ସମ୍ବଲପୁର/ବୁର୍ଲା: ମାଲାୟଲମ କବି କେଜି ଶଙ୍କର ପିଲାଇ ୨୦୨୧ ମସିହା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ଗଂଗାଧର ଜାତୀୟ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଭାରତର ପ୍ରଖ୍ୟାତ କବି ଓ ସାହିତ୍ୟିକମାନଙ୍କୁ ନେଇ ଗଠିତ ଚୟନ କମିଟି ୨୦୨୧ ମସିହା ପାଇଁ କବି କେଜି ଶଙ୍କର ପିଲାଇଙ୍କ ନାମ ଉପରେ ମୋହର ଲଗାଇଛନ୍ତି। ଆସନ୍ତା ୧୦ ଜାନୁଆରିରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ସମ୍ମାନସ୍ବରୂପ ନଗଦ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପାୟନ ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ସୂତ୍ରରୁ ପ୍ରକାଶ।
୧୯୪୮ ମସିହାରେ ଜନ୍ମିତ ଶ୍ରୀ ପିଲାଇ ୧୯୭୦ ମସିହାରେ ରଚିତ ତାଙ୍କ ବହୁଚର୍ଚ୍ଚିତ କବିତା ‘ବେଙ୍ଗଲ’ ପାଇଁ ଲୋକଲୋଚନକୁ ଆସିଥିଲେ। କେରଳ ରାଜ୍ୟର ସର୍ବାଧିକ ଲୋକପ୍ରିୟ ଆଧୁନିକ କବିମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ପିଲାଇ ୧୯୯୮ ମସିହାରେ ରାଜ୍ୟ ସାହିତ୍ୟ ଏକାଡେମୀ ଏବଂ ୨୦୦୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ମାଲାୟଲାମ ଭାଷାରେ ରଚିତ ତାଙ୍କ ଲେଖାଗୁଡ଼ିକ ଭାରତୀୟ ଭାଷାଗୁଡ଼ିକ ବ୍ୟତୀତ ଚୀନା, ଫ୍ରେଞ୍ଚ, ଜର୍ମାନ, ଇଂରାଜୀ ଓ ସିଂହଳୀ ଭାଷାରେ ଅନୁଦିତ ହୋଇଛି। ୧୯୭୧ ମସିହାରେ ସାହିତ୍ୟର ଅଧ୍ୟାପକ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ପିଲାଇ ୨୦୦୨ ମସିହାରେ ଏର୍ଣ୍ଣାକୁଲମ୍ର ମହାରାଜା କଲେଜର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ସେ ପ୍ରଶକ୍ତି, ସମକାଳୀନ କବିତା ଭଳି ଅନେକ ପତ୍ରିକାର ସଂପାଦନା କରିଛନ୍ତି। ସାହିତ୍ୟ ବ୍ୟତୀତ ମାନବାଧିକାର ଓ ସାମାଜିକ ଅଧିକାର ପାଇଁ କେରଳରେ ଚାଲିଥିବା ଆନ୍ଦୋଳନରେ ମଧ୍ୟ ସେ ଓତଃପ୍ରୋତ ଭାବେ ଜଡ଼ିତ। ସେ ଏବେ ମାନବ ଅଧିକାର ସଂଗଠନ ‘ଜନନିଥି’ର ଅଧ୍ୟକ୍ଷ ଅଛନ୍ତି।