ଭାରତରେ ପ୍ରଥମ : ଖପୁରିଆ ଆଇଟିଆଇରେ ଖୋଲିବେ ‘ଷ୍ଟେମ ପରୀକ୍ଷାଗାର’

କଟକ : ଛାତ୍ରଛାତ୍ରୀ କେବଳ କଲେଜ ପାଠ୍ୟକ୍ରମ ଭିତରେ ସୀମିତ ରହିବେ ନାହିଁ। ସିଲାବସ୍‌ ବାହାରେ ବି ଅନେକ କିଛି ନୂଆ ବିଷୟ ସଂପର୍କରେ ଜାଣିପାରିବେ। ନୂଆ ନୂଆ ଜିନିଷ ଉଦ୍ଭ‌ାବନ କରିପାରିବେ। ଏଥିପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବା ପାଇଁ ଖପୁରିଆସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ରେ ଖୋଲିବାକୁ ଯାଉଛି ‌‘‌ଷ୍ଟେମ୍‌’ ପରୀକ୍ଷାଗାର। ଭାରତରେ ପ୍ରଥମ କରି ଏହି ପରୀକ୍ଷାଗାର ଏଠାରେ ଖୋଲାଯାଉଥିବା କଲେଜ କର୍ତୃପକ୍ଷ ଦାବି କରିବା ସହ ଏହା ଜରିଆରେ ଛାତ୍ରଛାତ୍ରୀ ନିଜେ ହିଁ ବିନା କାହା ପ୍ରଶିକ୍ଷଣରେ ବିଭିନ୍ନ ପ୍ରକାର ନୂଆ ଜିନିଷ ଉଦ୍ଭାବନ କରିପାରିବେ ବୋଲି କୁହାଯାଉଛି।

ସୂଚନାନୁଯାୟୀ, ଖପୁରିଆ ଆଇଟିଆଇ ହେଉଛି ରାଜ୍ୟର ଅନ୍ୟତମ ପୁରାତନ ଅନୁଷ୍ଠାନ। ଏଠାରେ ନୂତନ ଭାବେ ଖୋଲିବାକୁ ଯାଉଥିବା ଷ୍ଟେମ୍‌ ପରୀକ୍ଷାଗାରରେ ପିଲାମାନେ ନିଜ ଜ୍ଞାନ ବଳରେ ନୂଆ ଜିନିଷ ଉଦ୍ଭାବନ କରିବେ। ପିଲାଙ୍କୁ ଯେଉଁ ସାଇନ୍ସ, ଟେକ୍ନୋଲୋଜି, ଇଂଜିନିୟରିଂ, ମ୍ୟାଥମେଟିକ୍‌ସ ବିଷୟରେ ଶ୍ରେଣୀଗୃହରେ ପଢ଼ାଯାଉଛି; ତାର ପ୍ରାକ୍ଟିକାଲ୍‌ ପରୀକ୍ଷାଗାରରେ‌ ହେବ। ଉଦାହରଣ ସ୍ବରୂପ, ଛାତ୍ରଛାତ୍ରୀ ଯଦି ଡ୍ରୋନ୍‌ କିମ୍ବା ରୋବୋଟ୍‌ ନିର୍ମାଣ ସଂପର୍କରେ ପାଠ୍ୟକ୍ରମରେ ପଢ଼ିଲେ, ତାକୁ ପରୀକ୍ଷାଗାରରେ ପ୍ରୟୋଗ କରି ନିଜେ ହିଁ ନୂଆ ଡ୍ରୋନ୍‌ କିମ୍ବା ରୋବୋଟ୍‌ ନିର୍ମାଣ କରିବେ। ଏଠାରେ ତାଙ୍କୁ କେହି ପ୍ରଶିକ୍ଷଣ ଦେବେ ନାହିଁ। ଅର୍ଥାତ୍ ଛାତ୍ରଛାତ୍ରୀ ନିଜେ ହିଁ ନିଜର ଶିକ୍ଷକ ହେବେ। କେବଳ ସେତିକି ନୁହେଁ, ନିତିଦିନିଆ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ସଂପର୍କରେ ପରୀକ୍ଷାଗାରରୁ ଅବଗତ ହେବେ। ମୋଟାମୋଟି ଶ୍ରେଣୀ ଗୃହରେ ଯାହା ପଢାଯାଉଛି; ତା’ଠାରୁ ଆଗକୁ ଚିନ୍ତା କରି ନୂତନ ଜିନିଷ ନିର୍ମାଣ ପାଇଁ ଏହି ପରୀକ୍ଷାଗାର ଛାତ୍ରଛାତ୍ରୀଙ୍କୁ ବି‌େଶଷ ସହାୟକ ହେବ ବୋଲି କଲେଜ କର୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି। ଯୋଜନା ରହିଛି, ତିନି ମାସରେ ଇଲେ‌େକ୍ଟ୍ରାନିକ୍‌, ଇଲେକ୍ଟ୍ରିକାଲ୍ ଓ ଆଇଟିର ୨୦ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷାଗାରରେ ପ୍ରଶିକ୍ଷଣ ଦିଆଯିବ। ବର୍ଷକୁ ଅନୁଷ୍ଠାନର ୮୦ଜଣ ପିଲା ଏହି ନୂତନ ବ୍ୟବସ୍ଥା ଦ୍ବାରା ଉପକୃତ ହେବେ। ପ୍ରଥମ ପ୍ରର୍ଯ୍ୟାୟରେ ରବୋଟିକ୍ସ ଓ ଇଲୋକ୍ଟ୍ରନିକ୍ସ୍‌ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ଉନ୍ନତମାନର ଡ୍ରୋନ ଓ ରୋବଟ୍‌ ନିର୍ମାଣ କରିବାକୁ ଉତ୍ସାହିତ କରାଯିବାର ଯୋଜନା ରହିଛି। ତେବେ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ଅନୁଷ୍ଠାନର ତିନି ଜଣ ଅଧ୍ୟାପକଙ୍କୁ ପଶ୍ଚିମବଙ୍ଗର ଦୟାନିଧି ଟ୍ରଷ୍ଟ ପକ୍ଷରୁ ବିଶେଷ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଉକ୍ତ ଟ୍ରଷ୍ଟ ଏହି ଆଧୁନିକ ପରୀକ୍ଷାଗାରକୁ ନିର୍ମାଣ କରୁଥିବା ବେଳେ ସମସ୍ତ ପ୍ରକାର ଆର୍ଥିକ ସହାୟତା ଇସ୍କୋର୍‌ ସିଷ୍ଟମ୍‌ ଆଣ୍ଡ ଟେ‌କ୍‌ନୋଲୋଜି ପ୍ରଦାନ କରୁଛି। ଆଇଟିଆଇ ଅଧ୍ୟକ୍ଷ ଡକ୍ଟର ହୃଷିକେଶ ମହାନ୍ତି କହିଛନ୍ତି, ଦେଶରେ ଥିବା ସମସ୍ତ ସରକାରୀ ଆଇଟିଆଇ ମଧ୍ୟରୁ ପ୍ରଥମ କରି ଖପୁରିଆରେ ଏହି ଷ୍ଟେମ୍‌ ଲାବ୍ରୋଟୋରି ନିର୍ମାଣ ହୋଇଛି। ଏଥିରେ ଛାତ୍ରଛାତ୍ରୀ ନିଜ ଜ୍ଞାନ ବଳରେ ନୂତନ ବିଷୟ ଉଦ୍ଭାବନ କରିବେ। ‌ଏହି ପରୀକ୍ଷାଗାର ନିର୍ମାଣରେ ଓଡ଼ିଶା ସ୍କିଲ୍‌ର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚିଙ୍କ ବିଶେଷ ଭୂମିକା ଥିବା ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର