ଅବକାରୀ ବିଭାଗରେ ବି ଖାକି ଅଡ଼ୁଆ: ଟଙ୍କା ଦେଲେ ମିଳୁନି ସମାନ ଧରଣର କପଡ଼ା

ଚଳିତବର୍ଷରୁ ଏସ୍‌ପି, ଡିଏସ୍‌ପିଙ୍କୁ ମିଳିବନି ପୋଷାକ ଭତ୍ତା, ବ୍ରିଟିସ୍ ଅମଳରୁ ବଦଳୁନି ନିୟମ; ଡେପୁଟି କମିସନର ପାହ୍ୟା ଅଧିକାରୀଙ୍କୁ ଖାକି ମନା

କଟକ: ପୁଲିସ ବିଭାଗ ଭଳି ଅବକାରୀ ବିଭାଗରେ ବି ଖାକି ପୋଷାକର ରଙ୍ଗ ବିବାଦ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଅଧିକାରୀ ଓ କର୍ମଚାରୀଙ୍କୁ ବିଭାଗ ଟଙ୍କା ଦେଉଥିଲେ ବି ସମାନ ରଙ୍ଗର ଖାକି କପଡ଼ା ଖୋଲାବଜାରରେ ମିଳୁନାହିଁ। ଫଳରେ, ଅଧିକାରୀ ଓ କର୍ମଚାରୀଙ୍କ ପୋଷାକରେ ପୁଲିସ ବିଭାଗ ଭଳି ବି ପ୍ରଭେଦ ଦେଖାଦେଇଛି। ଅନ୍ୟପଟେ, ବ୍ରିଟିସ୍ ଅମଳରୁ ଡେପୁଟି କମିସନର ପାହ୍ୟାର ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଏଯାଏ ଅନୁମତି ମିଳିନାହିଁ। ଶେଷଥର ୨୦୨୧ରେ କ୍ୟାଡର୍ ରୁଲ୍ ପୁନର୍ଗଠିତ ହୋଇଥିଲେ ବି ଡେପୁଟି କମିସନର, ଯୁଗ୍ମ କମିସନର ଓ ଅତିରିକ୍ତ କମିସନର ପାହ୍ୟାର ମୋଟ ୧୧ ଅବକାରୀ ଅଧିକାରୀ ଖାକି ପିନ୍ଧିବା ତାଲିକାରେ ରହିପାରିନାହାନ୍ତି। ଏମାନଙ୍କୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ନଦେବା ଆଉ ଏକ ନୂଆ ବିବାଦ ସୃଷ୍ଟି କରିଛି।

କନଷ୍ଟେବଳରୁ ଏସ୍‌ପି ପାହ୍ୟା ପର୍ଯ୍ୟନ୍ତ ଟେଣ୍ଡର ମାଧ୍ୟମରେ ୨୧ ଶହ ୯୫ ଅଧିକାରୀଙ୍କୁ ଗୋଟିଏ ସମୟରେ ଖାକି କପଡ଼ା ଦିଆଯାଉଥିଲା। ୨୦୧୦ ମସିହାରେ ୧ ହଜାର ଟଙ୍କା ଲେଖାଏଁ ପୋଷାକ ବାବଦ ଭତ୍ତା ପ୍ରଦାନ କରାଗଲା। ୨୦୨୦ରେ ଜିଲ୍ଲାଭିତ୍ତିରେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଟଙ୍କା ଦିଆଗଲା। ଛୋଟ ଜିଲ୍ଲାକୁ ପାଖାପାଖି ୬୦ ହଜାର ଟଙ୍କା ଏବଂ ବଡ଼ ଜିଲ୍ଲାକୁ ୨ ଲକ୍ଷ ଯାଏଁ ଭତ୍ତା ଟଙ୍କା ଦିଆଗଲା। ଜିଲ୍ଲା ଏସ୍‌ପି ଏହି ଟଙ୍କା ନିଜ ଭିତରେ ବାଣ୍ଟୁଥିଲେ। ଚଳିତବର୍ଷ ଅବକାରୀ ବିଭାଗର ନୂଆ ନିର୍ଦ୍ଦେଶନାମା ଆଧାରରେ କନଷ୍ଟେବଳରୁ ଇନ୍‌ସ୍ପେକ୍ଟର ପାହ୍ୟା ଯାଏ ପୋଷାକ ବାବଦ ଭତ୍ତା ଟଙ୍କା ନିର୍ଦ୍ଦିଷ୍ଟ ଭାବେ ଧାର୍ଯ୍ୟ କରାଯାଇଛି। ଇନ୍‌ସ୍ପେକ୍ଟର ପାହ୍ୟା ପାଇଁ ୪ ହଜାର ୩୦୦ ଟଙ୍କା, ଏସ୍‌ଆଇ ପାହ୍ୟା ପାଇଁ ୪ ହଜାର ୨୦୦, ଏଏସ୍‌ଆଇ ପାହ୍ୟା ପାଇଁ ୪ ହଜାର ୨୦୦ ଓ କନଷ୍ଟେବଳ ପାହ୍ୟା ପାଇଁ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ତଳୁ ଉପର ପାହ୍ୟା ଭିତରେ ଭତ୍ତା ଟଙ୍କାରେ କୌଣସି ସମାନତା ନାହିଁ। ରାଜ୍ୟରେ ୪୫ ଜଣ ଏସ୍‌ପି ଏବଂ ୭୦ ଜଣ ଡେପୁଟି ଏସ୍‌ପି ଏହି ପୋଷାକ ଭତ୍ତା ବ୍ୟବସ୍ଥାରୁ ବାଦ୍‌ ପଡ଼ିଛନ୍ତି। ଏମାନଙ୍କୁ ଚଳିତ ଆର୍ଥିକବର୍ଷଠାରୁ ଆଉ ପୋଷାକ ବାବଦ ଭତ୍ତା ଟଙ୍କା ଦିଆଯିବ ନାହିଁ ବୋଲି ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି। ଏଭଳି ନୂଆ ନିଷ୍ପତ୍ତି ପରେ ତିନୋଟି ବିବାଦ ଏବେ ମୁଣ୍ଡ ଟେକିଛି। ବର୍ଷକୁ ଜଣେ ଅଫିସର କିମ୍ବା କର୍ମଚାରୀ ଦୁଇ ହଳ ପୋଷାକ ପ୍ରସ୍ତୁତ କଲେ ସର୍ବନିମ୍ନ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଯେଉଁ ହାରରେ ପୂର୍ବରୁ ଟଙ୍କା ମିଳୁଥିଲା ଏବଂ ଏବେ ଯେଉଁ ନୂଆ ନିଷ୍ପତ୍ତି ହୋଇଛି, ଏହା ଅବକାରୀ ବିଭାଗର ଇନ୍‌ସ୍ପେକ୍ଟରରୁ କନଷ୍ଟେବଳ ପାହ୍ୟା ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଖୁସି କରିପାରିନାହିଁ। ଭତ୍ତା ଟଙ୍କା ମିଳିଲେ ବି ଖାକି ରଙ୍ଗର ସମାନ କପଡ଼ା ଖୋଲା ବଜାରରୁ ମିଳୁନଥିବା ଅବକାରୀ ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି। ବିଭାଗ ଯେତେବେଳେ କପଡ଼ା ଟେଣ଼୍ଡର ମାଧ୍ୟମରେ ଖରିଦ୍ କରି ଦେଉଥିଲା, ସେ ସମୟରେ ପୋଷାକରେ ସମାନତା ରହୁଥିଲା।

ଅନ୍ୟପଟେ ନୂଆ ନିଷ୍ପତ୍ତି ପରେ ରାଜ୍ୟରେ ୧୧୫ ଅବକାରୀ ଏସ୍‌ପି ଓ ଡିଏସ୍‌ପି ପୋଷାକ ଭତ୍ତାରୁ ବାଦ୍ ପଡ଼ିଥିବାରୁ ଏମାନଙ୍କୁ ଧାର୍ଯ୍ୟ ଭତ୍ତା ଟଙ୍କା ପ୍ରଦାନ ପାଇଁ ଏବେ ଅଫିସର୍‌ମାନେ କମିସନରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟର ଉପାନ୍ତ ଜିଲ୍ଲାରେ ଯଦି ଜଣେ ଅବକାରୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି ତେବେ ସେ ଖାକି କପଡ଼ା କିଣିବାକୁ କଟକ କିମ୍ବା ଭୁବନେଶ୍ବର ଆସିବାକୁ ପଡ଼ିବ। ଏଠି ବି ଖାକି ରଙ୍ଗର କପଡ଼ା ମିଳିବା ସମ୍ଭବପର ହେଉନଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଯାହାଫଳରେ, ପୁଲିସ ବିଭାଗ ଭଳି ଅବକାରୀ ବିଭାଗରେ ବି କନେଷ୍ଟବଳଙ୍କଠାରୁ ଆରମ୍ଭ କରି ଏସ୍‌ପିଙ୍କ ଯାଏଁ ୟୁନିଫର୍ମ ଗୋଟିଏ ରଙ୍ଗର ହୋଇପାରୁନାହିଁ।

ଅନ୍ୟପକ୍ଷରେ, ବ୍ରିଟିସ୍ ଶାସନ ସମୟରେ ୧୯୧୫ରେ ଅବକାରୀ ବିଭାଗ ଆରମ୍ଭ ପରଠାରୁ ଅବକାରୀ ବିଭାଗର ୩ ଡେପୁଟି କମିସନରଙ୍କୁ ଆଜି ସୁଦ୍ଧା ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳିନାହିଁ। ଜଏଣ୍ଟ କମିସନର, ଅତିରିକ୍ତ କମିସନର ପଦବି ୨୦୧୪-୧୫ରେ କ୍ୟାଡର ପୁନର୍ଗଠିତ ସମୟରେ ସୃଷ୍ଟି ହୋଇଥିଲା। ଶେଷଥର ୨୦୨୧ ମାର୍ଚ୍ଚ ୧୦ ତାରିଖର ଚିଠି(ନମ୍ବର ୧୩୩୫) ବଳରେ ବିଭାଗରେ କ୍ୟାଡର୍ ରୁଲ୍ ପୁନର୍ଗଠିତ କଲାପରେ ୯ଟି ଡେପୁଟି କମିସନର ପଦବିରୁ ଦୁଇ ଓଏଏସ(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ଓ ୭ ଅବକାରୀ ଅବକାରୀ, ଯୁଗ୍ମ କମିସନ ପଦବିରେ ୩ଟି ଅବକାରୀ ଓ ୩ଟି ଓଏସ ଅଧିକାରୀ ନିଯୁକ୍ତ ହେଲେ, ଅତିରିକ୍ତ କମିସନର ପଦବିରେ ଜଣେ ଅବକାରୀ ଓ ୩ ଓଏଏସ୍‌ ରହିଲେ। ଏହି ତିନୋଟି କ୍ୟାଡରରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳିନାହିଁ। ଏହି କ୍ୟାଡର୍‌ର ଅବକାରୀ ଅଧିକାରୀଙ୍କୁ ଖାକି ପିନ୍ଧିବାକୁ ଅନୁମତି ଦେବାକୁ ଏବେ ଅବକାରୀ ବିଭାଗରେ ଅଫିସରମାନେ ଦାବି କରିବା ଘଟଣାକୁ ନେଇ ଅଡ଼ୁଆ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର