ମ.ରାମପୁର : ମ.ରାମପୁର ଥାନାର ପୁଲିସ୍ ନାମରେ ଏକ ସଙ୍ଗିନ୍ ମାମଲା ଦାଏର ହୋଇଛି। ସୂଚନା ଅନୁସାରେ ରିଷିଡ଼ା ଗ୍ରାମର ରୀନା ରଣା ଓ ସ୍ବାମୀ ଗଣେଶ୍ବର ରଣା ଏକ ଲିଖିତ ଅଭିଯୋଗ କରିଛନ୍ତି। ଗତ କିଛି ମାସ ତଳେ ଗଣେଶ୍ବର ରଣାର ଭଉଣୀମାନଙ୍କୁ ସିଲେଇ କାମ କରାଇବା ନାମରେ ଏକ ଦଲାଲ ତାମିଲନାଡୁ ନେଇ ଯାଇଥିଲେ। ସେଠାରେ ସେହି ଝିଅମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ଏନେଇ ସୂଚନା ପାଇବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରୀନା ରଣା ଓ ସ୍ବାମୀ ମ.ରାମପୁର ଥାନାରେ ଜଣାଇଥିଲେ। ଏହାପରେ ପୁଲିସ୍ ସେମାନଙ୍କୁ ତାମିଲନାଡୁରୁ ଆଣିଥିଲା।
ହେଲେ ପୁଲିସ ଏଏସ୍ଆଇ ବିନିତା ଟପ୍ପୋ ସେମାନଙ୍କୁ ଫୋନ୍ କରି କହିଥିଲେ ଯେ ତାମିଲନାଡୁରେ ତୁମେମାନେ ଅନେକ ଠକେଇ କାମ କରିଛ। ତେଣୁ ସିଲେଇ କମ୍ପାନିର ମାଲିକ ସେଠାରେ କେସ୍ ଦେଇଥିବାରୁ ସିବିଆଇ କର୍ମଚାରୀ ଆସି ବୁଲୁଛନ୍ତି। ତୁମେ ସବୁ ଜେଲ୍ ଯିବ, ଏମିତି ଅନେକ କଥା କହି ସେମାନଙ୍କୁ ଡରାଇଲେ। ଏହାସହ କେସ୍ ରଫାଦଫା କରିବାକୁ ଟଙ୍କା ଦେବାକୁ କହିଥିଲେ। ପ୍ରଥମ କିସ୍ତିରେ ୬ଲକ୍ଷ ଟଙ୍କା ସେମାନଙ୍କଠାରୁ ଆଦାୟ କଲେ। ମାଳିନୀ ବିଶ୍ବାଳ ନାମକ ଡଙ୍ଗାବାହାଲ ଗ୍ରାମର ଜଣେ ମହିଳାଙ୍କ ଜରିଆରେ ପଇସା ନେବାର ଆରମ୍ଭ କଲେ। ବିଭିନ୍ନ ପ୍ରକାର ଧମକ ଦେଇ ପରିବାର ଠାରୁ ପାଖାପାଖି ୧୬ ଲକ୍ଷ ଟଙ୍କା ଆଣିଛନ୍ତି। ସେହି ପରିବାର ଅତି ସରଳ ଏବଂ ରକ୍ଷଣଶୀଳ ହୋଇଥିବାରୁ ପୁଲିସ୍ ଭୟରେ ଅନେକ ଜମିକୁ ବନ୍ଧକ କରି, ୧୨ ଭରି ସୁନା ବନ୍ଧକ କରି ଏହି ଟଙ୍କା ସେମାନଙ୍କୁ ଦେଇଥିଲେ। ଟଙ୍କା ବିଷୟରେ କାହାକୁ କହିଲେ ତୁମମାନଙ୍କୁ ହତ୍ୟା କରାଯିବ ବୋଲି କହିଥିଲେ। ଏତିକିରେ ପୁଲିସ୍ ଶୋଷ ନମେଣ୍ଟିବାରୁ ଆହୁରି ଟଙ୍କା ମାଗିଥିଲେ। ଫଳରେ ସେହି ପରିବାର ସ୍ଥାନୀୟ ନାରୀନେତ୍ରୀ ଓ ସାମ୍ବାଦିକମାନଙ୍କୁ ଘଟଣା ବିଷୟରେ କହି ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ।
ଘଟଣାର ଗୁରୁତ୍ବକୁ ଦେଖି କଳାହାଣ୍ତି ଅତିରିକ୍ତ ଏସ୍ପି ଏବଂ କେସିଙ୍ଗା ଏସ୍ଡିପିଓ ଏସ୍. ସୁଶ୍ରୀ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ବାମୀକୁ ଡାକି ପଚରାଉଚୁରା କରୁଥିବା ଜଣାଯାଇଛି। ତଦନ୍ତ କଡ଼ାକଡ଼ି ହେଲେ ମ.ରାମପୁର ପୁଲିସ୍ର ଅନେକ ଜାଲିଆତି ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ଏନେଇ କେସିଙ୍ଗା ଏସ୍ଡିପିଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ଚାଲିଛି; ତଦନ୍ତ ସରିବା ପରେ ଘଟଣା ବିଷୟରେ ସୂଚନା ଦିଆଯିବ ବୋଲି ସେ କହିଥିଲେ।