ଦାମଙ୍କ ଅଭିଯୋଗର ତଦନ୍ତ ହେଉ: ଖାରବେଳ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଅଭିଯୋଗର ତଦନ୍ତ ହେଉ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦାମ ବାବୁଙ୍କୁ ଯେଉଁ କାରଣରୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ସେଥିରେ ଉତ୍କଳ ଭାରତର କିଛି ମତାମତ ଦେବାର ନାହିଁ। ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ବିଜେଡି ସରକାର ବିରୋଧରେ ସେ ଯେଉଁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରିଛନ୍ତିି ତାହା ମିଥ୍ୟା ବୋଲି କହି ଏଡ଼ାଇ ଦେଇ ହେବ କି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ଥିଲାବେଳେ ସେ କାହିଁକି ଏ ଅଭିଯୋଗ କରୁ ନଥିଲେ ବୋଲି ବିଜେଡି ଯେଉଁ ଯୁକ୍ତି ବାଢୁଛି ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଶ୍ରୀ ସ୍ୱାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଉଦାହରଣ ଦେଇ କହିଛନ୍ତି, ରାଷ୍ଟ୍ରପତି ହେବାର ବହୁ ପୂର୍ବରୁ କେଉଁ କଲଗାର୍ଲଙ୍କ ସହ ଯୌନ ସମ୍ପର୍କ ରଖିଥିଲେ ଓ କଥାକୁ ଲୁଚାଇବା ପାଇଁ ତାଙ୍କୁ ଅର୍ଥ ଯାଚି଼ଥିଲେ ତା’ର ତଦନ୍ତ ଏବେ ହେଉଛି କିପରି? ଚି଼ଟଫଣ୍ଡ ଦୁର୍ନୀତିରେ ଯେଉଁ ଦଳର ବିଧାୟକ, ସାଂସଦ, ଆଡଭୋକେଟ୍‌ ଜେନେରାଲମାନେ ଗିରଫ ହୋଇ ଜେଲରେ ଥିଲେ ସେ ଦଳର ମନ୍ତ୍ରୀମାନେ କ’ଣ ଦୁର୍ନୀତି କରିଥିବା ଅସମ୍ଭବ? ବରଂ ୧୮ ବର୍ଷର ଶାସନ ପରେ ବିଜୁ ଜନତା ଦଳ ଅତିରିକ୍ତ ଭ୍ରଷ୍ଟାଚ଼ାରୀ ଓ ଅହଂକାରୀ ହୋଇପଡ଼ିଛି। ବର୍ତମାନ ସେହି ଦଳର ଜଣେ ବରିଷ୍ଠ ନେତା ଏପରି ଦୁର୍ଗୁଣଗୁଡ଼ି଼କୁ ପଦାରେ ପକେଇବାରେ ଲାଗିଛନ୍ତି। ଓଡ଼ିଶାର ଜନସାଧାରଣ ଏ ସମ୍ପର୍କରେ ଗଭୀର ବିଶ୍ଳେଷଣ କରିବା ଉଚି଼ତ ଓ ୨୦୧୯ରେ ଏହାକୁ କ୍ଷମତାଚ୍ୟୁତ କରିବା ଦରକାର ବୋଲି ଶ୍ରୀ ସ୍ୱାଇଁ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ସମ୍ବନ୍ଧିତ ଖବର