ବ୍ରହ୍ମପୁର : ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକଦା ସାରା ରାଜ୍ୟରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ଖଲ୍ଲିକୋଟ ମହାବିଦ୍ୟାଳୟ ଗତବର୍ଷ ଅଗଷ୍ଟରେ ବିଶ୍ବବିଦ୍ୟାଳୟରେ ରୂପାନ୍ତର ହୋଇଛି। ରୂପାନ୍ତରଣ ପରେ ଏହି ଅନୁଷ୍ଠାନରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। ଏହାର ସ୍ନାତକ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀମାନେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବେଳେ ଗତବର୍ଷ ଠାରୁ ଏହି ବିଶ୍ବବିଦ୍ୟାଳୟ ତା’ର ଅସ୍ତିତ୍ବ ହରାଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଲୋପ ହୋଇଛି। ତେବେ ଉକ୍ତ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ସାର୍ଟିଫିକେଟ୍ ପ୍ରଦାନ ଆଦି ପ୍ରାଶାସନିକ କାର୍ଯ୍ୟ ସମ୍ପାଦନ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।
ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟକୁ ରାଜ୍ୟସରକାର ୨୦୨୦-୨୧ ଶିକ୍ଷାବର୍ଷରେ ଗବେଷଣାତ୍ମକ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ସହ ଏହା ଅଧୀନରେ ଥିବା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ସହ ଅନ୍ୟ ୪ ମହାବିଦ୍ୟାଳୟକୁ ପୁନଃ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଫେରାଇ ନେଇଥିଲେ। ଫଳରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭୟ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀମାନେ ଏବେ ଦ୍ବିତୀୟ ବର୍ଷରେ ପଦାର୍ପଣ କରିବା ସହ ସେମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧୀନସ୍ଥ ଅଛନ୍ତି।
ପୁଣି ଗତବର୍ଷ ଏହି ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ରୂପାନ୍ତର କରି ଦିଆଯାଇଥିଲା। ଫଳରେ ୨୦୨୧-୨୨ଶିକ୍ଷାବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ହିଁ କେବଳ ଏହି ବିଶ୍ବବିଦ୍ୟାଳୟର ଅଧୀନସ୍ଥ ଅଟନ୍ତି। ଘଡ଼ିକେ ଘୋଡ଼ା ଛୁଟିବା ନ୍ୟାୟରେ ରାଜ୍ୟସରକାରଙ୍କ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନର ଏହା ପରିଣାମ। ଗୋଟିଏ ଅନୁ୍ଷ୍ଠାନରେ ତିନିଟି ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ ଅଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଏପରି ମଝିରେ ମଝିରେ ଏକାଧିକ ବାର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ର ଉତ୍ତେଜନା ମଧ୍ୟ ଦେଖିବାକୁ ମିଳୁଛି।
ବିଶ୍ବବିଦ୍ୟାଳୟ ଘୋଷଣା ହେବାର ୯ମାସ ବିତିଗଲା ପରେ ମଧ୍ୟ ଏହାର ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି। ବିଶେଷକରି ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି, ଅଣଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ହ୍ରାସ ଘଟିଛି। ଏପର୍ଯ୍ୟନ୍ତ ଏହି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିନହିଁ। କେବଳ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣେ କୁଳପତିଙ୍କୁ ନିଯୁକ୍ତ କରାଯାଇଛି। କୁଳସଚିବ ଭାବେ ଜଣେ ଓଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ବିଶ୍ବବିଦ୍ୟାଳୟ ଘୋଷଣା ହେବାପରେ ମଧ୍ୟ ରୂପାନ୍ତରଣ ପ୍ରକ୍ରିୟା ପ୍ରାୟ ୨ବର୍ଷ ଲାଗିବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଉଦ୍ଘାଟନୀ ଦିବସରେ ପ୍ରକାଶ କରିଥିଲେ। କିନ୍ତୁ ଏହି ପ୍ରକ୍ରିୟା ବେଶ୍ ମନ୍ଥର ଗତିରେ ହେଉଥିବା ଅନୁମେୟ ହେଉଛି। ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନର ଗୌରବ ରକ୍ଷା ପାଇଁ ସ୍ବତନ୍ତ୍ର ଉଦ୍ୟମ ହେବା ଆବଶ୍ୟକ ବୋଲି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/17-4.jpg)