ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଏନ୍‌ଜିଟି ଛାଟ, ୩୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ରାଜକନିକା : ଆଳି-କନିକାର ଜୀବନରେଖା ଖରସ୍ରୋତା ନଦୀର ଭାରିଗଦାଠାରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି)ଙ୍କ ଛାଟ ବାଜିଛି। ଏହି ପ୍ରସଙ୍ଗରେ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଭଦ୍ରକ, ବାଲେଶ୍ବରରେ ବୈତରଣୀ, ସାଳନ୍ଦୀ, କାଂଶବାଂଶ ଏବଂ ମନ୍ତେଇ ନଦୀ ପ୍ରବାହିତ ହେଉଥିବାବେଳେ ସେହି ଜିଲ୍ଲା ପାଇଁ ଖରସ୍ରୋତା ନଦୀରୁ କାହିଁକି ପାଣି ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି। ଏହି ପ୍ରକଳ୍ପ ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟ ନିଆଯାଇଥିଲା କି ନାହିଁ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ବନ୍ୟପ୍ରାଣୀ ବିଭାଗର ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକଙ୍କୁ ପ୍ରଶ୍ନ କରିବା ସହ ଏହି ପ୍ରକଳ୍ପ ଦ୍ବାରା ପରିବେଶ ଉପରେ କେତେ କୁପ୍ରଭାବ ପଡ଼ିବ, ତାହା ଜାଣିବାକୁ ଚାହିଁଛନ୍ତି। ୩୦ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ଏନଜିଟି ସରକାରଙ୍କୁ ଆଦେଶ ଦେଇଛନ୍ତି।

ସୂଚନା ଥାଉ କି, ଖରସ୍ରୋତା ନଦୀରୁ ମଧୁର ପାନୀୟ ଜଳ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ପାଇପ୍ ଯୋଗେ ନେବା ପାଇଁ ଏହି ମେଗା ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପକୁ କନିକା ଓ ଆଳିବାସୀ ଘୋର ବିରୋଧ କରିଥିଲେ। ଏ ନେଇ ଅଂଚଳବାସୀ ଆନ୍ଦୋଳନ ଡାକରା ଦେଇଥିଲେ। ବିଭିନ୍ନ ସଂଗଠନ ମାଧ୍ୟମରେ ଖରସ୍ରୋତାରୁ ପାଣି ନ ଦେବା ପାଇଁ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଖରସ୍ରୋତା ସୁରକ୍ଷା ପରିଷଦର ଆଇନ୍ ପରାମର୍ଶଦାତା ତଥା ସମାଜସେବୀ ସଂଜୟ ବେହୁରା ଏ ନେଇ ଏନଜିଟିର ଦ୍ବାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ଗତ ୧୪ ତାରିଖରେ ଏହାର ଶୁଣାଣି କରି ଓଡିଶା ରାଜ୍ୟ ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି। ମାମଲାର ଶୁଣାଣିବେଳେ ସରକାରଙ୍କ ତରଫରୁ କେହି ଉପସ୍ଥିତ ନ ଥିବାରୁ ଏନଜିଟି ଏହାକୁ ଦୁର୍ଭାଗ୍ୟ ବୋଲି ଦର୍ଶାଇଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖରସ୍ରୋତାରେ ଏହି ଜଳ ପ୍ରକଳ୍ପ ହେଲେ ଆଳି–କନିକାର ବହୁ କୃଷକ, ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇବେ। ଜଳସ୍ତର ହ୍ରାସ ପାଇବା ସହ ସମୁଦ୍ର ଲୁଣା ପାଣି ଖରସ୍ରୋତାକୁ ମାଡ଼ି ଆସିବ। ଫଳରେ ବହୁ ଲୋକେ ଜୀବିକା ହରାଇବାର ଆଶଙ୍କା ରହୁଛି।

ସମ୍ବନ୍ଧିତ ଖବର