ନବୀନଙ୍କ ତୁଳନାରେ ବିଜେପିର ଚେହେରା ନଥିବାରୁ ହାରିବାକୁ ପଡିଲା: ଖାରବେଳ

ଭୁବନେଶ୍ୱର: ତୃତୀୟ ଦିନ ଗଣତି ସୁଦ୍ଧା ଜିଲ୍ଲା ପରିଷଦ ଜୋନ ଟ୍ରେଣ୍ଡ ଅନୁଯାୟୀ ବିଜେଡି ୭୩୪, ବିଜେପି ୪୨, କଂଗ୍ରେସ ୩୫ ଓ ଅନ୍ୟମାନେ ୮ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି | ତେବେ ବିଜେଡିର ଏକତରଫା ବିଜୟ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି | ବିଶେଷ କରି ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ବି ଚଳିତ ନିର୍ବାଚନରେ ବିଜେପି ସେଭଳି ସନ୍ତୋଷଜନକ ଫଳାଫଳ କରିପାରିନାହିଁ | ଆଉ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ବିଜେପି ଫେଲ ନେଇ ବରିଷ୍ଠ ନେତା ଖାରବେଳ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି | ଖାରବେଳ ରାଜ୍ୟରେ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି |

ସେ କହିଛନ୍ତି ଯେ ବିଜେପିରେ ନେତୃତ୍ୱ ସଙ୍କଟ ପାଇଁ ଦଳ ହାରିଲା | ନବୀନଙ୍କ ତୁଳନାରେ ବିଜେପିର ଚେହେରା ନାହିଁ | ଆଉ ନିର୍ବାଚନ ଫଳାଫଳ ପରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ | ନବୀନଙ୍କୁ ହରାଇବା ପାଇଁ ବିଜେପିରେ ଚେହେରା ଅଛନ୍ତି କିନ୍ତୁ ମୁଁ ବର୍ତ୍ତମାନ ନାମ ପ୍ରକାଶ କରିବା ଠିକ ନୁହେଁ | ସୂଚନା ଥାଉ କି ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜେପିର ଭଲ ଫଳାଫଳ ନ ହେବା ଓ ଧର୍ମେନ୍ଦ୍ର ପ୍ରଚାର ନ କରିବା ନେଇ ଉତ୍ତରପ୍ରଦେଶ ନିର୍ବାଚନ ଓ ସଂସଦ ଅଧିବେଶନକୁ ଦାୟୀ କରିଥିଲେ |

ସେ କହିଥିଲେ ଯେ ସରକାରୀ ଦଳ ଅର୍ଥ ବଳରେ ଜିତୁଛି | ଟଙ୍କା ଦେଇ ଭୋଟ କିଣାଯାଉଛି ଓ ସ୍ୱାଧୀନ ଭାବେ ମତଦାନ ପାଇଁ ସୁଯୋଗ ଦିଆଗଲାନାହିଁ | ସଂସଦ ଅଧିବେଶନ ଯୋଗୁଁ ନେତାମାନେ ସମୟ ଦେଇପାରିଲେ ନାହିଁ | ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ପ୍ରଭାରୀ ଥିବାରୁ ଓ ଉତ୍ତରପ୍ରଦେଶରେ ଭୋଟ ବ୍ୟସ୍ତତା ଯୋଗୁଁ ସମୟ ଦେଇପାରିନାହାନ୍ତି |

ସମ୍ବନ୍ଧିତ ଖବର