ରାଜନଅରକୁ ଖଡ଼ିପ୍ରସାଦ ବିଜେ

ସୂର୍ଯ୍ୟୋପରାଗ ପାଇଁ ରାତି ୧୦ ଟା ୩୭ରୁ ଦେବନୀତି ନିଷେଧ, ପାକତ୍ୟାଗ
ଆଜି ମହାସ୍ନାନ ପରେ ନୀତିକାନ୍ତି, ବନକଲାଗି

ପୁରୀ : ଜ୍ବରରୁ ଉଠିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଗତକାଲି ଶ୍ରୀମନ୍ଦିରକୁ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଗତକାଲି ରାତିରେ ଶୁଭ୍ର ପୁଷ୍ପରେ ସୁଶୋଭିତ ଖଳିହାଣ୍ଡିକୁ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ। ଆଜି ସକାଳେ ରାଜନଅରକୁ ଖଡ଼ିପ୍ରସାଦ ବିଜେ କରାଯାଇଛି। ସେପଟେ ରବିବାର ଦିନ ରାହୁଗ୍ରସ୍ତ ଚୂଡ଼ାମଣି ଯୋଗ ସୂର୍ଯ୍ୟୋପରାଗ ଯୋଗୁଁ ଆଜି ରାତି ୧୦ ଘଣ୍ଟା ୩୭ ‌ମିନିଟ୍‌ ୫୫ ସେକେଣ୍ଡ୍‌ରୁ ଶ୍ରୀମନ୍ଦିରରେ ଦେବନୀତି ନିଷେଧ କରାଯାଇଛି। ପାକତ୍ୟାଗ, ଅନ୍ନଭୋଜନ ଓ ପାକ ଦ୍ରବ୍ୟ ନିଷେଧ କରାଯାଇଛି। ରବିବାର ପୂର୍ବାହ୍ଣ ୧୦ ଘଣ୍ଟା ୩୭ ମିନିଟ୍‌ ୫୫ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ ପରେ ପୂର୍ବାହ୍ଣ ୧୧ଟା ରୁ ସାଢ଼େ ୧୧ଟା ଭିତରେ ଗ୍ରହଣ ମହାସ୍ନାନ ହୋଇ ଶ୍ରୀମନ୍ଦିରରେ ଦେବନୀତି ଆରମ୍ଭ ହେବ। କିନ୍ତୁ ଗ୍ରହଣ ସର୍ବମୋକ୍ଷ ଅପରାହ୍ଣ ୨ଟା ୯ ମିନିଟ୍‌ ୨ ସେକେଣ୍ଡ ରହିଛି। ଅନ୍ୟପଟେ ରବିବାର ବିଳମ୍ବିତ ରାତିରେ ଅର୍ଥାତ୍‌ ରାତି ସାଢ଼େ ୧୨ଟାରେ ଦତ୍ତ ମହାପାତ୍ର ସେବକମାନେ ବନକଲାଗି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।

ରାତି ୧୨ଟା ରୁ ୪ଟା ପର୍ଯ୍ୟନ୍ତ ବନକଲାଗି ନୀତି ଚାଲିବ। ପରଦିନ ଅର୍ଥାତ୍‌ ସୋମବାର ପ୍ରତିପଦା ତିଥିରେ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବାକୁ ନୀତି ଚୂଡ଼ାନ୍ତ ହୋଇଛି। ଗତକାଲି ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ବିଜେ ସହ ପୂର୍ବଦିନ ରାତିରୁ ଚାଲିଥିବା ଘଣାଲାଗି ନୀତି ମଧ୍ୟ ଶେଷ ହୋଇଥିଲା। ଏହି ନୀତିରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଲାଗି କରାଯାଇଥିଲା। ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହୋଇଥିଲା। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଗତକାଲି ଖଡ଼ିପ୍ରସାଦ ବିଜେ ହୋଇ ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡ଼ି ପ୍ରସାଦ ଲାଗି ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ସେବକ ଖଡ଼ି ଲେପ ଦେଇଥିଲେ। ଖଡ଼ିଲାଗି ପରେ ଦତ୍ତମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବକ ଆଜି ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରିଥିଲେ। ସମସ୍ତ ନୀତି ଅଗ୍ରଗତିର ଖବର ଗଜପତି ମହାରାଜଙ୍କୁ ଦିଆଯାଇଥିଲା। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିଥିଲେ। ଆସନ୍ତାକାଲି ବନକଲାଗି ନୀତି ରହିଛି। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀ ମିଶ୍ରଣକୁ ଲାଗି କରାଯିବ। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ।

ସମ୍ବନ୍ଧିତ ଖବର