ବାଲେଶ୍ବର: ଜୁନ୍ ମାସରେ ମୌସୁମୀ ଆସିବ ଓ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ବାଲେଶ୍ବର ଜିଲ୍ଲାରେ ଆରମ୍ଭରୁ ମୌସୁମୀ ଲୁଚକାଳି ଖେଳିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦୋଇଛି। ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହ ବର୍ଷାର ଦେଖା ମିଳିନଥିବା ବେଳେ ବିଳମ୍ବରେ ମୌସୁମୀ ପହଞ୍ଚିଥିଲା। ଟାଣଖରା ସାଙ୍ଗକୁ ଗରମ ଗୁଳୁଗୁଳିରେ ଦିନରେ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ସ୍ବଳ୍ପବୃଷ୍ଟି ଯୋଗୁ ଚାଷକାମ ବିଳମ୍ବିତ ହୋଇଥିବା ବେଳେ ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ବାଲେଶ୍ବର ଜିଲ୍ଲାରେ ଖରିଫ୍ ଚାଷ ପ୍ରଭାବିତ ହେବା ସୁନିଶ୍ଚିତ ବୋଲି ଚାଷୀ କହିଛନ୍ତି।
ସୂଚନା ଅନୁସାରେ, ଚଳିତବର୍ଷ ଜୁନ୍ ୧ ତାରିଖରେ ଜିଲ୍ଲାରେ ୬.୪ ମିମି ହୋଇଥିଲା। ହେଲେ ଏହାପରେ ସପ୍ତାହେରୁ ଅଧିକ ସମୟ ବର୍ଷା ଉଭାନ ହୋଇ ଯାଇଥିଲା। ଜୁନ୍ ୧୦ ତାରିଖରେ ୧୩. ୦ ମିମି ବର୍ଷା ହୋଇଥିବା ବେଳେ ପୁଣି ୫ ଦିନ ଯାଏ ଭୂଇଁ ଉପରେ ଟୋପାଏ ପାଣି ପଡ଼ିଲା ନାହିଁ। କିନ୍ତୁ ସରକାରୀ ରିପୋର୍ଟ ଅନୁସାରେ ଜୁନ୍ ୧୫ ତାରିଖରେ ୫୪. ୮ ମିମି, ୧୮ ତାରିଖରେ ୦. ୨ ମିମି, ୧୯ ତାରିଖରେ ୯. ୨ମିମି, ୨୦ ତାରିଖରେ ୮୨. ୨ମିମି, ୨୧ ତାରିଖରେ ୨୦. ୬ମିମି, ୨୨ ତାରିଖରେ ୧. ୨ ମିମି, ୨୭ ତାରିଖରେ ୦. ୨ ମିମି ଏବଂ ମାସର ଶେଷ ବର୍ଷା ଦିବସ ଭାବେ ୩୦ ତାରିଖରେ ୦. ୬ ମିମି ବର୍ଷା ରେକର୍ଡ କରାଯାଇଛି। ତେଣୁ ୧୨ଟି ବ୍ଲକରେ ହାରାହାରି ବର୍ଷା ୧୭୩. ୩୩ ମିମି ରହିଥିବା ବିଭାଗ ପକ୍ଷରୁ କୁହା ଯାଇଛି। ଏଥିରେ ଭୋଗରାଇ ବ୍ଲକରେ ୨୦୬. ୪୦ମିମି ବର୍ଷା, ବସ୍ତାରେ ୧୩୮ ମିମି, ଜଳେଶ୍ବରରେ ୧୩୭ ମିମି, ବାଲିଆପାଳରେ ୧୩୧ ମିମି, ସଦର ବ୍ଲକରେ ୧୨୦. ୫୦ ମିମି, ରେମୁଣାରେ ୬୮ ମିମି, ନୀଳଗିରିରେ ୭୧ ମିମି, ସୋରରେ ୧୮୪ ମିମି, ବାହାନଗାରେ ୨୨୬ ମିମି, ସିମୁଳିଆରେ ୧୯୩ ମିମି, ଖଇରାରେ ୨୭୪ ମିମି, ଔପଦାରେ ୩୩୧ ମିମି ବର୍ଷା ରେକର୍ଡ କରାଯାଇଛି।
