ଶ୍ରୀଅଙ୍ଗ ବଜ୍ର ପାଇଁ ଖଳି ବିଜେ

ପୁରୀ : ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ଚକାବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଆଜି ଶ୍ରୀମନ୍ଦିରକୁ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) ବିଜେ କରାଯାଇଛି। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ଶୁଭ୍ର ପୁଷ୍ପରେ ଖଳିହାଣ୍ଡିକୁ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ଶ୍ରୀମନ୍ଦିରରୁ ବିଜେ କାହାଳୀ ବାଜି ଦୋଳମଣ୍ଡପସ୍ଥିତ ଶୁଦ୍ଧ ସୁଆରଙ୍କ ଘରେ ପହଞ୍ଚିବା ପରେ ଅପରାହ୍‌ଣ ୨ଟାରେ ଶ୍ରୀମନ୍ଦିରରେ ଖଳି ବିଜେ ହୋଇଥିଲା। ତେବେ ଆଜି ରାଜନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ରହିଥିବାବେଳେ ବିଳମ୍ବ ଯୋଗୁ ଏହି ନୀତି ଆଜି ସଂପନ୍ନ ହୋଇପାରିନି। ଆସନ୍ତାକାଲି ସକାଳେ ଏହି ନୀତି ସଂପନ୍ନ ହେବ ବୋଲି ଜଣାପଡ଼ିଛି।

ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଆଜି ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ, ଗତକାଲି ନିଶାର୍ଦ୍ଧ ରାତିରେ ଶ୍ରୀମନ୍ଦିରରେ ଘନ ଅନ୍ଧକାର ଭିତରେ ବିରୂପ ବିସର୍ଜନ କରାଯାଇ ଏହାକୁ ଜଳସମାଧି ଦିଆଯାଇଥିଲା। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ଏଥିପାଇଁ ଗତକାଲି ସଂଧ୍ୟା ଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ବିମଳାଙ୍କ କୂଅରୁ ଜଳ ଆସିଥିଲା। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତ କରିଥିଲେ। ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସୁଆର ସେବକ ରାମଚନ୍ଦ୍ର ସୁଆର, ବଳଭଦ୍ରଙ୍କ ମୁଖ୍ୟ ସୁଆର ସେବକ ଲୋକନାଥ ସୁଆର ଓ ମା ସୁଭଦ୍ରାଙ୍କ ମୁଖ୍ୟ ସୁଆର ସେବକ ଶ୍ରୀଧର ସୁଆର ନିଜ ନିଜ ଘରେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥିଲେ। ବଳଭଦ୍ରଙ୍କ ମୁଖ୍ୟ ତଥା ବରିଷ୍ଠ ସୁଆର ସେବକ ଲୋକନାଥ ସୁଆର କହିଛନ୍ତି, ଖଳିପ୍ରସାଦ ସଂପର୍କରେ ବିଭିନ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଏହି ଦିବ୍ୟ ପ୍ରଲେପ ମହାପ୍ରଭୁଙ୍କ ଦେହରେ ଲାଗି ହେବା ପରେ ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର କରିଥାଏ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶୁଦ୍ଧ ସୁଆର ସେବକମାନେ ଏ ସଂପର୍କରେ କାହାରି ଆଗରେ କିଛି ପ୍ରକାଶ କରିନଥାନ୍ତି।

ସମ୍ବନ୍ଧିତ ଖବର