ବାଚନମଣ୍ଡଳୀର କେଳେଙ୍କାରୀ ସଂପର୍କରେ ଯେଉଁ ଚିତ୍ର ରଖିଛନ୍ତି ସେଥିରେ କୁହାଯାଇଛି ଯେ ରିଟେଲରମାନେ ମାର୍ଚ୍ଚ ମାସର କିରାସିନି ବଣ୍ଟନ କରିନାହାନ୍ତି। ଏପ୍ରିଲ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଚଢା ଦରରେ  ଲିଟର ପିଛା ୪୦ ଟଙ୍କାରେ ବିକ୍ରି କରାଯାଇଛି ଓ  ହିତାଧିକାରୀଙ୍କୁ ୧.୫ ଲିଟର କିରୋସିନି ଦେଇଛନ୍ତି, ଯାହାକି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମାପଦଣ୍ଡଠାରୁ ଢେର୍ କମ୍।

କୌତୂହଳର କଥା ହେଲା, ବଣ୍ଟନ ବେଳେ ହିତାଧିକାରୀଙ୍କ ଖାଉଟି କାର୍ଡରେ କିରାସିନିର ପରିମାଣ ଓ ମୂଲ୍ୟ ଦରଜ କରିବାର ନିୟମ ଥିଲେ ମଧ୍ୟ ତାହା ଉଲ୍ଲେଖନାହିଁ। କିରାସିନି ବ୍ୟବସ୍ଥା ଆଧାରରେ ପାଖାପାଖି ୩୦ କୋଟି ଟଙ୍କା ହଡପ ହୋଇଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଏ ଅଭିଯୋଗ ଉପରେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ଏଯାଏ ଜଣାପଡିନାହିଁ। ହେଲେ ମାହାଙ୍ଗାର ଯସରାଜପୁର ଗ୍ରାମର ବାସନ୍ତୀ ରାଉତଙ୍କ କାର୍ଡ ଯଦି ଉଦାହରଣ ହୁଏ, ତେବେ ଏ କ୍ଷେତ୍ରରେ ଏକ ସାଂଘାତିକ କେଳେଙ୍କାରୀର ଗନ୍ଧ ବାହାରୁଛି।

ପ୍ରଶ୍ନ ଉଠୁଛି, ସରକାର ଯେଭଳି ଚାଉଳ ଟଙ୍କାଟିଏରେ ଦେବା ପାଇଁ ଘୋଷଣା କରିଛନ୍ତି, ସେହିଭଳି କେଉଁମାସରେ କିରାସିନି ଦର କଣ ହେବ, ତାହା ଜିଲ୍ଲା ପ୍ରଶାସନ ସର୍ବସାଧାରଣରେ ପ୍ରକାଶ କରୁନାହିଁ କାହିଁକି? କାର୍ଡରେ ଏକଥା ଲେଖିବା ପାଇଁ ମଧ୍ୟ ସ୍ତମ୍ଭ ନାହିଁ। ଯାହା ଦୁର୍ନୀତି ପାଇଁ ବାଟ ଖୋଲୁଛି। ସେହିଭଳି କେଉଁ ପରିସ୍ଥିତିରେ ନିର୍ଧାରିତ ପରିମାଣ ଠାରୁ କମ୍ ପରିମାଣର କିରାସିନି ଦିଆଯାଉଛି? ତାହା ବି ତଦନ୍ତ ସାପେକ୍ଷ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗୋଟିଏ ଗୋଟିଏ କାର୍ଡରେ ୨ଲିଟର କିରାସିନି ଦିଆଯାଇଥାଏ। ମାର୍ଚ୍ଚମାସରେ କିରାସିନି ଦର ଉଚ୍ଚା ଥିଲା। ସେ ମାସରେ ଲିଟର ପିଛା ୩୬ରୁ ୩୭ ଟଙ୍କା ଦରରେ କିରାସିନି ଦିଆଯାଇଥିଲା। କେନ୍ଦ୍ର ସରକାର କହିଛନ୍ତି, ପ୍ରତିମାସରେ ଲିଟର ପିଛା ୨୫ପଇସା ବଢିବ। ହେଲେ କରୋନା ପ୍ରଭାବକୁ ଲକ୍ଷ୍ୟ ରଖି କିରାସିନି ଦର ଏପ୍ରିଲମାସରେ ଲିଟର ପିଛା ୨୪ ଟଙ୍କାକୁ ଖସିଥିଲା। ମେ’ ୧ ତାରିଖରେ ଦିଆଯାଇଥିବା କିରାସିନି ଦର ଆହୁରି କମିଛି। ଲିଟର ପିଛା ୧୨ରୁ ୧୩ ଟଙ୍କା ରହିଛି।

ସଂପୃକ୍ତ ଅଧିକାରୀଙ୍କର କହିବା କଥା ହେଉଛି, କିରାସିନି ଦର ଜିଲ୍ଲାସ୍ତରରେ ଧାର୍ଯ୍ୟ ହେଉଛି। ଏଇଥିପାଇଁ ଯେ ତେଲ କଂପାନିରୁ ଜିଲ୍ଲା ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚକୁ ମିଶାଇ ସେମାନେ ଏହି ମୂଲ୍ୟ ନିର୍ଧାରଣ କରିଥାନ୍ତି। ତେବେ କୌଣସି ବି ପରିସ୍ଥିତିରେ କିରାସିନି ଲିଟରରେ ଏତେ ବଡ଼ ପାର୍ଥକ୍ୟ ଆସିବ ନାହିଁ।