ପୁରୀ: କୁଆଡ଼େ ଗଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି? ଗତକାଲି ରେକର୍ଡ ରୁମ୍ରୁ ମିଳିଥିବା ଚାବିରେ ଭିତର ରତ୍ନଭଣ୍ଡାର ନ ଖୋଲିବା ଏବଂ ଏହି ତାଲାକୁ କାଟି ରତ୍ନଭଣ୍ଡାର ଯାଞ୍ଚ କମିଟି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବା ପରେ ଏହି ପ୍ରଶ୍ନ ଏବେ ଅଗଣିତ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଆନ୍ଦୋଳିତ କରିଛି। ସେପଟେ ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭିତର ରତ୍ନଭଣ୍ଡାର ଖୋଲିବାର ତାରିଖ ଖୁବ୍ଶୀଘ୍ର ଘୋଷଣା କରାଯିବ। ଅଳଙ୍କାର ସ୍ଥାନାନ୍ତର ପରେ ଗଣତି ଓ ମଣତି ହେବ। ଅଳଙ୍କାର ଗଣତି ଓ ମଣତି ଶେଷ େହବାପରେ କ’ଣ କରାଯିବ, ସେ ବିଚାର କରାଯିବ। ଚାବି କ’ଣ ହୋଇଥିଲା ଓ ଏହାକୁ ଡୁପ୍ଲିକେଟ୍ କାହିଁକି କୁହାଯାଇଥିଲା, ତାହା ତଦନ୍ତସାପେକ୍ଷ। କାରଣ ତାଲା ଓ ଚାବିର ସାଇଜ୍ ଦେଖିଲେ, ଭିତର ରତ୍ନଭଣ୍ଡାରର ଏହା ଚାବି ନୁହେଁ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା। କିନ୍ତୁ କ’ଣ ପାଇଁ ଏହାକୁ ଡୁପ୍ଲିକେଟ୍ ଚାବି ବୋଲି କୁହାଯାଇଥିଲା, ତାହାର ତଦନ୍ତ କରାଯିବ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
କୁଆଡ଼େ ଗଲା ଭିତର ରତ୍ନଭଣ୍ଡାର ଚାବି?
ଜଷ୍ଟିସ୍ ରଘୁବୀର ଦାଶ କମିସନ ଉପରେ ନଜର
୫ ବର୍ଷ ହେଲା ଚାପି ରଖିଛନ୍ତି କମିସନଙ୍କ ରିପୋର୍ଟ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ୫ ବର୍ଷ ତଳେ ଜଷ୍ଟିସ୍ ରଘୁବୀର ଦାଶ ତଦନ୍ତ କମିସନ ଗଠନ କରିଥିଲେ। ତଦନ୍ତ କମିସନ ଗଠନର ମୂଳ ଲକ୍ଷ୍ୟ ଥିଲା, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉପରୁ ପରଦା ହଟାଇବା। କିଏ ପ୍ରକୃତ ଦୋଷୀ ଖୋଜି ବାହାର କରିବା। ଇତିମଧ୍ୟରେ କମିସନ ତଦନ୍ତ କରି ରିପୋର୍ଟ ଦେବା ୫ ବର୍ଷ ପୂରିଲାଣି। କିନ୍ତୁ ଏହି ରହସ୍ୟ ଉପରୁ ଆଜି ସୁଦ୍ଧା ସନ୍ଦେହର ବାଦଲ ହଟିପାରିନି। ଏବେ ମିଳିଥିବା ଚାବିରେ ଭିତର ରତ୍ନଭଣ୍ଡାର ତାଲା ନ ଖୋଲିବାରୁ ଏହା ଅସଲି ନୁହେଁ ବୋଲି ସ୍ପଷ୍ଟ ହୋଇସାରିଛି। ଏଭଳି ସ୍ଥିତିରେ କେବଳ ଜଷ୍ଟିସ୍ ରଘୁବୀର ଦାଶ କମିସନ ରିପୋର୍ଟ ହିଁ ଏହି ମିଛ ନାଟକ ଉପରୁ ପରଦା ହଟାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ତତ୍କାଳୀନ ପୁରୀ ଜିଲ୍ଲାପାଳ, ଏସ୍ପି, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ନେଇ ୧୭ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ ହୋଇଥିଲା। ଭକ୍ତମାନେ ୧୭ଜଣିଆ କମିଟିର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଥିଲେ। କିନ୍ତୁ ଅତି ଅବିଶ୍ବସନୀୟ ଭାବେ ରତ୍ନଭଣ୍ଡାର ନ ଖୋଲି ଏହି କମିଟି ଫେରି ଆସିଥିଲା। ପରେ ଚାବି ହଜିବା ପ୍ରସଙ୍ଗ ଲୋକଲୋଚନକୁ ଆସିଥିଲା। ଚାବି ହଜିବା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବା ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ଜୁନ ୮ରେ ଜଷ୍ଟିସ୍ ରଘୁବୀର ଦାଶଙ୍କ ନେତୃତ୍ବରେ ଚାବି ହଜିବା ପ୍ରସଙ୍ଗର ତଦନ୍ତ ଆରମ୍ଭ ହେଲା। ଏହାର ୪ ଦିନ ପରେ ଅର୍ଥାତ୍ ଜୁନ ୧୩ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ହଜିଥିବା ଚାବି ମିଳିଯାଇଛି ବୋଲି କହିଥିଲେ, କିନ୍ତୁ ଚାବି କାହାରିକୁ ଦେଖାଗଲାନି। ତଥାପି ରଘୁବୀର ଦାଶ ତଦନ୍ତ କମିସନଙ୍କ ତଦନ୍ତ ଅଟକି ନ ଥିଲା। ୬ ମାସର ତଦନ୍ତ ପରେ ତଦନ୍ତ କମିସନ ୨୦୧୮ ନଭେମ୍ବର ୨୯ ତାରିଖରେ ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ୩୨୪ ପୃଷ୍ଠାର ବିସ୍ତୃତ ରିପୋର୍ଟ ଦେଇଥିଲେ। କମିସନଙ୍କ ତଦନ୍ତ ପାଇଁ ରାଜ୍ୟ ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରାଗଲା। ତଦନ୍ତ କମିସନ ସରକାରଙ୍କୁ ରିପୋର୍ଟ ଦେବା ୫ ବର୍ଷ ପୂରିଲାଣି, କିନ୍ତୁ ଏହି ରିପୋର୍ଟ ସାର୍ବଜନୀନ ହୋଇନାହିଁ।
ତଦନ୍ତ କମିସନ ଆଇନ-୧୯୫୨, ଧାରା-୩(ଉପଧାରା-୪)ରେ ଉଲ୍ଲେଖ ରହିଛି, କୌଣସି ତଦନ୍ତ କମିସନ ରିପୋର୍ଟ ଦେବାର ୬ ମାସ ଭିତରେ ଏହା ବିଧାନସଭାରେ ଉପସ୍ଥାପିତ ହେବ। କିନ୍ତୁ ତଦନ୍ତ କମିସନ ଆଇନକୁ ବି ଖୋଲା ଉଲ୍ଲଂଘନ କରାଯାଇଛି। ଏହି ବାଦବିବାଦ ଭିତରେ ରତ୍ନଭଣ୍ଡାର ରତ୍ନ, ହୀରା, ମୋତି, ମାଣିକ ଆଦିର ଗଣତି ଓ ମଣତି ୫ ବର୍ଷ ହେଲାଣି ଝୁଲି ରହିଥିଲା। ଯେହେତୁ ଏତେ ବର୍ଷ ପରେ ବି ତତ୍କାଳୀନ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଇନଥିଲେ, ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରକୁ ନେଇ ଭକ୍ତଙ୍କ ସନ୍ଦେହ ବଢ଼ିଥିଲା। ଗତକାଲି ରତ୍ନଭଣ୍ଡାର ଖୋଲିବା ପରେ ଭକ୍ତ କିଛିକାଂଶରେ ଆଶ୍ବସ୍ତ ହୋଇଛନ୍ତି, କିନ୍ତୁ ଏହି ଚାବି ଓ ଭିତର ରତ୍ନଭଣ୍ଡାରର ସୁନା, ରୁପା, ହୀରା ଆଦି ଅଳଙ୍କାର ନେଇ ସନ୍ଦେହ ଦୂର ହୋଇପାରିନି।