ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଲୀନ ହେବ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ଯେଉଁଠୁ ଆରମ୍ଭ ସେଇଠି ଶେଷ

ସ୍ବପ୍ନରେ ଅଟକିଗଲା ‘ସତ୍‌-ଚିତ୍‌-ଆନନ୍ଦ’ ବିହାର

ବ୍ରହ୍ମପୁର: ୬ ବର୍ଷ ଧରି ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଥିବା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଶେଷରେ ନିଜର ସତ୍ତା ହରାଇଛି। ଆସନ୍ତା ଅକ୍ଟୋବର୍‌ ପହିଲାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହା ବିଲୀନ ହୋଇଯିବ ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହି ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ମିଶ୍ରଣ କରାଯିବ। ଏହି ସମୟ ମଧ୍ୟରେ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା (ବ୍ୟାକ୍ ପେପର୍ ସମେତ) ଶେଷ କରାଯାଇ ଫଳ ପ୍ରକାଶ କରାଯିବ।

ଏହାପରେ ଡିଗ୍ରି, ମାର୍କ, ସାର୍ଟିଫିକେଟ୍‌ ଆଦି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯିବ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ସମସ୍ତ ନଥିପତ୍ର, ସମ୍ପତ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରାଯିବ। ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଜମିକୁ ରାଜସ୍ବ ବିଭାଗକୁ ଫେରାଇ ନିଆଯିବ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ସମସ୍ତ ସ୍ଥାୟୀ କର୍ମଚାରୀ ଅକ୍ଟୋବର ପହିଲାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ଭାବେ ପରିଗଣିତ ହୋଇ ସେଠାରୁ ଦରମା ପାଇବେ ବୋଲି ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଗତ ୨୦୧୫ମସିହା ଏପ୍ରିଲ୍ ୨୯ରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ପ୍ରଥମେ ଏହାର ଅଗ୍ରଣୀ ମହାବିଦ୍ୟାଳୟ ଭାବେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା। କନିଷିସ୍ଥିତ ପାଲୁର୍‌ ହିଲ୍ ଠାରେ ଏହାର ପ୍ରଶାସନିକ କୋଠା ସହ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ଏକର ଜାଗା ଚିହ୍ନଟ ହୋଇଥିଲା। ଏଥିସହ ୨୦୧୬ରେ ଏହି ମହାବିଦ୍ୟାଳୟ ପରିସରରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ପୁନଃ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଉ ଏକ ଶିଳାନ୍ୟାସ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥିଲା।

ଫଳରେ ୨୦୧୯ମସିହାରେ କନିଷିସ୍ଥିତ ଏକ ଭଡ଼ା ଘରକୁ ଏହି ବିଶ୍ବବିଦ୍ୟାଳୟ ସ୍ଥାନାନ୍ତର ହୋଇଥିଲା। ଗତବର୍ଷ ଜୁଲାଇ ପହିଲାରେ ପୂର୍ବରୁ ପାଲୁର୍‌ ହିଲ୍‌ଠାରେ ଚିହ୍ନଟ ସ୍ଥାନରେ ବିଶ୍ବବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୁଣିଥରେ ଶିଳାନ୍ୟାସ ହୋଇଥିଲା। କୋଭିଡ୍ ସ୍ଥିତି ଯୋଗୁଁ ରାଜ୍ୟପାଳ ଭିଡିଓ କନ୍‌ଫରେନ୍ସିଂରେ ଏହାର ଶିଳାନ୍ୟାସ କରିଥିଲେ। ସେଠାରେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବା ପରେ ଏହି ବିଶ୍ବବିଦ୍ୟାଳୟର ଅନ୍ୟ ଏକ ନାମ ସତ୍‌-ଚିତ୍-ଆନନ୍ଦ ବିହାର ରଖାଯିବା ପାଇଁ ସ୍ଥିର ହୋଇଥିଲା। ସିପିଡବ୍ଲୁଡିକୁ ଏହାର ନିର୍ମାଣ ଦାୟିତ୍ବ ପ୍ରଦାନ କରାଯାଇଥିଲା। ମାତ୍ର ନିଅଁ ଖୋଳରେ ଏହି ନିର୍ମାଣ କାର୍ଯ୍ୟସୀମିତ ରହିଥିଲା। ଏବେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଏହି ବିଶ୍ବବିଦ୍ୟାଳୟଟି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମିଶିଯିବ। ଅର୍ଥାତ୍‌ ଦିନେ‌ ଯେଉଁଠାରେ ଏହି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ମୂଳଦୁଆ ପଡ଼ିଥିଲା, ଏବେ ସେହିଠାରେହିଁ ଏହି ଅନୁଷ୍ଠାନଟି ବିଲୀନ ହେବାକୁ ଯାଉଛି। ଅନ୍ୟପକ୍ଷେ ପୂର୍ବତନ କୁଳପତି ଅବସର ଗ୍ରହଣ କରିବା ପୂର୍ବରୁ ପାଲୁର୍‌ ହିଲ୍‌ଠାରେ ଶିଳାନ୍ୟାସ କରାଇ ଯେଉଁ ସତ୍‌-ଚିତ୍-ଆନନ୍ଦ ବିହାରର ସ୍ବପ୍ନ ବୁଣିଥିଲେ, ତାହା ସେଇ ସ୍ବପ୍ନରେ ହିଁ ଅଟକିଗଲା।

ପ୍ରଥମେ କ୍ଲଷ୍ଟର୍, ଏହାପରେ ଏକକ ପୁଣି ଗବେଷଣାତ୍ମକ ଏଭଳି ୬ବର୍ଷ ମଧ୍ୟରେ ଭିନ୍ନଭିନ୍ନ ପରିଚୟ ନେଇ ତିଷ୍ଠି ରହିଥିଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ। ଏପରିକି ନିଜର ସ୍ଥାୟୀ ଠିକଣା ମଧ୍ୟ ସୃଷ୍ଟି କରିପାରିନଥିଲା। ଶେଷରେ ଏକ ଭଡ଼ାଘରେ ଏହି ବିଶ୍ବବିଦ୍ୟାଳୟ ପରିଚାଳିତ ହେଉଥିଲା। କିନ୍ତୁ କିଛିଦିନ ତଳେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ରୂପାନ୍ତର କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନି‌ଷ୍ପତ୍ତି ନେଇଥିଲା। ଏହାପରେ ଏହି ବିଶ୍ବବିଦ୍ୟାଳୟର ଅସ୍ତିତ୍ବ ସଂକଟ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଆଜି ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଏଥିରେ ପୂର୍ଣ୍ଣଛେଦ ପକାଇ ଦେଇଛି।

ସମ୍ବନ୍ଧିତ ଖବର