ଚର୍ଚ୍ଚାରେ ଯୁବକଙ୍କ ଲାଇଭ୍ ଆତ୍ମହତ୍ୟା : ‘ଖୁବ୍ ଶୀଘ୍ର ଦେଖା ହେବ’

୨ ବର୍ଷ ତଳେ ପତ୍ନୀ ବି ହାରିଥିଲେ ଜୀବନ
ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

ଖଇରା : ଖୁବ ଶୀଘ୍ର ଦେଖା ହେବ। ତୁମେ ଭାରି ମନେ ପଡୁଛ। ତୁମକୁ ଭେଟିବାକୁ ଅପେକ୍ଷା କରିଛି। ଜୁନ୍ ୧୫ ତାରିଖରେ ନିଜ ସୋସିଆଲ ମିଡିଆ ପେଜ୍‌ରେ ଦିବଂଗତ ପତ୍ନୀଙ୍କ ଉଦ୍ଦେଶ୍ୟରେ କିଛି ଏମିତି ଲେଖିଥିଲେ। ଆଉ ଆଜି ଫେସ୍‌ବୁକ୍‌ରେ ଲାଇଭ୍‌ରେ ଥିବାବେଳେ ଆତ୍ମହତ୍ୟା କରିଦେଲେ ଖଇରା ଥାନା ସାରୁଗାଁ ପଞ୍ଚାୟତ ମିଟୁଆଣି ପାମ୍ପୁଡ଼ିଆ ସାହିର ପୀତାମ୍ବର ଲେଙ୍କା (୩୩)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଶନିବାର ପ୍ରାୟ ଦିନ ୧୨ଟା ବେଳେ ସୋସିଆଲ ମିଡିଆ ଆକାଉଣ୍ଟର ତାଙ୍କ ପେଜ୍‌ରେ ସେ ଲାଇଭ୍ ଆରମ୍ଭ କରିଥିଲେ। କିଛି ଲୋକ ଦେଖିବା ଆରମ୍ଭ ମଧ୍ୟ କରିଥିଲେ। ଲୋକ ଦେଖିବା ବେଳକୁ ସେ ଘରର କଡ଼ିରେ ଏକ ଲୁଙ୍ଗିରେ ଫାଶୀ ଲଗାଇବା ଆରମ୍ଭ କରିଥିଲେ। ତେବେ କାହା ସହ କିଛି କଥାବାର୍ତ୍ତା ନ କରି ସେ ସିଧା ଝୁଲି ପଡ଼ିଥିଲେ। କିଛି ମୁହୂର୍ତ୍ତ ଛଟପଟ ହେବା ପରେ ତାଙ୍କର ଜୀବନ ଚାଲିଯାଇଥିଲା। ଲୋକେ ଯାଇ ଉଦ୍ଧାର କରିବା ବେଳକୁ ସବୁ ସରିଯାଇଥିଲା। ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ପ୍ରାୟ ଦୁଇ ବର୍ଷ ତଳେ ତାଙ୍କ ପତ୍ନୀ ବନିତା ମଧ୍ୟ ଦଉଡ଼ି ଲଗାଇ ଜୀବନ ହାରି ଦେଇଥିଲେ। ପତ୍ନୀଙ୍କ ମୃତ୍ୟୁକୁ ନେଇ ପୀତ‌ାମ୍ବର ମାସକ ତଳେ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରୁ ସେ ଭାରି କଷ୍ଟରେ ଥିଲେ ବୋଲି ଅନୁମାନ କରାଯାଇପାରୁଛି। କିନ୍ତୁ ଘର ଲୋକେ ଏ ସମ୍ପର୍କରେ ଜାଣିଥିଲେ କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ। ଲାଇଭ୍‌ରେ ଥାଇ ଆତ୍ମହତ୍ୟାର କିଛି ସମୟ ପରେ ତାଙ୍କ ବିବାହିତା ଭଉଣୀ ଜୟନ୍ତୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଖଇରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ, ଶ୍ବଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ।

ଔପଦା ଥାନା ଡିମିରିଚୁଆର ବୁଧିରାମ ନାୟକଙ୍କ ଝିଅ ବନିତାଙ୍କୁ ପୀତାମ୍ବର ବିବାହ କରିଥିଲେ। ହେଲେ କୌଣସି କାରଣରରୁ ବନିତା ଦୁଇ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ସେବେଠାରୁ ତାଙ୍କର ଝିଅ ଓ ପୁଅ ମାମୁଘରେ ରହୁଛନ୍ତି। ପୀତାମ୍ବର ବାହାରେ ଚାକିରି କରୁଥିବା ବେଳେ ଶ୍ବଶୁର ଘର ଲୋକଙ୍କୁ ଟଙ୍କା ପଠାଉଥିଲେ। ହେଲେ କୌଣସି କଥାକୁ ନେଇ ଶ୍ବଶୁର ଘର ଲୋକଙ୍କ ସହ ମନୋମାଳିନ୍ୟ ହୋଇଥିଲା। ସେବେଠାରୁ ଶ୍ବଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ଏହାହି ନ ପାରି ସେ ଜୀବନ ହାରିଥିବା ଭଉଣୀ ଜୟନ୍ତୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଖଇରା ଥାନାର ଏସ୍‌ଆଇ ଅଶ୍ବିନୀ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର