ପୁରୀ: ରତ୍ନଭଣ୍ଡାରର ଚାବି ତାଙ୍କ ପାଖରେ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ରେକର୍ଡ ରୁମରେ ରତ୍ନଭଣ୍ଡାରର ଚାବି ନାହିଁ। ସେ ଏବେ ଚାଲିଥିବା ବୈଠକରେ ସେ କହିଥିବା ଜଣାଯାଇଛି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଚାଲିଛି ଉଚ୍ଚସ୍ତରୀୟ କମିଟିର ବୈଠକ। ଆଜିର ବୈଠକରେ ରତ୍ନଭଣ୍ଡାରର ଚାବିକୁ ଉପସ୍ଥାପନ କରିବା ଲାଗି କୁହାଯାଇଥିଲା। ଏବେ କ’ଣ କରାଯିବ, ତା ଉପରେ ରହିଛି ସମସ୍ତଙ୍କ ନଜର। ଆଜି ରତ୍ନଭଣ୍ଡାର ଭିତରକୁ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ସଦସ୍ୟ ଡାକ୍ତର ସି ଭି କେ ମହାନ୍ତି ଯିବେ।
ଏଣେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ଆଜ୍ଞାମାଳ। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି। ମହାପ୍ରଭୁ ଲୋକନାଥ ମହାପ୍ରଭୁ, ମହାଲକ୍ଷ୍ମୀ, ବାବା ଲୋକନାଥ ଓ ମା’ ବିମଳା ଆଶୀର୍ବାଦଙ୍କ ନେଇ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବା ସମୟରେ ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ, ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି। ଠାକୁରଙ୍କ ଖଟଶେଜ ଘରକୁ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ଏଠାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ମଣତି ପର୍ଯ୍ୟନ୍ତ ଗଚ୍ଛିତ ରଖାଯିବ ବୋଲି ଜଣାପଡ଼ିଛି।
ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଗୃହ ସଚିବ, ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ପ୍ରମୁଖଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gddgjdgjjgd.jpg)