ବ୍ରହ୍ମପୁର/ଖଲ୍ଲିକୋଟ/ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ ରାତିରେ ପୋଷ୍ଟର୍‌ ମରାକୁ ନେଇ ଘଟିଥିବା ରାଜନୈତିକ ହିଂସା ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି (ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ)। ଆଜି ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଏହି ଟିମ୍‌ ଶ୍ରୀକୃଷ୍ଣଶରପୁର ଗ୍ରାମରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ସ୍ଥାନରୁ ନମୁନା ଓ ମାଟି ସଂଗ୍ରହ କରିଥିଲା। ସେହିପରି ଡିଏସ୍‌ପି ଓ ଅନ୍ୟ ଅଧିକାରୀ ମୃତ ଦିଲୀପ ପାହାନଙ୍କ ପରିବାରବର୍ଗଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଦିଗରୁ ଏସ୍‌ଆଇଟି ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା। ଏହା ପରେ ଖଲ୍ଲିକୋଟ ଥାନାରେ ପହଞ୍ଚି ଏସ୍‌ଆଇଟି ମାମଲା ସମ୍ପର୍କିତ ବିଭିନ୍ନ କାଗଜପତ୍ର ସଂଗ୍ରହ କରିଥିବା ସୂଚନା ମିଳିଛି। ସେପଟେ ଏହି ହତ୍ୟାକାଣ୍ଡ ପଛରେ ବିଜେଡିର ସମ୍ପୃକ୍ତି ଥିବା ନେଇ ବିଜେପି ଏବଂ ସାଧାରଣ ଜନତାଙ୍କ ଆଡୁ ଅଭିଯୋଗ ହୋଇଥିଲା। ଆଜି ବିଜେଡି ତରଫରୁ ଖଲ୍ଲିକୋଟ ଯୁବରାଜ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସମଗ୍ର ଘଟଣାରେ ଦଳୀୟ ସଂପୃକ୍ତି ଅଭିଯୋଗକୁ ଖଣ୍ଡନ କରାଯାଇଛି।

Advertisment

ଖଲ୍ଲିକୋଟ ରା‌ଜନୈତିକ ହିଂସା ଓ ହତ୍ୟା ଘଟଣାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବର ସହ ନେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇଟି ଗଠନ କରାଯାଇଛି। ଆଜି ସକାଳେ ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଗଞ୍ଜାମର ଆଇଶୃଙ୍ଖଳା ତଦାରଖ ଦାୟିତ୍ବ ନେଇଥିବା ଏଡି‌ଜି ଆର୍‌କେ ଶର୍ମା, ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି ଜୟନାରାୟଣ ପଙ୍କଜ ଓ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରି କିଛି ବଛାବଛା ଅଧିକାରୀଙ୍କୁ ନେଇ ଖଲ୍ଲିକୋଟ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଥିଲା। ଗଞ୍ଜାମ ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଥିବା ଡିଏସ୍‌ପି ମର୍ଷି ପୂର୍ତ୍ତିଙ୍କ ନେତୃତ୍ବରେ ଏକ ୪ଜଣିଆ ଏସ୍‌ଆଇଟି ଗଠନ କରି ସେମାନଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଏ ସମ୍ପର୍କରେ ଏଡିଜି ଶର୍ମା କହିଛନ୍ତି, ଏକ ୪ଜଣିଆ ଏସ୍‌ଆଇଟି ଗଠନ କରାଯାଛି। ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ, ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜିଙ୍କୁ ଏହି ଟିମ୍‌ ରିପୋର୍ଟ କରିବେ। ଖଲ୍ଲିକୋଟ ହିଂସା ଘଟଣାର ପ୍ରତ୍ୟେକ ଦିଗ ଉପରେ ଏହି ଟିମ୍‌ ତଦନ୍ତ କରିବେ। ଘଟଣା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯେଉଁମାନଙ୍କ ସମ୍ପୃକ୍ତି ଆସିବ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଶ୍ରୀକୃଷ୍ଣଶରଣପୁର ଗ୍ରାମର ପ୍ରତ୍ୟେକ ବୁଥ୍‌କୁ ଅତି ସମ୍ବେଦନଶୀଳ ବୁଥ୍‌ ଭାବେ ଘୋଷଣା କରାଯାଇଛି।

ମତଦାନ ଦିନ ମୋବାଇଲ୍‌ ପାର୍ଟି ନିୟୋଜିତ ରହିବେ। ଅଧିକାଂଶ ବୁଥ୍‌ରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯିବ। ସେହିପରି ପାଟ୍ରୋଲିଂ ପାଇଁ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ ଜାରି ରହିଥିବା ସୂଚନା ଦିଆଯାଇଛି। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଶଶୀଭୂଷଣ ମହାନ୍ତି, ବିଜେଡି ନେତା ‌ଦୈତ୍ୟାରି ବେହେରା, ରାମମୋହନ ପଣ୍ଡା, ରତ୍ନାକର ସାହୁ, ନାରାୟଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀକୃଷ୍ଣଶରଣପୁର ଘଟଣାର ଦୃଢ଼ ନିନ୍ଦା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଘଟଣାକୁ ରାଜନୈତିକ ରୂପ ଦେବାକୁ ଯେଉଁମାନେ ଚକ୍ରାନ୍ତ କରୁଛନ୍ତି, ବିଜେଡି ଏହାର ଦୃଢ଼ ନିନ୍ଦା କରୁଛି। ଘଟଣା ଘଟିବା ସମୟରେ ଖଲ୍ଲିକୋଟ ରାଜବାଟୀରେ କର୍ମୀ ସମ୍ମିଳନୀ ଚାଲିଥିଲା। ସେଠାରେ ସମସ୍ତ କର୍ମୀ ଥିଲେ। ପୋଷ୍ଟର୍‌ ମରା ଘଟଣାକୁ ନେଇ ହତ୍ୟା ଘଟି ନାହିଁ। ଆକ୍ରମଣକାରୀ ବିଜେଡିର ନୁହନ୍ତି ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଖଲ୍ଲିକୋଟ ବିଜେଡି ତରଫରୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ବିଜେଡିରେ ନଥିଲେ। ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ବିରୋଧରେ ଏଭଳି ଅଭିଯୋଗ କରାଯାଇଛି ବୋଲି ଦୈତ୍ୟାରି କହିଛନ୍ତି।

ଡିଜିପିଙ୍କଠାରୁ ରିପୋର୍ଟ ତଲବ କଲେ ଇସିଆଇ
ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)। ରାଜ୍ୟ ପ୍ରଶାସନ ଏହି ମାମଲାର ତଦନ୍ତ କରିବା ସହିତ ତୁରନ୍ତ ହିଂସାକାଣ୍ଡରେ ସଂପୃକ୍ତଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତିନିଦିନ ପୂର୍ବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁରରେ ପୋଷ୍ଟର୍‌ ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପିର ଯୁବ ଗୋଷ୍ଠୀ ମୁହାଁମୁହିଁ ହେବାରୁ ହିଂସାକାଣ୍ଡ ଘଟି ଜଣକର ମୃତ୍ୟୁ ଘଟିଥିଲା। ମୁକ୍ତ, ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ଗୁରୁତ୍ବ ଦେଉଥିବାବେଳେ ଯେଭଳି ନିର୍ବାଚନୀ ହିଂସାକାଣ୍ଡ ନଘଟେ ସେଥି ପାଇଁ ଆୟୋଗଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ଏହାର ତଦନ୍ତ ପାଇଁ ଡିଜିପି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି।