ଖଲଣା ଗୁଳିକାଣ୍ଡ ମାମଲା: ପୁଅକୁ ନପାଇ ମା’କୁ ବାନ୍ଧିଲା ପୁଲିସ

ଆନନ୍ଦପୁର/ରାମଚନ୍ଦ୍ରପୁର: ବହୁ ଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାକୁ ୨୦ ଦିନ ବିତି  ଯାଇଥିବା ବେଳେ ରାମଚନ୍ଦ୍ରପୁର ପୁଲିସ୍  ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଘୋଷଙ୍କ ପାଖରେ ପହଞ୍ଚି ପାରି ନାହିଁ। ଅକ୍ଷୟଙ୍କୁ ନପାଇବାରୁ ତାଙ୍କ ମାଆ କୋଇଲି ଘୋଷଙ୍କୁ ଗତକାଲି ପୁଲିସ ଉଠାଇନେଇ ପଚାରା ଉଚାରା କରିବା ପରେ ଆଜି ସକାଳୁ ଗ୍ରାମରେ ଚଢ଼ଉ କରିଥିଲା। ଅକ୍ଷୟଙ୍କ ସଢ଼ୁ ଗ୍ରାମର ନିତ୍ୟାନନ୍ଦ ମାଝୀଙ୍କ ଘର ପଛପଟ ଖତଗଦାରୁ ବନ୍ଧୁକ ଓ ଗୁଳି ଜବତ କରିଛି। ଆଜି ମା’ କୋଇଲି ଘୋଷଙ୍କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି ପୁଲିସ।

ଆଜି ଅପରାହ୍ଣରେ କୋଇଲିଙ୍କୁ ଆନନ୍ଦପୁର ଏଡିଜେ ତଥା ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ମାତ୍ର ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଅଭିଯୁକ୍ତଙ୍କ ଓକିଲଙ୍କ ସୂତ୍ରରୁ ଜଣାପଡିଛି।  ୨୫ ତାରିଖରେ ଖଲଣା ଗ୍ରାମର କରୁଣାକର ସା ଓ ଅଜୟ ସାହୁ ପୁଲିସ ଗିରଫ କରିଥିଲା। ସେମାନେ ଏବେ ହାଜତରେ ଅଛନ୍ତି।  ଏନେଇ ତଦନ୍ତକାରୀ ଅଧିକାରୀ ତଥା ଆନନ୍ଦପୁର ଦାୟିତ୍ବରେ ରହିଥିବା ଘଟଗାଁ ଏସ୍‌ଡିପିଓ ଅସିତ୍ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ନ ଉଠାଇବାରୁ ସବିଶେଷ ତଥ୍ୟ ମିଳିପାରିନାହିଁ।

ଗୁଳିକାଣ୍ତ ଘଟଣାକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଘୋଷ ସମେତ ଅନେକ ଆସାମୀ ଫେରାର୍ ଥିବାରୁ ପୁଲିସ ସେମାନଙ୍କୁ ଧରିବା ତ ଦୂରର କଥା ସେମାନଙ୍କ ସମ୍ପର୍କରେ ଟେର୍  ମଧ୍ୟ ପାଇ ପାରୁନାହିଁ । ମାତ୍ର ଦୁଇ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରି ମୃତ ସୁନନ୍ଦ ସେଠୀ ପରିବାର ଲୋକ ଦୁଇଦିନ ତଳେ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ତଦନ୍ତରେ ଶିଥିଳତା ନେଇ ପ୍ରଶ୍ନ ଉଠାଇବା ସହ ଯଥାଶୀଘ୍ର ଗିରଫ  କରିବାକୁ ଦାବି ଉପସ୍ଥାପନ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ମୃତ ସୁନନ୍ଦ ସେଠୀଙ୍କ ସ୍ତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ ଶୁଣାଇଥିଲେ। ଏହା ପରେ ପୁଲିସ ତତ୍ପରତା ପ୍ରକାଶ କରି ଆଜି ବନ୍ଧୁକ ଓ ଗୁଳି ଜବତ କରିବା ସହିତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅକ୍ଷୟଙ୍କ ମା’ଙ୍କୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ୧୪ ତାରିଖରେ ମୃତ ସୁନନ୍ଦ ସେଠୀ ଏବଂ ଅନ୍ୟଜଣେ ଯୁବକ ଚନ୍ଦନ ବେହେରା ହାଟରୁ ସଉଦା କରି ଫେରୁଥିବା ବେଳେ ସେମାନଙ୍କୁ କେତେକ ଯୁବକ ବାଟରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ସୁନନ୍ଦଙ୍କୁ ଗୁଳି ମାଡ଼ କରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଚନ୍ଦନ ଗୁରୁତର ଆହତ‌ ହୋଇଥିଲେ। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଘର ଏବଂ ଗୋଟିଏ ଟ୍ରାକ୍ଟର ଜାଳି ଦେଇଥିଲେ। ଅଗ୍ନିକାଣ୍ଡରେ କେତେକ ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର