ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତବର୍ଷ ଅଗଷ୍ଟ ପହିଲାରୁ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଏକକ ବିଶ୍ବବିଦ୍ୟାଳୟରେ ରୂପାନ୍ତର ହୋଇଛି। ଉଭୟ ଇଂରାଜୀ ଓ ଓଡ଼ିଆରେ ପୂର୍ବରୁ ଲେଖାଥିବା ମହାବିଦ୍ୟାଳୟ ସ୍ଥାନରେ ବିଶ୍ବବିଦ୍ୟାଳୟ ଏବଂ ପ୍ରତିଷ୍ଠା ବର୍ଷ ୧୮୭୮କୁ ବଦଳାଇ ୨୦୨୧ କରାଯାଇଛି। ଏହାକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
୧୪୩ ବର୍ଷର ଏହି ପୁରୁଣା ଶିକ୍ଷାନୁଷ୍ଠାନର ସ୍ମୃତିରକ୍ଷା ପାଇଁ ମହାବିଦ୍ୟାଳୟର ସ୍ଥାପନ ବର୍ଷକୁ ତୋରଣରେ ସ୍ଥାନିତ କରିବା ପାଇଁ ଦାବି ହୋଇଛି। ୧୯୦୯ ମସିହାରେ ତତ୍କାଳୀନ ଧରାକୋଟ ରାଜା ମଦନମୋହନ ସିଂଦେଓଙ୍କ ଦ୍ବାରା ଏକ ଦୁଇତଳ ବିଶିଷ୍ଟ କୋଠାରେ ଏକ ବିଜ୍ଞାନାଗାର ସ୍ଥାପନ ହୋଇଥିଲା। ଏ ସମ୍ପର୍କିତ ଏକ ଉଦ୍ଘାଟନୀ ଫଳକ ସେଠାରେ ରହିଥିଲା। ତେବେ ଏହାକୁ ସୁରକ୍ଷା ନଦେଇ ଭାଂଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏକକ ବିଶ୍ବବିଦ୍ୟାଳୟ ଇତିହାସକୁ ବହନ କରୁଥିବା ଫଳକକୁ ବଦଳାଇବା ପ୍ରୟାସ କରାଯାଉଥିବାରୁ ପୁରାତନ ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଭାରପ୍ରାପ୍ତ କୁଳପତିଙ୍କୁ ଭେଟି ଏ ସମ୍ପର୍କରେ ପ୍ରତିବାଦ ଜଣାଇଛନ୍ତି।
ଇତିହାସ କହେ, ବର୍ତ୍ତମାନ ଯେଉଁଠି ବିଶ୍ବବିଦ୍ୟାଳୟ ରହିଛି, ୧୮୫୬ ମସିହାରେ ସେଠାରେ ପ୍ରଥମେ ଜିଲ୍ଲା ସ୍କୁଲ ସ୍ଥାପନ ହୋଇଥିଲା। ୧୮୭୮ରେ ଏଠାରେ ଆରମ୍ଭ ହୋଇଥିବା ଇଣ୍ଟର୍ମିଡିଏଟ୍ କଲେଜର ନାମ ବ୍ରହ୍ମପୁର କଲେଜ ରଖାଯାଇଥିଲା। ୧୯୪୪ରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଲିଙ୍ଗରାଜ ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ମହାବିଦ୍ୟାଳୟ ଡିଗ୍ରି କଲେଜରେ ପରିଣତ ହୋଇଥିଲା। ୧୯୬୩ ମସିହାରେ ଏହି ମହାବିଦ୍ୟାଳୟରେ ସ୍ନାତକୋତ୍ତର ଯୋଡ଼ି ହୋଇଥିଲା। ଏବେ ଏହି ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟଟି ଏକକ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ସୁପ୍ରିମ୍କୋଟ ଜଷ୍ଟିସ୍ ବାଚୁ ଜଗନ୍ନାଥ ଦାସ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ, ପୂର୍ବତନ ବିଚାରପତି ବାଳକୃଷ୍ଣ ରାଓ, ପୂର୍ବତନ ରାଜ୍ୟପାଳ ବିଶ୍ବନାଥ ଦାଶ, ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଭାଇସ୍ ଆଡମିରାଲ୍ ଇଣ୍ଡିଆ ହରିଲାଲ୍ ଶର୍ମା, ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରି, ଇସ୍ରୋ ବୈଜ୍ଞାନିକ କୋଟା ହରିନାରାୟଣଙ୍କ ଭଳି ବହୁ ଖ୍ୟାତନାମା ବ୍ୟକ୍ତି ଏହି ଅନୁଷ୍ଠାନର ପୁରାତନ ଛାତ୍ରଥିଲେ।