ହଜିଯାଉଛି ଖଲିପତ୍ର, କେବଳ ମନ୍ଦିର କାର୍ଯ୍ୟରେ ସୀମିତ

ଭଞ୍ଜନଗର: ଦିନ ଥିଲା, ଗ୍ରାମାଞ୍ଚଳଠୁ ଆାରମ୍ଭ କରି ସହରାଞ୍ଚଳ ସବୁଠି ଖଲିପତ୍ରର ଚାହିଦା ଦେଖିବାକୁ ମିଳିଥିଲା। ଛୋଟବଡ଼ ହୋଟେଲ୍ ଓ ଠେଲାଗାଡ଼ି ସମେତ ଭୋଜିଭାତ ଓ ବ୍ରତଘର ଆଦି ମାଙ୍ଗଳିକ କାର୍ଯ୍ୟକ୍ରମର ଭୋଜିରେ ଖଲିପତ୍ରର ହିଁ ବ୍ୟବହାର ହେଉଥିଲା। ଧାଡ଼ିରେ ବସି ସାମୂହିକ ଭୋଜନ କରିବାର ପରମ୍ପରା ସବୁଠି ଗ୍ରହଣୀୟ ଥିଲା। ଆଉ ଖଲିପତ୍ର ତିଆରି ଏକ କୁଟୀରଶିଳ୍ପ ଭାବେ ଉଭା ହୋଇଥିଲା। ରାତି ପାହିବା ମାତ୍ରେ ଖଲିପତ୍ର ପ୍ରସ୍ତୁତକାରୀମାନେ ସାଇକେଲ୍‌ରେ ବୁଲି ବୁଲି ଏହାକୁ ହୋଟେଲ୍ ସମେତ ଅନ୍ୟାନ୍ୟ ଗ୍ରାହକମାନଙ୍କୁ ବାଣ୍ଟୁଥିଲେ। ବିଭିନ୍ନ ଗଛର ପତ୍ରକୁ ସଂଗ୍ରହ କରି ଖଲି ତିଆରି କରି ଲାଭବାନ୍ ହୋଇପାରୁଥିଲେ।
କିନ୍ତୁ ସମୟ ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ପରେ ଆଧୁନିକତାର ଛାପରେ ଖଲିପତ୍ରର ବ୍ୟବହାର ଅଧିକାଂଶ ମାତ୍ରାରେ କମିବାରେ ଲାଗିଛି। ଭୋଜିରେ ବଫେଟ୍ ପରମ୍ପରାକୁ ଆପଣାଯାଉଥିବା ବେଳେ ପ୍ଲା‌‌ଷ୍ଟିକ୍ ପେପର୍ ଓ ଥର୍ମକୁଲ୍ ପ୍ଲେଟ୍ ଏବେ ଖଲିପତ୍ରର ସ୍ଥାନ ନେଇସାରିଛି। ଆଉ ଖଲିପତ୍ର ପ୍ରସ୍ତୁତ କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ବର୍ତ୍ତମାନ ରୋଜଗାରର ଅନ୍ୟ ପନ୍ଥା ଆପଣାଇଛନ୍ତି। ହାତଗଣତି କିଛି ଲୋକ ସଂଘର୍ଷ ଜାରି ରଖିଛନ୍ତି।

ସ୍ଥାନ ନେଇଛି ପ୍ଲାଷ୍ଟିକ୍ ପେପର୍ ପ୍ଲେଟ୍
ଦୁର୍ଦ୍ଦିନରେ ଖଲି ପ୍ରସ୍ତୁତକାରୀଙ୍କ ଜୀବନ

ଭଞ୍ଜନଗର ବ୍ଲକ୍ ବ୍ରାହ୍ମଣପଦର ଗ୍ରାମରେ ଖଲିପତ୍ର ପ୍ରସ୍ତୁତ କରୁଥିବା ତ୍ରିବେଣୀ ଗୌଡ଼ କହିଛନ୍ତି, ପୂର୍ବରୁ ଖଲିପତ୍ର ଓ ଠୁଙ୍ଗାର ବହୁଳମାତ୍ରାରେ ବ୍ୟବହାର ହେଉଥିଲା। ପିଲାଟି ଦିନରୁ ସେ ଏଭଳି ଖଲି ତିଆରି କରିଆସୁଥିବା ବେଳେ ଦୈନନ୍ଦିନ ଭଲ ରୋଜଗାର ହେଉଥିଲା। ପରିବାରର ସମସ୍ତ ସଦସ୍ୟ ଏହି କାର୍ଯ୍ୟ‌ରେ ନିୟୋଜିତ ହେଉଥିଲେ। କେବଳ ଏତିକି ନୁହେଁ।

ଆଖପାଖ ଇଲାକାର ଶତାଧିକ ପରିବାର ଏହି ଖଲିପତ୍ର ପ୍ରସ୍ତୁତ କରୁଥିଲେ। ଭୋଜି ଠାରୁ ଆରମ୍ଭ କରି ହୋଟେଲ୍ ଓ ଘରେ ସବୁଠି କେବଳ ଖଲିପତ୍ରର ଚାହିଦା ରହିଥିଲା। ସରକାରୀ ବ୍ୟବସ୍ଥାରେ ଏହି ସବୁ ଖଲିପତ୍ରକୁ ଡିପୋରେ ଦିଆଯାଉଥିଲା। ଟ୍ରକ୍‌ରେ ବୋଝେଇ ହୋଇ ଖଲି ଯାଉଥିଲା। କିନ୍ତୁ ପ୍ଲାଷ୍ଟିକ୍ ପ୍ଲେଟ୍ ବ୍ୟବହାରର ଚାହିଦା ବଢ଼ୁଥିବାରୁ ଆଉ କେହି ଖଲି ନେଉନାହାନ୍ତି। କେବଳ କାଁ ଭାଁ ପୂଜାପାଠ ଓ ମନ୍ଦିରର ଭୋଗରାଗ ଅର୍ପଣ ପାଇଁ ଖଲିପତ୍ର ଖୋଜାପଡ଼ୁଥିବା ତ୍ରିବେଣୀ କହିଛନ୍ତି।

ଅନ୍ୟପକ୍ଷରେ ତ୍ରିବେଣୀ ଏବେ ବି ଖଲିପତ୍ର ପ୍ରସ୍ତୁତ କରୁଥିବା କହିଛନ୍ତି। ଆବଶ୍ୟକ ଶିଆଳିପତ୍ର ସଂଗ୍ରହ କରିବା ପରେ ସଫା କରି ୧୦-୧୫ଟି ପତ୍ର ବ୍ୟବହାର କରି ଖଡ଼ିକା ସାହାଯ୍ୟରେ ଗୋଟିଏ ଖଲିପତ୍ର ପ୍ରସ୍ତୁତ ହେଉଛି। ଏହାପରେ ଖଲିଗୁଡ଼ିକୁ ଜନ୍ତା ଦିଆଯାଇ ପଥରଭାର ଦେଇ ରଖାଯାଉଛି। ୮୦ଟି ଖଲିରେ ଗୋଟିଏ ଚେକି ହେଉଥିବା ବେଳେ ତାକୁ ୫୦ ଟଙ୍କାରେ ବିକ୍ରି କରାଯାଉଛି। କିନ୍ତୁ ଲାଭ ମିଳୁନି ବୋଲି ସେ କହିଛନ୍ତି। କେବଳ ତ୍ରିବେଣୀ ନୁହେଁ, ତାଙ୍କ ଭଳି ଅନେକ ଖଲି ପ୍ରସ୍ତୁତକାରୀ ଏବେ‌ ରୋଜଗାର ହରାଇସାରିଛନ୍ତି। ସରକାର ଏଦିଗରେ ପ୍ରୋତ୍ସାହନ ଯୋଗାଇଲେ ପୂର୍ବାବସ୍ଥା ନିଶ୍ଚିତ ଭାବେ ଫେରିବ ବୋଲି ତ୍ରିବେଣୀ କହିଛନ୍ତି।
ସେହିପରି ପ୍ଲାଷ୍ଟିକ୍ ଓ ପଲିଥିନ୍‌ମୁକ୍ତ ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିଛନ୍ତି। ତଥାପି ବିଭିନ୍ନ ହୋଟେଲରେ ପ୍ଲାଷ୍ଟିକ୍ ପ୍ଲେଟ୍ ଓ କାଗଜର ବହୁଳ ବ୍ୟବହାର ବଢ଼ୁଛି। ଯାହାକି ଶରୀର ପକ୍ଷେ କ୍ଷତିକାରକ। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର