ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଧାନ ଜମିରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ସ୍ଥାନୀୟ ଚାଷୀମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ କରିପାରୁ ନାହାନ୍ତି। ଝରିଗାଁ ବ୍ଳକରେ ଯେଉଁ ଚାଷୀ ମାନେ ଧାନ ରୁଆ କରିବା ପାଇଁ ଧାନ ତଳି ପକେଇ ଥଲେ ସେମାନଙ୍କ ତଳି ପାକଳ ହେବାକୁ ବସିଲାଣି।
ଝରିଗାଁ ବ୍ଳକରେ ଧାନ ରୁଆ କରିବା ପାଇଁ ପକାଇ ଥିବା ଧାନ ତଳି ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ତଳି ପାକଳ ହୋଇଯାଥିବା ସୂଚନା ମିଳିଛି। ସେହି ତଳି ରୁଆ କରିଲେ ମଧ୍ୟ ସଠିକ ପିଲ ବାହାରିବ ନାହିଁ ଏବଂ ଅମଳ କମ ହେବ ବୋଲି ଚାଷୀ ମାନେ ଆଶଙ୍କା କରୁଛନ୍ତି। ସେହିପରି ବର୍ତ୍ତମାନ ସେହି ତଳିକୁ ରୁଆ କରିଲେ ମଧ୍ୟ ଜମିରେ ପାଖ ପାଖରେ ଲଗାଇବା ପାଇଁ ପଡିବ। ଫଳରେ ଧାନ ତଳି କମ ପଡିବ ବୋଲି ଚାଷୀ ମାନେ ଆଶଙ୍କା କରୁଛନ୍ତି।
ସେହିପରି କାଦୁଅ ହେଲା ଭଳି ବର୍ଷା ହେଲେ ମଧ୍ୟ ତଳି ସଙ୍କଟ ଦେଖା ଯିବ ବୋଲି ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଯେଉଁ ଚାଷୀ ମାନେ ଜୁନ ମାସର ପ୍ରଥମ ଭାଗରେ ତଳି ପକାଇଛନ୍ତି ସେମାନଙ୍କ ତଳି ପ୍ରାୟ ୪୦ ଦିନରୁ ଅଧିକ ହୋଇ ସାରିଲାଣି। ସାତ ଦିନ ମଧ୍ୟରେ ଜମିରେ କାଦୁଅ ହେବା ଭଳି ବର୍ଷା ହେବା ସହ ଧାନ ତଳି ରୁଆ ହୋଇ ନପାରିଲେ ସେହି ଧାନ ତଳିରେ ଧାନ ନହେବାର ଆଶଙ୍କା କରାଯାଉଛି। ଝରିଗାଁ ବ୍ଳକରେ ଧାନ ରୁଆ କରିବା ପାଇଁ ପକାଇ ଥିବା ଧାନ ତଳି ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ତଳି ଏହି ଅବସ୍ଥାରେ ରହିଥିବା ସୂଚନା ମିଳିଛି।
ଯେଉଁ ଚାଷୀ ମନେ ଜମିରେ ଧନ ବୁଣିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଚଳିତ ବର୍ଷ ପାଗ ଅନୁକୂଳ ହୋଇ ନାହିଁ। ଝରିଗାଁ ବ୍ଳକର ପ୍ରାୟ ଧାନ ଚାଷୀ ଜୁନ ମାସ ପ୍ରଥମ ସପ୍ତାହରେ ଜମିରେ ଧାନ ରୁଆ କରିଥିଲେ।ଧାନ ବୁଣିବାର ୩୦ ଦିନ ମଧ୍ୟରେ ବେଉଷାଣି କାମ କରିବା କଥା। ବେଉଷାଣି କରିଲେ ଧାନ ଗଛର ଚେର ଉପୁଡ଼ିବା ସହ ଜମିରେ ଥିବା ମାଟିରେ ବାୟୁ ଚଳପ୍ରଚଳ ହୋଇପାରିବ। ସେହିପରି ଧାନ ପିଲ ଅଧିକ ହେବା ସହ ଅମଳ ଅଧିକ ହୋଇଥାଏ। ବେଉଷଣ କାମ ଝରିଗାଁ ବ୍ଳକରେ ବାହୁଡ଼ାଯାତ୍ରା ପୂର୍ବରୁ ଶେଷ ହୋଇଥାଏ। ବର୍ଷା ଅଭାବ ଯୋଗୁଁ ଚଳିତ ବର୍ଷ ପ୍ରାୟ ଚାଷୀ ବେଉଷାଣି କାମ କରିନାହାନ୍ତି। ଧାନ ପିଲ କମିବା ସହ ଧାନ ଅମଳ କମ ହେବାର ଆଶଙ୍କା କରୁଛନ୍ତି। ଯଦି ଆଗାମୀ ସାତ ଦିନ ମଧ୍ୟରେ ଝରିଗାଁ ବ୍ଳକରେ ଆବଶ୍ୟକ ମୁତାବକ ବର୍ଷା ନହୁଏ ତେବେ ଧାନ ଚାଷ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି। ଯେଉଁ ଚାଷୀ ମାନଙ୍କ ଠାରେ ଜଳ ସେଚନ ସୁବିଧା ଅଛି ସେମାନଙ୍କ ଚାଷ କାମ ଆଗେଇ ଚାଲିଛି।
ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ପାଇଁ ଯୋଜନା ରହିଛି। ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହେଉଛି। ବର୍ତ୍ତମାନ ସୁଦ୍ଧା ୩୨୯୯ ହେକ୍ଟର ଜମିରେ ରୁଆ କାମ ସରିଥିବା ବେଳେ ୩୩୦୦ ହେକ୍ଟର ଜମିରେ ରୁଆ କାମ ବାକି ରହିଛି।୩୩୦୦ ହେକ୍ଟର ଜମିରେ ଧାନ ରୁଆ ପାଇଁ ୩୩୦ ହେକ୍ଟର ଜମିରେ ଧାନ ତଳି ପଡି ରହିଛି। ସେହିପରି ୧୭୬୨ ହେକ୍ଟର ଧାନ ଜମିରେ ବୁଣା ହେଉଥିବା ବେଳେ ଏଯାବତ ମାତ୍ର ୬ ଶହ ହେକ୍ଟର ଧାନ ଜମିରେ ଚାଷୀ ବେଉଷାଣି କାମ କରିଥିବା ଝରିଗାଁ କୃଷି ଅଧିକାରୀ ଗଜାନନ ସାହୁ ସୂଚନା ଦେଇଛନ୍ତି।