ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଘଟିଥିବା ରାଜନୈତିକ ହିଂସା ଓ ହତ୍ୟା ଘଟଣାରେ ପୁଲିସ ଆଜି ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓରଫ୍‌ ମାଣ୍ଡା ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରାଇ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଏହି ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ଉଭୟେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି। ଉଭୟଙ୍କୁ ଖଲ୍ଲିକୋଟ ପୁଲିସ ଗିରଫ କରି ଏସ୍‌ଆଇଟିକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ବର୍ତ୍ତମାନ ମୋଟ ଗିରଫଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଇଲାକାରେ ସିଏପିଏଫ୍‌ ଓ ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯିବା ସହ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଏହା ସହ ୧୧ଟି ମୋବାଇଲ୍‌ ପାର୍ଟିକୁ ନିୟୋଜିତ କରାଯାଇଥିବା ପୁଲିସ ସୂଚନା ଦେଇଛି। ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପାଇଁ ଜଣେ ଏଏସ୍‌ପି ଖଲ୍ଲିକୋଟ ଥାନାରେ ରହିଛନ୍ତି।

Advertisment

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ତାରିଖ ରାତିରେ ପୋଷ୍ଟର୍‌ ମରାକୁ କେନ୍ଦ୍ର କରି ବିଜେଡି ଗୋଷ୍ଠୀ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବିଜେପି ସମର୍ଥକ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଥିଲେ। ଏହି ଘଟଣାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ୧୬ତାରିଖ ସକାଳେ ଉତ୍ତ୍ୟକ୍ତ ଜନତା ଓ ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇ ଘଟଣାର ଦୃଢ଼ ପ୍ରତିବାଦ କରିଥିଲେ। ସେପଟେ ପୁଲିସ ଏହି ଘଟଣାରେ ୯ଜଣଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ ପୁଲିସକୁ ଜନତାଙ୍କ ରାଗର ଶିକାର ହେବାକୁ ପଡ଼ିଥିଲା। ପଥର ମାଡ଼ରେ କିଛି ପୁଲିସ ଆହତ ହୋଇଥିବା ବେଳେ କେତେକ ଲୋକ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ପରେ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ୪ଜଣିଆ ଏସ୍‌ଆଇଟି ଗଠନ କରାଯାଇଥିଲା। ଏସ୍‌ଆଇଟି ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହି ମାମଲାରେ ଯାହାର ସମ୍ପୃକ୍ତି ଜଣାପଡ଼ିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ସେପଟେ ଏଡିଜି ଆର୍‌କେ ଶର୍ମା ମଧ୍ୟ ଛତ୍ରପୁରରେ ରହି ପୂରା ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଛନ୍ତି।