ପୁରୀ : ଜ୍ୱରରେ ପଡ଼ି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଚକା ବିଜେ ପରେ ଅଣସର ପରଠାରୁ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଆଜି ଶ୍ରୀମନ୍ଦିରକୁ ଖଳି ପ୍ରସାଦ(ଦିବ୍ୟ ପ୍ରଲେପ) ବିଜେ କରାଯାଇଛି। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଆଜି ଖଳିହାଣ୍ଡିରେ ଶୁଭ୍ର ପୁଷ୍ପରେ ସଜେଇ ଶ୍ରୀମନ୍ଦିରକୁ ନେଇଛନ୍ତି।
ପରମ୍ପରା ଅନୁଯାୟୀ, ଶୁକ୍ରବାର ଦିନ ଶ୍ରୀମନ୍ଦିରରୁ ବିଜେ କାହାଳୀ ବାଜି ଦୋଳମଣ୍ଡପସାହିସ୍ଥିତ ଶୁଦ୍ଧ ସୁଆରଙ୍କ ଘରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଖଳି ବିଜେ ପର୍ବ ଆରମ୍ଭ ହୋଇଥିଲା। ସୁସଜ୍ଜିତ ଖଳିହାଣ୍ଡି ସହ ତିନି ବାଡ଼ର ମୁଖ୍ୟ ଶୁଦ୍ଧସୁଆରଙ୍କୁ ଦୋଳମଣ୍ଡପସାହିଠାରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲା। ପରେ ଏହି ଖଳିକୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଛି।
ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଆଜି ଖଳିପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ଗତକାଲି ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଘନ ଅନ୍ଧକାରରେ ବିରୂପ ବିସର୍ଜନ କରାଯାଇଥିଲା। ଏହାକୁ ଜଳସମାଧି ଦିଆଯାଇଥିଲା। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗତକାଲି ସନ୍ଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ମା’ ବିମଳାଙ୍କ କୂଅରୁ ଜଳ ଆସିଥିଲା। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ର ମୁଖ୍ୟ ଶୁଦ୍ଧସୁଆର ସେବକ ରାମଚନ୍ଦ୍ର ସୁଆର, ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ର ମୁଖ୍ୟ ଶୁଦ୍ଧସୁଆର ସେବକ ଲୋକନାଥ ସୁଆର ଓ ମା’ ସୁଭଦ୍ରାଙ୍କ ବାଡ଼ର ମୁଖ୍ୟ ଶୁଦ୍ଧସୁଆର ସେବକ ଶ୍ରୀଧର ସୁଆର ନିଜ ନିଜ ଘରେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥିଲେ। ଶ୍ରୀମନ୍ଦିରକୁ ଏହି ଦିବ୍ୟ ପ୍ରଲେପ ବିଜେ ପରେ ଦଇତାପତି ସେବକମାନେ ଏହାକୁ ଶ୍ରୀଜିଉଙ୍କଠାରେ ଲାଗି କରିଛନ୍ତି। ଏହା ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବଜ୍ର କରିଥାଏ ବୋଲି ଶୁଦ୍ଧସୁଆର ସେବକମାନେ କହିଛନ୍ତି।