ଭୁବନେଶ୍ୱର : ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ହେବ। ଏଥିରେ ୨୦୧୧ ମସିହ ଜନଗଣନା ପରଠାରୁ ବର୍ଧିତ ଜନସଂଖ୍ୟାକୁ ହିସାବକୁ ନେଇ ହିତାଧିକାରୀ ଆକଳନ କରି ସେମାନଙ୍କୁ ସାମିଲ କରାଯିବ। ଏମାନଙ୍କ ସଂଖ୍ୟା ପ୍ରାୟ ୫୦ ଲକ୍ଷ ହେବ। ଏ ନେଇ ଏକ ଯୋଜନା ପ୍ରସ୍ତୁତ କରିଛି ଖାଦ୍ୟ ଯୋଗାଣ ବିଭାଗ। ଏଭଳି ପ୍ରସ୍ତାବକୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଛି।
ଏଭଳି ପ୍ରସ୍ତାବ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ପ୍ରସ୍ତାବ ନୂଆ ନୁହେଁ। ଏହି ପ୍ରସ୍ତାବ ମୁତାବକ ୨୦୧୧ରୁ ଅଦ୍ୟାବଧି ବିଗତ ୬ ବର୍ଷ ଭିତରେ ପ୍ରାୟ ୧୫ ଲକ୍ଷ ହିତାଧିକାରୀ ସଂଖ୍ୟା ବୃଦ୍ଧି ପାଇଥିବା ଦର୍ଶାଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରିବାକୁ ସେ ଗତ ଜୁନ୍ ମାସରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ଏହା ଆଇନ ପରିସରଭୁକ୍ତ ନ ଥିବା ଦର୍ଶାଇ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ କେନ୍ଦ୍ରମନ୍ତ୍ରୀ। ସୂଚନାଯୋଗ୍ୟ ଯେ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଏଣୁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଯୋଜନା ପ୍ରସ୍ତୁତ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ବର୍ତମାନ ଏହା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ଅପେକ୍ଷାରେ ରହିଛି। ରାଜ୍ୟ ସରକାର ଏଭଳି ଯୋଜନା ପ୍ରଣୟନ କଲେ ପ୍ରାୟ ୫୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ମିଳିବ। ଏଥିପାଇଁ ନିଜସ୍ୱ ସମ୍ବଳରୁ ସମସ୍ତ ଅର୍ଥ ବହନ କରିବାକୁ ପଡ଼ିବ। ତେବେ ପୂର୍ବରୁ ରାଜ୍ୟ ସରକାର ଦୁଇଟଙ୍କିଆ ଚାଉଳ ଏବଂ ପରେ ଟଙ୍କିକିଆ ଚାଉଳ ଯୋଜନା କାର୍ଯ୍ୟକାରୀ କରି ଆଶାତୀତ ନିର୍ବାଚନୀ ସଫଳତା ହାସଲ କରିଛନ୍ତି। ଏଣୁ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଭଳି ଯୋଜନା ପ୍ରଣୟନ କରିବାର ସମ୍ଭାବନା ଅଧିକ। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଯାଇ ହିତାଧିକାରୀଙ୍କ ସଂଖ୍ୟା ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ration_shop-621x414.jpg)