ରାଜନଅରକୁ ଖଡ଼ି ପ୍ରସାଦ ବିଜେ, ଗଜପତିଙ୍କୁ ଶ୍ରୀଅଙ୍ଗ ଲାଗି ଖଡ଼ି ପ୍ରସାଦ ସମର୍ପଣ କଲେ ସେବକ

ରାଜନଅରକୁ ଖଡ଼ି ପ୍ରସାଦ ବିଜେ, ଗଜପତିଙ୍କୁ ଶ୍ରୀଅଙ୍ଗ ଲାଗି ଖଡ଼ି ପ୍ରସାଦ ସମର୍ପଣ କଲେ ସେବକ

ପୁରୀ : ଶନିବାର ଦିନ ଶ୍ରୀମନ୍ଦିରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରୁ ଦତ୍ତ ମହାପାତ୍ର ସେବକଙ୍କ ସହ ଦଇତାପତି ସେବକମାନେ ଶନିବାର ଅପରାହ୍ଣରେ ସ୍ବତନ୍ତ୍ର ରୁପା ପାତ୍ରରେ ଖଡ଼ି ପ୍ରସାଦ ସହ ରାଜନଅରକୁ ବିଜେ କରିଛନ୍ତି। ରାଜନଅରକୁ ରାଜପ୍ରସାଦ ବିଜେ ପରେ ଆଜି ଖଡ଼ିପ୍ରସାଦ ବିଜେ ପୂର୍ବକ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ସେବାୟତମାନେ ଗଜପତିଙ୍କୁ ଅବଗତ କରାଇଛନ୍ତି। ଏହାସହ ରଥଯାତ୍ରା ପ୍ରସ୍ତୁତି ଉପରେ ଗଜପତିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଅବସରରେ ଗଜପତି ମହାରାଜାଙ୍କ ସ୍ବହସ୍ତ ସ୍ପର୍ଶ ଶାଢ଼ି ସେବକଙ୍କ ମସ୍ତକରେ ବନ୍ଧା ହୋଇଛି।

ସ୍ନାନବେଦୀରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସମ୍ପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଇତିମଧ୍ୟରେ ସୁସ୍ଥ ହୋଇଛନ୍ତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଗତକାଲି ଅସୁସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ସୁଶୋଭିତ ପାଇଁ ଶ୍ରୀମନ୍ଦିରକୁ ଖଳି(ଦିବ୍ୟ ପ୍ରଲେପ) ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ବିଜେ କରିବା ପରେ ଏହା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା।

publive-image

ପରମ୍ପରା ମୁତାବକ, ରାଜନଅରକୁ ରାଜପ୍ରସାଦ ବିଜେ ନୀତି ସମ୍ପନ୍ନ ପରେ ଆଜି ଖଡ଼ିପ୍ରସାଦ ବିଜେ କରାଯାଇଛି। ଘଣାଲାଗି ନୀତିରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଲାଗି କରାଯାଇଥିଲା। ଏହା ପରେ ଶ୍ରୀମୁଖ ହୋତା ଲାଗି ହୋଇଛି। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଗତକାଲି ରାତିରେ ଖଡ଼ି ବିଜେ ହୋଇ ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡ଼ି ଲାଗି ହୋଇଥିଲା। ଖଡ଼ି ଲାଗି ପରେ ଦତ୍ତମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବକ ଆଜି ଏହି ଖଡ଼ିପ୍ରସାଦ ସହ ପଟୁଆରରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିଥିଲେ। ସବୁ ନୀତିକାନ୍ତି ଅଗ୍ରଗତି ସମ୍ପର୍କରେ ଗଜପତି ମହାରାଜାଙ୍କୁ ଖବର ଦିଆଯାଇଥିଲା। ଗତକାଲି ବିଳମ୍ୱିତ ରାତିରେ ବଡ଼ଦେଉଳକୁ ଖଡ଼ି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତମହାପାତ୍ର ସେବକ ଖଡ଼ି ପ୍ରଲେପ ଦେଇଥିଲେ। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପ ସ୍ବରୂପ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିଛନ୍ତି। ପରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଛି। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବା ପରେ ଶ୍ରୀବିଗ୍ରହମାନେ ନବଯୌବନ ପ୍ରାପ୍ତି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe