ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି: ପାଷ୍ଟିକୁଡ଼ିରୁ ନିୟନ୍ତ୍ରିତ ହେଉଛି କେସିଙ୍ଗା ସିଏଚ୍‌ସି

କେସିଙ୍ଗା : କେସିଙ୍ଗା ହସ୍ପିଟାଲ ପ୍ରଥମେ ତାଲୁକ ପରେ ଏରିଆ ହସ୍ପିଟାଲ ହୋଇ ସିଏଚ୍‌ସି ଘୋଷଣା କରାଯାଇଛି। ହେଲେ ଏହା ପାଷ୍ଟିକୁଡ଼ି  ସିଏଚ୍‌ସିରୁ ନିୟନ୍ତ୍ରିତ ହେଉଥିବାରୁ ବହୁ ଅସୁବିଧା ଦେଖାଯାଉଛି। ଏଠିକାର ମେଡିକାଲ ଅଫିସର ସିନିଅର ବିଶେଷଜ୍ଞ ହୋଇଥିଲେ ମଧ୍ୟ କନିଷ୍ଠ ଡାକ୍ତରଙ୍କ ଦ୍ବାରା ପରିଚାଳିତ ହେବାକୁ ପଡୁଛି। ସିଏଚ୍‌ସି ହେବା ପରେ ଏହି ହସ୍ପିଟାଲକୁ ସ୍ୱତନ୍ତ୍ର କରିବା କଥା। କିନ୍ତୁ ଆଜି ଯାଏ କରାଯାଇ ନାହିଁ। ଏହି ହସ୍ପିଟାଲ ବ୍ଲକ୍‌ ସଦରମହକୁମାରେ ରହିଛି। ଜିଲ୍ଲା ସଦରମହକୁମା ହସ୍ପିଟାଲ ଓ ଧର୍ମଗଡ଼ ସବ୍‌ଡିଭିଜନ ହସ୍ପିଟାଲ ପରେ ଏହି ହସ୍ପିଟାଲ ସବୁଠୁ ବଡ଼ ଓ ରୋଗୀଙ୍କ ସଂଖ୍ୟା ସର୍ବାଧିକ।

ଏହି ହସ୍ପିଟାଲ ଉପରେ କେସିଙ୍ଗା, କର୍ଲାମୁଣ୍ଡା, ମଦନପୁର ରାମପୁର ଓ ଟିଟିଲାଗଡ଼ ବ୍ଲକ୍‌ର ବି କିଛି ଗ୍ରାମର ଲୋକେ ନିର୍ଭର କରନ୍ତି। ଏଠି ଶଯ୍ୟା ସଂଖ୍ୟା  ୩୦ ଥିବା। ସେହିପରି ଏମ୍‌ସିଏଚ୍‌ରେ ବି ୩୦ଟି ଶଯ୍ୟା ରହିଛି। ସରକାର ସ୍ୱତନ୍ତ୍ର ଭାବେ ଏମ୍‌ସିଏଚ୍‌ କୋଠା କରିଛନ୍ତି। ଏଠି ଡାକ୍ତର ଓ କର୍ମଚାରୀ ମିଶି ୩୭ ଜଣ ରହିଛନ୍ତି। ମାତ୍ର ଏମାନଙ୍କ ଦରମା ଏଠି ହଉ ନାହିଁ; ପାଷ୍ଟିକୁଡ଼ିରୁ ହେଉଛି। ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ ବି ସେଠୁ ନିୟନ୍ତ୍ରଣ ହେଉଛି। ଟିକାକରଣରୁ ଆରମ୍ଭ କରି କୋଭିଡ ଔଷଧ ସବୁ ପାଷ୍ଟିକୁଡ଼ି ଉପରେ ନିର୍ଭର କରିବାକୁ ପଡୁଛି। କେସିଙ୍ଗା ସହର ଜିଲ୍ଲାର ମୁଖ୍ୟ ଦ୍ୱାରରେ ଥିବାରୁ ସବୁବେଳେ ପ୍ରବଳ ଭିଡ଼। ଡାକ୍ତର ଓ କର୍ମଚାରୀଙ୍କ ସବୁ ବିଲ୍‌ ପାଇଁ ତାଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ସବୁ ରିପୋର୍ଟ ସେଠୁ ହଉଥିବାରୁ କର୍ମଚାରୀଙ୍କୁ ପାଷ୍ଟିକୁଡ଼ି ଧାଇଁବାକୁ ପଡୁଛି। କାଗଜପତ୍ରରେ ଏହା ସିଏଚ୍‌ସି ଘୋଷଣା ହୋଇଥିଲେ ବି ପ୍ରାଶାସନିକ ଦାୟିତ୍ବ ହସ୍ପିଟାଲକୁ ଦିଆଯାଉ ନାହିଁ। ହସ୍ପିଟାଲରେ ଆଜି ପର୍ଯ୍ୟନ୍ତ ଶବବାହକ ଗାଡ଼ିଟିଏ ନାହିଁ। ତଥାପି ଏହା ନିର୍ବାଚିତ ପ୍ରତିନିଧି କିଂବା ସରକାରଙ୍କ ଦୃଷ୍ଟିକୁ ଆସୁ ନାହିଁ।

ସେହିଭଳି ଜିଲ୍ଲାକୁ ଡିଜିଟାଲ ଏକ୍ସରେ  ମେସିନ ଆସିଥିଲା। ବିରୋଧୀ ଦଳ ନେତା ରୋଗୀକଲ୍ୟାଣ ସମିତିର ଅଧକ୍ଷ ଥିଲେ ବି ଏହି ହସ୍ପିଟାଲ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାଜନୀତି କରି ଅନ୍ୟ ସ୍ଥାନକୁ ପଠେଇଦେଲେ। ସେମିତି ଡିଜି ଆସିଥିଲା। ଏହି ହସ୍ପିଟାଲରେ ଏକ ବଡ଼ ଡିଜିର ଆବଶ୍ୟକତା ଥିଲେ ମଧ୍ୟ ଏହାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଲେ ନାହିଁ। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗର୍ଭବତୀ ପ୍ରସବ ପାଇଁ ଆସୁଛନ୍ତି। ଲ୍ଲୋ ହେଡ଼କ୍ୱାଟର ହସ୍ପିଟାଲର ଚାପ କମାଉଛି। କିନ୍ତୁ ଯେଉଁଭଳି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରଧାନ୍ୟ ଦେବା କଥା ଦେଉ ନାହିଁ। ଏତେବଡ଼ ହସ୍ପିଟାଲରେ କ୍ବାଟର୍ସରେ ବହୁ ଅସୁବିଧା ଥିବା ଯୋଗୁଁ ଡାକ୍ତରମାନେ ବାହାରେ ଭଡ଼ାଘରେ ରହିବା ଯୋଗୁଁ ଚିକିତ୍ସା ମଧ୍ୟ ବାଧାପ୍ରାପ୍ତ ହେଉଛି। ହସ୍ପିଟାଲରେ ଜରୁରୀ ପରିସ୍ଥିତିରେ ଡାକ୍ତରଙ୍କ ପାଇଁ ଚାରିଚକିଆ ଯାନଟିଏ ନାହିଁ। ବର୍ତ୍ତମାନ ଏଠିକାର ଏକ୍ସରେ ଟେକ୍‌ନିସିଆନଙ୍କୁ ଧର୍ମଗଡ଼ ୧୫ଦିନ ଡେପୁଟେସନରେ ଯିବାକୁ ପଡ଼ୁଛି। ଫଳରେ ଏଠିକାର ଲୋକେ ଅଯଥାରେ ଏକ୍ସରେ ପାଇଁ ଭବାନୀପାଟଣା ଯାଇ ହଇରାଣ ହେଉଛନ୍ତି। ଏଣୁ ଏହା ଉପରେ ସଠିକ ରିପୋର୍ଟ ପ୍ରଦାନ କରାଯାଇ ସ୍ୱତନ୍ତ୍ର ପ୍ର‌ାଶାସନିକ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର