ବୀରମିତ୍ରପୁର: ବିଜାବହାଲସ୍ଥ ଏକ ପିଚୁପ୍ଲାଣ୍ଟରେ ଆଜି ଏକ ପିଚୁ ବୋଝେଇ ଡମ୍ପର ଚକ ତଳେ ଚାପିହୋଇ ଡ଼ମ୍ପର ଖଲାସିର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାଇ ହକି ୱାଲ୍ଡକପ୍ ପାଇଁ ରାଉରକେଲାଠାରେ ରାସ୍ତାଘାଟ ଗୁଡିକ ପିଚୁ କାର୍ଯ୍ୟ ଚାଲିଥିବାବେଳେ ବିଜାବାହାଲ ପିଚୁପ୍ଲାଣ୍ଟରୁ ଓଆର ୧୪କ୍ୟୁ ୭୭୩୬ ଡ଼ମ୍ପରଟି ପିଚୁ ବୋଝେଇ କରି ଟର୍ଣ୍ଣ କାଟୁଥିବାବେଳେ ଗାଡ଼ିଟି ପଛକୁ ଗଡ଼ିଯାଇଥିଲା।
ଫଳରେ ଗାଡ଼ି ପଛରେ ଠିଆ ହୋଇଥିବା ଡମ୍ପର ଖଲାସି ସିକେନ୍ଦ୍ର ନାଥ(୧୯) ଗାଡି ପଛଚକ ତଳେ ଚାପିହୋଇ ଯାଇଥିଲେ। ସିକେନ୍ଦ୍ରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ଆରଜିଏଚ୍ଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ବୀରମିତ୍ରପୁର ଥାନା ଏସଆଇ ଦେଓମନ୍ତି ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛନ୍ତି।