ଉଚ୍ଚଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବ : ୫ ବର୍ଷରେ ବଦଳିଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ରୂପ

ଗବେଷଣା ଉପରେ ଦିଆଯିବ ଅଧିକ ଗୁରୁତ୍ବ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଫେରି‌ଯିବେ ଅଧୀନସ୍ଥ କଲେଜ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗର ଦୂରଦୃଷ୍ଟିର ଅଭାବ ଏବେ ପଦାରେ ପଡ଼ିଛି। ଆଗ ପଛ ବିଚାର କରା ନଯାଇ ୨୦୧୫ରେ ପ୍ରତିଷ୍ଠା କରାଯାଇଥିବା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ରୂପରେଖ ବଦଳାଇବାକୁ ଏବେ ନିଷ୍ପତ୍ତି ହୋଇଛି। କ୍ଲଷ୍ଟର ବଦଳରେ ଏହାକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବା ସହ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ପୂର୍ବ ଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଫେରିଯିବ। ୫ ବର୍ଷ ଭିତରେ ବିଭାଗୀୟ ଅଧିକାରୀମାନଙ୍କ ନିଷ୍ପତ୍ତିରେ ପରିବର୍ତନକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ବୋଲି ଆଉ କିଛି ରହିବନି। ଏହା ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜ ପୁଣିଥ‌ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଫେରିଯିବ। ରେଭେନ୍ସା ବିଶ୍ବବିଦ୍ୟାଳୟ ପରି ଏହାର ରୂପରେଖ କରାଯିବ। ବିଶ୍ବବିଦ୍ୟାଳୟରେ ସ୍ନାତକ, ସ୍ନାତକୋତ୍ତର, ଏମ୍‌.ଫିଲ୍‌, ପିଏଚ୍‌ଡି ଆଦି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ତେବେ ପାଠପଢ଼ା ସହିତ ଛାତ୍ରଛାତ୍ରୀ, ଅଧ୍ୟାପକ, ପ୍ରଫେସରମାନେ କିଭଳି ଗବେଷଣା ମନସ୍କ ହୋଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯିବ। ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଦିଲ୍ଲୀ ପରି ରାଜ୍ୟରେ ଗବେଷଣା ପାଇଁ ଯେଉଁଭଳି ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ନିର୍ମାଣ ହୋଇଛି, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ମଧ୍ୟ ସେଭଳି ଭାବେ ଗଢ଼ି ‌ତୋଳିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଏସ୍‌ବିଆରଜି ସ୍ବୟଂଶାସିତ ମହାବିଦ୍ୟାଳୟ, ବ୍ରହ୍ମପୁରସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜ, ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ଗୋପାଳପୁର ଡିଗ୍ରି କଲେଜ ପୁଣିଥରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଫେରିଯିବ। ତେବେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ କାହା ଅଧୀନରେ ରହିବ, ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ୨୦୧୫ରେ ଉକ୍ତ କଲେଜଗୁଡ଼ିକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଅଲଗା ହୋଇ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟରେ ସାମିଲ ହୋଇଥିଲେ। ଆସନ୍ତା ଜୁନ୍‌ ପ୍ରଥମ ସପ୍ତାହୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ।

ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି; ବିଭାଗକୁ ହୃଦ୍‌ବୋଧ ହୋଇଛି ଯେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଠିକ୍‌ ଭାବେ କାର୍ଯ୍ୟ କରିପାରୁ ନାହିଁ। ତେଣୁ ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ଧାରା ୩୨ର ଉପଧାରା(୧) ଓ (୨) ଅନୁସାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ପରିବର୍ତନ କରାଯାଇଛି। ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଏବେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀ ପୂର୍ବଭଳି ବିଶ୍ବବିଦ୍ୟାଳୟ ଅଧୀନରେ ରହିବେ। ସେମାନଙ୍କ ପାଠପଢ଼ା ସରିବା ପର୍ଯ୍ୟନ୍ତ ‌ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାବେ ଗଣାଯିବେ।

ସମ୍ବନ୍ଧିତ ଖବର