ଖଲ୍ଲିକୋଟ/ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ପୁଲିସ ଆଉ ଦୁଇଜଣଙ୍କୁ ଗୁଜରାଟର ରାଜକୋଟରୁ ଗିରଫ କରିଛି। ସେମାନେ ହେଲେ ଖଲ୍ଲିକୋଟ ଥାନା ଷ୍ଟେସନ୍‌ ରୋଡ୍‌ସ୍ଥିତ ମୋହନପୁର ଗ୍ରାମର ଆଶିଷ ସାହୁ ଓ ଶ୍ରୀକୃଷ୍ଣଶରଣପୁର ଗ୍ରାମର ଗୋପୀ ଗୌଡ଼। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଦୁଇଜଣଙ୍କୁ ମିଶାଇ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଗତ କିଛିଦିନ ତଳେ ଗଞ୍ଜାମ ପୁଲିସର ଏକ ଟିମ୍‌ ବେଙ୍ଗାଲୁରୁରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଯାହାର ସମ୍ପୃକ୍ତି ନେଇ ପ୍ରମାଣ ମିଳିବ, ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ ତରଫରୁ କୁହାଯାଇଛି।

Advertisment

ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତମାସ ୧୫ତାରିଖ ରାତିରେ ପୋଷ୍ଟର୍‌ ମରାକୁ କେନ୍ଦ୍ର କରି ବିଜେଡି ଗୋଷ୍ଠୀ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବିଜେପି ସମର୍ଥକ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଥିଲେ। ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ୪ଜଣିଆ ଏସ୍‌ଆଇଟି ଗଠନ କରାଯାଇଥିଲା। ଏସ୍‌ଆଇଟି ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି। ଆଜି ଗିରଫ ହୋଇଥିବା ଦୁଇଜଣ ଯୁବକ ଗୁଜରାଟର ରାଜକୋଟ ନିକଟସ୍ଥ ମୋର୍‌ବି ଅଞ୍ଚଳରେ ଲୁଚିଥିବା ନେଇ ସୂଚନା ମିଳିଥିଲା। ପୁଲିସ ଟିମ୍‌ ସେଠାରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।