ରାଉରକେଲା : ବିକ୍ରି ନ ହୋଇ ପଡିଛି ୧୨ ହଜାର ଲିଟର କିରାସିନି

କେଉଁଠି ଲିଟର ୪୦ ତ ପୁଣି କେଉଁଠି ୨୦ ଟଙ୍କା

ରାଉରକେଲା : ଏଯାଏଁ ମିଳିନି ତିନି ମାସର କିରାସିନି। ଲିଟର ପିଛା ଧାର୍ଯ୍ୟ ଦର ତାଳ ମେଳ ନଥିବାରୁ ଅଧିକାଂଶ ହିତାଧିକାରୀ କିରାସିନି କିଣିବାକୁ ଅମଙ୍ଗ ହେଉଛନ୍ତି। କିଛି ହିତାଧିକାରୀ କାହିଁକି କେଉଁଠି ୪୦ ଟଙ୍କା ତ ପୁଣି ୩୦ ଓ ୨୦ ଟଙ୍କାରେ ବିକ୍ରି ‌ହେଉଛି ବୋଲି ରିଟେଲରଙ୍କୁ ପ୍ରଶ୍ନ କରୁଛନ୍ତି। ରିଟେଲରମାନେ ସେମାନଙ୍କୁ କିଛି ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଚୁପ୍‌ ରହୁଛନ୍ତି। ଚଢ଼ା ଦର ଯୋଗୁଁ ଏପ୍ରିଲ ଓ ମଇ ମାସର କିରାସିନି ଅଦ୍ୟାବଧି କିଛି ରିଟେଲର ବାଣ୍ଟି ପାରି ନାହାନ୍ତି। ଫଳରେ ୧୨ ହଜାର ଲିଟର କିରାସିନି ବିକ୍ରି ନ ହୋଇ ପଡି ପଡିଛି। ସେପଟେ ମେ’ ଓ ଜୁନ୍‌ ମାସରେ ଆସିଥିବା କୋଟାର ଲିଟର ପିଛା ଦର ୧୬ରୁ ୧୭ ଟଙ୍କା ରହିଛି। ଲିଟର ପିଛା ଦରର ଏଭଳି ତାରତମ୍ୟ ଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି। ଅନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି। ଏଥିପାଇଁ ହୋଲ୍‌ସେଲ୍‌ ବେପାରୀଙ୍କୁ ଦୁଇ ମାସ କୋଟାରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି। ସରକାର ସେମାନଙ୍କ କ୍ଷତି ଭରଣା କରିବେ କି ନାହିଁ କିଛି ସ୍ପଷ୍ଟ ହୋଇ ନାହିଁ।

ସହକାରୀ ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଉରକେଲାରେ ମୋଟ ୬୭ ହଜାର ୯୭୧ଙ୍କୁ ରାସନ କାର୍ଡ ମିଳିଛି। କାର୍ଡ ପିଛା ୧ ଲିଟର ୮୦୦ ମିଲିଟର କରି ମାସକୁ ୧ ଲକ୍ଷ ୨୪ ହଜାର ୩୬୯.୯୫୦ ଲିଟର କିରାସିନି ବଣ୍ଟନ ହେଉଛି। ସହରର ମୋଟ ୧୬୮ ରିଟେଲର ଖାଉଟି ସାମଗ୍ରୀ ବଣ୍ଟନ କରୁଛନ୍ତି। ମାର୍ଚ୍ଚ ମାସରେ ପାରାଦୀପରୁ ଆସୁଥିବା କିରାସିନି ଲିଟର ପିଛା ଦର ୩୭ ଟଙ୍କା ୧୪ ପଇସା ରହିଥିଲା। ଝାରସୁଗୁଡା ଦର ଲିଟର ପିଛା ୩୫ ଟଙ୍କା ୫୮ ପଇସା ରହିଥିଲା। ମେ ମାସରେ ଏହି ଦର ହ୍ରାସ ‌ହୋଇଥିଲା। ଝାରସୁଗୁଡାରୁ ଆସିଥିବା କିରାସିନି ଲିଟର ପିଛା ୧୫ ଟଙ୍କା ୨୬ ପଇସା ଥିଲାବେଳେ ପାରାଦୀପରୁ ଆସିଥିବା କିରାସିନି ୧୫ ଟଙ୍କା ୮୨ ପଇସା ରହିଛି।

ସମ୍ବନ୍ଧିତ ଖବର