ଖଲାସି କଲେ ରକ୍ତଦାନ:୧୫ ମିନିଟ୍ ବସ୍‌ ଅଟକାଇଲେ ମାଲିକ 

ଜମନକିରା: ଡାକ୍ତରଖାନାରେ ଅସହାୟ ଗରିବ ରୋଗୀଟିଏ ରକ୍ତ ଅଭାବରୁ ମୃତ୍ୟୁ ବରଣ ନ କରୁ। ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ତେଣୁ ଯେଉଁଠି ରକ୍ତଦାନ ଶିବିର ହେବାର ଜାଣିଲେ ଅବିଳମ୍ବେ ସେଠାକୁ ପହଂଚି ରକ୍ତଦାନ କରନ୍ତି ସମ୍ବଲପୁର ସାଗରପାଲି ବାସିନ୍ଦା ସନ୍ଦୀପ ଟପୋ (୧୯)। ସନ୍ଦୀପ ଭାରତ ବସ୍ କୁସୁମ (ଓଡି ୨୮- ୯୧୨୯)ରେ ଖଲାସି ଭାବେ କାମ କରନ୍ତି। ସେ ବସ୍‌ରେ ରାଉଲକେଲାରୁ ରିଆମାଳ ଯାଉଥିବା ବେଳେ ମଧ୍ୟାହ୍ନରେ ଜମନକିରା ଥାନା ସମ୍ମୁଖରେ ରକ୍ତଦାନ ଶିବିର ଚାଲିଥିବା ଦେଖିଥିଲେ।

ସେ ବସ୍ ମାଲିକ ଅଶୋକ ଦାନୀକୁ ରକ୍ତଦାନ ପାଇଁ ଇଚ୍ଛା ଥିବା ଜଣାଇଥିଲେ। ଫଳରେ ଯାତ୍ରୀବାହୀ ବସ୍‌କୁ ମାଲିକ ୧୫ ମିନିଟ୍ ପର୍ଯ୍ୟନ୍ତ ଅଟକାଇଥିଲେ। ସନ୍ଦୀପ ଥାନାକୁ ଯାଇ ରକ୍ତଦାନ କରିଥିଲେ। ବସ୍‌ଟି ଅଟକି ରହିଥିଲେ ହେଁ ଯାତ୍ରୀମାନେ ଅସନ୍ତୁଷ୍ଟ ନ ଥିବା କହିଥିଲେ। ଏନ୍ଏଚ୍ ୫୩ରେ ଯାଉଥିବା ଅନ୍ୟ ଏକ ମାଲବାହୀ ଟ୍ରକ୍ ଡ୍ରାଇଭର ବାଦିବାହାଲ ପାଖ ବଞ୍ଜାରୀ ଗ୍ରାମର ସୁମନ୍ତ କିସାନ ମଧ୍ୟ ଟ୍ରକ୍ ଅଟକାଇ ରକ୍ତଦାନ କରିଥିଲେ। ଉଭୟ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ଏବଂ ଜମନକିରା ଆଇଆଇସି ପ୍ରେମଜିତ୍ ଦାସ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର