ସଙ୍ଗରୋଧ କେନ୍ଦ୍ରରେ ନ ରହି ସୁରତ ଫେରନ୍ତା ଦମ୍ପତି ଗାଁରେ ବୁଲିବା ପରେ ଧାରଣାରେ ବସିଲେ, ପୁଲିସ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର: ସଙ୍ଗରୋଧ କେନ୍ଦ୍ରରେ ନ ରହି ସୁରତ ଫେରନ୍ତା ଦମ୍ପତି ଆସି ଗାଁରେ ବୁଲିବା ଘଟଣା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠୁ ବଡ଼ କଥା ହେଲା ଯେ ଏହାର ପ୍ରତିବାଦ କରିବାରୁ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହା ଫଳରେ ଗାଁରେ ଧାରଣାରେ ବସିଲେ ଗ୍ରାମବାସୀ ।


ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକରେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବଡ଼ ନୂଆଗାଁ ପଞ୍ଚାୟତର ପିହାଣଗଡ଼ିଆ ଗାଁର ଏକ ଦମ୍ପତି ଗତକାଲି ସୁରତରୁ ଫେରିଥିଲେ । ସେମାନେ ସଙ୍ଗରୋଧ କେନ୍ଦ୍ରରେ ନ ରହି ସିଧା ଆସିଥିଲେ ଗାଁକୁ ।
ଆଉ ଗାଁରେ ବୁଲାବୁଲି କରିଥିଲେ । ଏପରିକି ସରପଞ୍ଚଙ୍କ କଥାକୁ ଅଗ୍ରାହ୍ୟ କରି ଗ୍ରାମବାସୀଙ୍କ ସହିତ ମିଶିଥିଲେ ।ଏହାକୁ ବିରୋଧ କରି ଗ୍ରାମର ନ୍ୟାୟବ ସରପଞ୍ଚ ଛବିରାଣୀ ପରିଡା, ଉମାକାନ୍ତ ପରିଡା, ମନୋରଞ୍ଜନ ପରିଡା, ରମାକାନ୍ତ ପରିଡା, ଗୋବିନ୍ଦ ଚରଣ ସେଠୀ, ଅଜୟ ସେଠୀ, ରମେଶ ପାଢ଼ୀ ଏବଂ ରମାକାନ୍ତ ଦାସ ପ୍ରମୁଖ ଗ୍ରାମବାସୀ ରାସ୍ତା ଉପରେ ବସି ଏହାର ପ୍ରତିବାଦ କରିଛନ୍ତି। ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ସେ ଏ ବାବଦରେ ସିମୁଳିଆ ଥାନାକୁ ଖବର ଦେଇଥିବା କହିଥିଲା ବେଳେ ଏ ବିଷୟରେ ସିମୁଳିଆ ଆଇ ଆଇ ସି ପର୍ଶୁରାମ ସାହୁଙ୍କୁ ଯୋଗାଯୋଗ କରିବାରେ ଏ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନଥିବା ପ୍ରକାଶ କରିଥିଲେ।

ଏହାକୁ ପ୍ରତିବାଦ କରିବାରୁ ଏହି ଦମ୍ପତି ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଧାରଣାରେ ବସିଥିଲେ । ଗତକାଲି ସଂଧ୍ୟା ସୁଦ୍ଧା ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ ଗାଡ଼ିକୁ ମଧ୍ୟ ଅଟକ ରଖିଥିଲେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର