ପୁରୀ: ଖଜା ବେପାରକୁ ନେଇ ଲାଗି ରହିଥିବା ବିବାଦ ପୁଣି ଉଗ୍ରରୂପ ନେଇଥିବା ବେଳେ ଆଜି ଆଉ ଜଣକର ମୁଣ୍ଡ ଗଡ଼ିଛି। ଗତ ୮ ତାରିଖରେ ମାର୍କଣ୍ଡେଶ୍ବରସାହି ରାଧାଗୋବିନ୍ଦ ଲେନ୍ରେ ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ଆଜି ରାତିରେ ଏହାର ପ୍ରତିଶୋଧ ନେଇଛନ୍ତି। ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ ବାପା ହରିହର ସାହୁ (୫୦) ହାଡ଼ଗୋଡ଼ିଆ ସାହି ଦେଇ ଯାଉଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏ ସଂକ୍ରାନ୍ତରେ ମୃତ ହରିହରଙ୍କ ପରିବାର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା (ନଂ ୩୦୫/୨୪) ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ପଛରେ ଗୋଷ୍ଠୀ ବିବାଦ ରହିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ପୁଲିସ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମାର୍କଣ୍ଡେଶ୍ବରସାହି ରାଧାଗୋବିନ୍ଦ ଲେନ୍ରେ ଦୀନେଶ ଖୁଣ୍ଟିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ବାପା ହରିହର ସାହୁ ହାଡ଼ଗୋଡ଼ିଆସାହି ଦେଇ ଯାଉଥିଲେ। ହାଡ଼ଗୋଡ଼ିଆ ସାହି ଓ ରାଧାଗୋବିନ୍ଦ ଲେନ୍ ଛକରେ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ କେତେକ ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମୁଣ୍ଡକୁ କଟୁରିରେ ଅତି ବୀଭତ୍ସ ଭାବେ ହାଣି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଆକ୍ରମଣ ଦେଖି ନିକଟରେ ଥିବା ଦୋକାନୀମାନେ ସେମାନଙ୍କ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହରିହରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ପଠାଇଥିଲା। ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ପୁଲିସ ମୃତ ଦୀନେଶଙ୍କ ବାପା ବିଜୟ ଖୁଣ୍ଟିଆ ଓ ଭାଇକୁ ଧରିନେଇ ପଚରାଉଚରା ଚଳାଇଛି।
ସୂଚନାଯୋଗ୍ୟ, ଖଜା ବ୍ୟବସାୟକୁ କେନ୍ଦ୍ର କରି ରାଧାଗୋବିନ୍ଦ ଲେନ୍ର ଦୀନେଶ ଖୁଣ୍ଟିଆ ଗୋଷ୍ଠୀ ଓ ପ୍ରଦୀପ୍ତ ସାହୁ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ଏହାକୁ କେନ୍ଦ୍ର କରି ଗତ ୮ ତାରିଖ ରାତି ୧୦ଟା ସମୟରେ ଦୀନେଶଙ୍କୁ ତାଙ୍କ ଘର ନିକଟରେ ଚୁଡ଼ଙ୍ଗସାହି ଖୁଣ୍ଟିଆ ବଗିଚାର ରୁଦ୍ରନାରାୟଣ ସାହୁ (୨୦), ମାର୍କଣ୍ଡେଶ୍ବରସାହି ରାଧାଗୋବିନ୍ଦ ଲେନ୍ର ପ୍ରଦୀପ୍ତ ସାହୁ (୨୪), ବାସେଳିସାହି ଥାନା ଅନ୍ତର୍ଗତ ମିଶ୍ରସାହିର କୁଳଦୀପ ବାନାର୍ଜୀ (୧୯), ଚନ୍ଦନପୁର ଥାନା ଅନ୍ତର୍ଗତ ତୁଳସୀଚଉରାର ରୂପେନ୍ଦ୍ର ଜେନା(୨୦) ଓ ଅନ୍ୟ ଜଣେ ନାବାଳକ ମିଶି ହତ୍ୟା କରିଥିଲେ। ଦୀନେଶଙ୍କ ମା ସୁକାନ୍ତି ଖୁଣ୍ଟିଆଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ଘଟଣାରେ ରୁଦ୍ର, ପ୍ରଦୀପ୍ତ, କୁଳଦୀପ, ରୁପେନ୍ଦ୍ରଙ୍କୁ କୋର୍ଟଚାଲାଣ କରିଥିଲା। ଏବେ ଦୀନେଶ ଗୋଷ୍ଠୀ ପ୍ରତିଶୋଧ ନେବାକୁ ଯାଇ ଆଜି ପ୍ରଦୀପ୍ତଙ୍କ ବାପା ହରିହର ସାହୁଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।