ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ଅବମାନନା: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ୫୦ ଅତିଥି ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର

୪ଟି ବିଭାଗରେ ଶିକ୍ଷକ ଶୂନ, ପାଠପଢ଼ା ବାଧାପ୍ରାପ୍ତ

ବ୍ରହ୍ମପୁର : ‘ଶ୍ରେଣୀଗୃହ ପାଠପଢ଼ା ଏବେ ଜୋର୍‌ସୋର୍‌ରେ ଚାଲିଥିବାରୁ ବିଭିନ୍ନ ସରାକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଅତିଥି ଅଧ୍ୟାପକଙ୍କୁ ଆସନ୍ତା ଅଗଷ୍ଟ୩୧ ପର୍ଯ୍ୟନ୍ତ ଶିକ୍ଷକତା କରିବା ପାଇଁ ସ‌ୁଯୋଗ ଦିଆଯାଉ। ନୂଆ ଅତିଥି ଅଧ୍ୟାପକ ଚୟନ ଆସନ୍ତା ଜୁଲାଇ-ଅଗଷ୍ଟରେ କରାଯିବ, ଏମାନଙ୍କ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବର ପହିଲାରୁ ୨୦୨୪ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିବ। ଏହି ନୂଆ ଅତିଥି ଅଧ୍ୟାପକ ଚୟନ ପାଇଁ ପରିବର୍ତ୍ତିତ ଗାଇଡ୍‌ଲାଇନ୍ ମଧ୍ୟ ଯଥା ସମୟରେ ପ୍ରକାଶ ପାଇବ। ଏହା ହେଉଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ମହାବିଦ୍ୟାଳୟ ଗୁଡ଼ିକୁ ଗତମାସ ୨୦ତାରିଖରେ ପତ୍ର ମାଧ୍ୟମରେ ଜାରି କରାଯାଇଥିବା ନିର୍ଦ୍ଦେଶ। କିନ୍ତୁ ଗତ ଅଗଷ୍ଟ ପହିଲା‌ରେ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ରୂପାନ୍ତର ହୋଇଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଏହି ନିର୍ଦ୍ଦେଶର ଅନୁପାଳନ ହୋଇନଥିବା ଦେଖିବାକୁ ମିଳିଛି।

ପ୍ରାୟ ୫୦ଜଣ ଅତିଥି ଅଧ୍ୟାପକଙ୍କୁ ଗତ ମାସ ୩୦ ରେ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଛି। ତାହା ପୁଣି ମୌଖିକ ଭାବେ। ସମସ୍ତ ବିଭାଗ ମୁଖ୍ୟଙ୍କୁ ସେମାନଙ୍କ ବିଭାଗର ଅତିଥି ଅଧ୍ୟାପକଙ୍କୁ ମେ ପହିଲାରୁ ନଆସିବା ପାଇଁ ଫୋନ୍‌ରେ କହି ଦେବାକୁ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁଆଡ଼େ ଚିଠି ହୋଇଥିଲା। କେବଳ ସେତିକି ନୁହେଁ ଗତମାସ ଶେଷ ସପ୍ତାହରେ ନୂଆ ଅତିଥି ଅଧ୍ୟାପକଙ୍କ ଚୟନ ପ୍ରକିୟା ମଧ୍ୟ ଅନୁଷ୍ଠିତ ହୋଇସାରିଥିବା ସୂଚନା ମିଳିଛି। ତେବେ କଣ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଏହି ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ପ୍ରଯୁଜ୍ୟ ନୁହେଁ କି? ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲା ପରେ ଅତିଥି ଅଧ୍ୟାପକ ଚୟନ କରିବା ପାଇଁ ଏହି ଉଚ୍ଚଶିକ୍ଷାନୁଷ୍ଠାନ ନିଜର ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିପାରିବ କି? ସାଧାରଣରେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଛି। କିନ୍ତୁ ଏସମ୍ପର୍କରେ ପ୍ରତିକ୍ରିୟା ଦେବାକୁ କର୍ତ୍ତୃପକ୍ଷ ଅରାଜି ହେଉଛନ୍ତି। ଅନ୍ୟପକ୍ଷେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ସମସ୍ତ ଅତିଥି ଅଧ୍ୟାପକଙ୍କ କାର୍ଯ୍ୟକାଳକୁ ଆସନ୍ତା ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଦକ୍ଷିଣ ଓଡ଼ିଶାର ଏହି ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନରେ ୧୮ଟି ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଥିବା ବେଳେ ସ୍ଥାୟୀ ଶିକ୍ଷକଙ୍କ ସଂଖ୍ୟା ୨୦ରେ ସୀମିତ ରହିଛି। ଏଥିସହ କିଛି ଆଡହକ୍‌ ଶିକ୍ଷକ ମଧ୍ୟ ଅଛନ୍ତି। ଫଳରେ ଶିକ୍ଷାଦାନ ପ୍ରଭାବିତ ହେଉଛି। ଅତିଥି ଅଧ୍ୟାପକଙ୍କ ଦ୍ବାରା ଏହି ଅଭାବ ପୂରଣ ହେଉଥିଲା। କୋଭିଡ୍‌ର ତୃତୀୟ ଲହର୍‌ ପରେ ଶ୍ରେଣୀଗୃହ ପାଠପଢ଼ା କିଛି ମାସ ହେଲା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବ୍ୟାଚ୍‌ର ଶେଷ ସେମିଷ୍ଟର ପାଠପଢ଼ା ଶେଷ ହୋଇନାହିଁ। କିନ୍ତୁ ହଠାତ୍ ଚଳିତମାସ ପହିଲାରୁ ସମସ୍ତ ଅତିଥି ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଛି। ଫଳରେ ପୁନଃ ପାଠପଢ଼ା ପ୍ରଭାବିତ ହୋଇଛି। ଅର୍ଥନୀତି, ପରିସଂଖ୍ୟାନ, ହିନ୍ଦୀ ଏବଂ ବିଇଡିରେ ଜଣେ ବି ସ୍ଥାୟୀ ଶିକ୍ଷକ ନାହାନ୍ତି। ନୂଆ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ଏହିସବୁ ବିଭାଗ ଶିକ୍ଷକ ଶୂନ୍ୟ ହୋଇପଡ଼ିଛି। ଫଳରେ ଏହି ବିଭାଗ ଗୁଡ଼ିକରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି।

ସମ୍ବନ୍ଧିତ ଖବର