ଖୋର୍ଦ୍ଧା: ୨୦୨୩-୨୪ ଖରିଫ ଋତୁର ଧାନ ସଂଗ୍ରହ ପାଇଁ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ଚାଷୀଙ୍କ ପଂଜୀକରଣ କାର୍ଯ୍ୟ ଚଳିତ ମାସ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ସମବାୟ ସମିତି ରେଜିଷ୍ଟାରର୍ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment

ଆଜି ଏନେଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଧାନ ସଂଗ୍ରହ ନିମନ୍ତେ ଅନୁବନ୍ଧିତ ଥିବା ପାଣିପଂଚାୟତ, ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦକଙ୍କ ଦ୍ୱାରା ଜୁଲାଇ ୧୫ ତାରିଖରୁ ୩୧ ତାରିଖ ମଧ୍ୟରେ ପଂଜୀକରଣ ଫର୍ମ ବଂଟନ କରାଯିବ । ୧୫ରୁ ଅଗଷ୍ଟ ୧୮ ତାରିଖ ମଧ୍ୟରେ ମଣ୍ଡି ଠାରେ ଧାନ ବିକ୍ରି କରିବାକୁ ଚାହୁଁଥିବା ଚାଷୀମାନେ ଏହି ଫର୍ମ ପୂରଣ କରି ନିଜ ନିଜର କୃଷି ସମବାୟ ସମିତିରେ ଦାଖଲ କରିବେ । ୧୮ ଜୁଲାଇରୁ ୨୨ ଅଗଷ୍ଟ ମଧ୍ୟରେ ଫର୍ମଗୁଡ଼ିକର ଡିଜିଟାଇଜସନ୍ ହେବ । ଏହାପରେ ଯାଂଚ, ଯାଂଚ ରିପୋର୍ଟ ଦାଖଲ ଆଦି ପ୍ରକ୍ରିୟା ପରେ ସେପ୍ଟମ୍ବର ୩୦ ସୁଦ୍ଧା ଚାଷୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।
ଜିଲ୍ଲାରେ ମୋଟ ୧ଲକ୍ଷ ୨୪ ହଜାର ୭୬୮ଟି ଚାଷୀ ପରିବାରଙ୍କ ମଧ୍ୟରୁ ୧ ହେକ୍ଟରରୁ କମ୍ ପରିମାଣର ଚାଷ ଜମି ଥିବା ନାମମାତ୍ର ଚାଷୀଙ୍କ ସଂଖ୍ୟା ୬୫,୮୧୩ ଥିବା ବେଳେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୪୭,୧୯୪ ଓ ୨ ହେକ୍ଟରରୁ ଅଧିକ ଚାଷ ଜମି ଥିବା ଚାଷୀଙ୍କ ସଂଖ୍ୟା ୧୧, ୭୬୧ ଅଟେ । କିନ୍ତୁ ପ୍ରତିବର୍ଷ ଜିଲ୍ଲାର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ପ୍ରାୟ ୪୦ରୁ ୫୦ ହଜାର ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ପଂଜୀକରଣ କରିଥାନ୍ତି । ଯାହା ମୋଟ ଚାଷୀ ପରିବାରର ପ୍ରାୟ ୪୦ ପ୍ରତିଶତ ଅଟେ ।

୨୦୨୨-୨୩ ଖରିଫ ଋତୁରେ ୧୩୯ଟି ପିଏସି ଜରିଆରେ ମୋଟ ୪୬ହଜାର ୩୨୨ଜଣ ଚାଷୀ ଓ ୨୦୨୩-୨୪ ରବି ଋତୁରେ ୨୦ଟି ପିଏସିରେ ୨୦୯୧ଜଣ ଚାଷୀ ପଂଜୀକରଣ କରିଥିଲେ । ପ୍ରତିବର୍ଷ ଜିଲ୍ଲାପାଇଁ ଧାନ ସଂଗ୍ରହ ଲକ୍ଷ୍ୟ କମ୍ ରଖାଯାଉଥିବା ଓ ପଂଜୀକରଣ ଆଦି ନେଇ ଆବଶ୍ୟକ ପ୍ରଚାରପ୍ରସାର କରାଯାଉନଥିବାରୁ ଅନେକ ଚାଷୀ ଧାନମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି । ଫଳରେ ଚାଷୀ ବାହାର ବ୍ୟବସାୟୀଙ୍କୁ କମ୍ ଦରରେ ବିକ୍ରି କରୁଥିବା ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ଖରିଫ ଋତୁରେ ଅଧିକ ସଂଖ୍ୟାରେ ଚାଷୀଙ୍କୁ ପଂଜୀକରଣ କରିବା ଓ ଧାନ ସଂଗ୍ରହ ପରିମାଣ ବୃଦ୍ଧି କରିବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।