ପୁରୀ : ଶ୍ରୀମନ୍ଦିରରୁ ରାଜନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ଆଜି ସଂପନ୍ନ ହୋଇଛି। ଗତକାଲି ଏହି ନୀତି ସଂପନ୍ନ ହେବାର ଥିଲେ ମଧ୍ୟ ବିଳମ୍ବିତ ନୀତି ଯୋଗୁ ଏହି ନୀତି ଆଜି ସକାଳେ ସଂପନ୍ନ ହୋଇଥିଲା। ଦତ୍ତମହାପାତ୍ରଙ୍କ ସହ ଦଇତାପତି, ପତି ମହାପାତ୍ର ସେବକମାନେ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିଥିଲେ। ରାଜନଅରକୁ ରାଜପ୍ରସାଦ ବିଜେ ପରେ ଆଜି ଖଡ଼ିପ୍ରସାଦ ବିଜେ କରାଯାଇ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ସେବାୟତମାନେ ଗଜପତିଙ୍କୁ ଅବଗତ କରିଥିଲେ।

Advertisment

ସ୍ନାନ ବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଗତକାଲି ଅସୁସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ସୁଶୋଭିତ ପାଇଁ ଶ୍ରୀମନ୍ଦିରକୁ ଖଳି (ଦିବ୍ୟ ପ୍ରଲେପ) ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ବିଜେ କରିବା ପରେ ଏହାକୁ ମହାପ୍ରଭୁଙ୍କୁ ଲାଗି ହୋଇଥିଲା। ପରମ୍ପରା ମୁତାବକ ରାଜନଅରକୁ ରାଜପ୍ରସାଦ ବିଜେ ନୀତି ସଂପନ୍ନ ପରେ ଆଜି ଖଡ଼ିପ୍ରସାଦ ବିଜେ କରାଯାଇଛି। ଘଣାଲାଗି ନୀତିରେ ମା ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଲାଗି କରାଯାଇଥିଲା। ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହୋଇଛି। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ହୋଇଛି। ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡି ପ୍ରସାଦ ଲାଗି ହୋଇଛି। ଖଡ଼ିଲାଗି ପରେ ଦତ୍ତମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବାୟତ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିଥିଲେ। ଏହି ସବୁ ନୀତି ଅଗ୍ରଗତିର ଖବର ଗଜପତିଙ୍କୁ ଦେବା ପାଇଁ ଖଡ଼ିପ୍ରସାଦ ବିଜେ ନୀତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତମହାପାତ୍ର ଖଡି ଲେପ ଦେଇଛନ୍ତି। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିଛନ୍ତି। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀ ମିଶ୍ରଣକୁ ଲାଗି କରାଯାଉଛି। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବା ସହ ଶ୍ରୀବିଗ୍ରହମାନେ ନବଯୌବନ ପ୍ରାପ୍ତି ହେବେ।