ଖଣ୍ଡପଡ଼ା : ଖଣ୍ଡପଡ଼ା କଳା ବିକାଶ ପରିଷଦ ଆନୁକୂଲ୍ୟରେ ଖଣ୍ଡପଡ଼ା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହୋତ୍ସବ କମିଟି ସଭାପତି ପ୍ରଦୀପ୍ତ କିଶୋର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ଯୋଗଦେଇ ଖଣ୍ଡପଡ଼ାକୁ ଭଲପାଇବା ଆଜି ଏକ ମହୋତ୍ସବରେ ପରିଣତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ବିଧାୟକଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସମସ୍ତେ ଏକ ହୋଇ କାମ କରିବାକୁ ସେ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଜୀତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ଯୋଗ ଦେଇ ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ କିଭଳି ବିଶ୍ୱରେ ଖଣ୍ଡପଡ଼ାର ପରିଚୟ ହୋଇପାରିଛି ସେ ବିଷୟରେ ମତବ୍ୟକ୍ତ କରିଥିଲେ। ଆଜିର ଯୁବପିଢ଼ି ଖଣ୍ଡପଡ଼ାର ଇତିହାସ ନିହାତି ଜାଣିବା ଦରକାର। କେବଳ ସାମନ୍ତ ନୁହଁନ୍ତି, ଦୀନବନ୍ଧୁ ଖାଡ଼ଙ୍ଗା ମଧ୍ୟ ବହୁ କଷ୍ଟ ସ୍ୱୀକାର କରି ଭାଗବତର ଦ୍ୱାଦଶ ସ୍କନ୍ଧ ଖଣ୍ଡପଡା ମାଟିରେ ଲେଖିଥିଲେ, ଯାହା ଆଜିର ଯୁବପିଢିକୁ ହୁଏତ ଜଣା ନ ଥିବ। ଏହି ମହାପୁରୁଷଙ୍କ ପାଇଁ ଖଣ୍ଡପଡ଼ାର ଇତିହାସ କେତେ ରୁଦ୍ଧିମନ୍ତ ତାହା ସହଜେ ଅନୁମେୟ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବୀ ଦୁଷ୍ମନ୍ତ ସ୍ୱାଇଁ ଖଣ୍ଡପଡ଼ା ମାଟିର ମହକକୁ ବିଶ୍ୱର କୋଣ ଅନୁକୋଣରେ ଥିଲେ ମଧ୍ୟ ଭୁଲିହେବ ନାହିଁ ବୋଲି କହିଥିଲେ।
ଆବାହକ ଦୀନବନ୍ଧୁ ଦାସ ବିଶାଳ ମହୋତ୍ସବ ପାଈଁ ରାସ୍ତା ପ୍ରଶସ୍ତ ହୋଇଛି ବୋଲି ମତବ୍ୟକ୍ତ କରିଥିବାବେଳେ ପ୍ରଦୀପ୍ତ କିଶୋର ମିଶ୍ର ଖଣ୍ଡପଡ଼ା ମହୋତ୍ସବ ଅଗଣିତ ଜନସାଧାରଣଙ୍କ ମଧ୍ୟରେ ଭାଇଚାରାର ନୂଆ ପରିଭାଷା ସୃଷ୍ଟି କରିଛି ବୋଲି କହିଥିଲେ। ଏହି ଅବସରରେ ଧୀରେନ କୁମାର ସାମନ୍ତସିଂହାରଙ୍କୁ ସମ୍ମାନିତ କରାଯାଇଥିଲା। ରୁପାଲି ସାହୁ ଓ ମୋନାଲି ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବରୁ ମହୋତ୍ସବ ସ୍ଥଳରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ରୋଟାରି କଟକ ତରଫରୁ ଆୟୋଜନ କରାଯାଇଥିଲା। ଅପରାହ୍ନରେ ଦାସକାଠିଆ, ମ୍ୟାଜିକ୍, ଓଡ଼ିଶୀ କାର୍ଯ୍ୟକ୍ରମ ଆଦି ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଖୋର୍ଦ୍ଧା ପାଇକ ଆଖଡା ଓ ଗୀତ ଆସର ତରଫରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/khandapada-1.jpg)