/sambad/media/post_attachments/wp-content/uploads/2022/07/land-balsore-2-300x193.jpg)
ଯଦି ଗତବର୍ଷ ଅର୍ଥାତ୍ ୨୦୨୧ ମସିହା ଜୁନ୍ ମାସର ବର୍ଷା ରିପୋର୍ଟକୁ ତୁଳନା କରିବା ତାହାହେଲେ ବାଲେଶ୍ବର ଜିଲ୍ଲାରେ ୧୯ଟି ବର୍ଷା ଦିବସ ରହିଥିଲା। ଯାହା ଚଳିତବର୍ଷର ବର୍ଷା ଦିବସ ଠାରୁ ଅଧିକ ହୋଇଥିଲେ ବି ବର୍ଷାର ପରିମାଣ କମ୍ ରହିଥିଲା। ଗତବର୍ଷ ଜୁନ୍ ମାସରେ ଜିଲ୍ଲାରେ ୧୮୯. ୪ ମିମି ବର୍ଷା ହୋଇଥିବା ବେଳେ ଚଳିତବର୍ଷ ଜୁନ୍ମାସ ୩୦ ତାରିଖ ସୁଦ୍ଧା ୧୮୯. ୪ ମିମି ବର୍ଷା ରେକର୍ଡ ହୋଇଛି। ତେବେ ସ୍ବାଭାବିକ ବର୍ଷା ହେଉ ନଥିବାରୁ ଖରିଫ୍ ଚାଷ ଉପରେ ଏହା ପ୍ରଭାବ ପକାଉଛି। ସେପଟେ ଚାଷ ପାଇଁ ଜଳସେଚନ ବିଭାଗ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା କରା ଯାଇନାହିଁ। ଅଧିକାଂଶ ପ୍ରକଳ୍ପ ଫେଲ୍ ମାରିଥିବାରୁ ତାର ଉପକାର ଚାଷୀମାନେ ପାଇ ପାରୁନାହାନ୍ତି। ଜଳସେଚନ ପ୍ରକଳ୍ପ ନାଁରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦରକାର ସମୟରେ ସେସବୁ କାମରେ ଆସୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାର ନୀଳଗିରି, ବାଲିଆପାଳ, ବସ୍ତା ଏବଂ ରେମୁଣା ବ୍ଲକର ଅଧିକାଂଶ ଅଞ୍ଚଳରେ ଏବେ ବି ସ୍ବଳ୍ପବୃଷ୍ଟିପାତ ଯୋଗୁ ହଳଲଙ୍ଗଳ ବୁଲି ପାରିନାହିଁ। ବର୍ଷା ପରିମାଣ କମ୍ ରହିଥିବାରୁ ଚାଷୀ ପାରମ୍ପରିକ ବିହନ ଉପରେ ଭରସା କରି ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ବିହନ ଠିକ୍ ଭାବେ ଯୋଗାଇ ଦିଆ ଯାଉନଥିବାରୁ ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ।
ଏ ସଂପର୍କରେ ବାଲେଶ୍ବର ଜିଲ୍ଲା କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ବିଳମ୍ବିତ ବର୍ଷା ଯୋଗୁ ଖରିଫ୍ ଚାଷ ପଛେଇଛି। କିନ୍ତୁ ଚାଷକାମ ପ୍ରଭାବିତ ହୋଇନାହିଁ। ଜିଲ୍ଲାରେ ଅଳ୍ପ କିଛି ବ୍ଲକକୁ ଛାଡ଼ିଦେଲେ ଅଧିକାଂଶ ବ୍ଲକରେ ଚଳିତମାସରେ ଭଲ ବର୍ଷା ମଧ୍ୟ ହୋଇଛି ଏବଂ ଚାଷକାମ ଆରମ୍ଭ ହୋଇଯାଇଛି। ନିୟମିତ ବର୍ଷା ହେଉନଥିବାରୁ ଚାଷୀମାନେ ତଳି ପକାଉନାହାନ୍ତି କି ବିହନ ମଧ୍ୟ କିଣିବାକୁ ଆସୁନାହାନ୍ତି। ଆଗକୁ ଭଲ ବର୍ଷା ହେଲେ ଚାଷକାମ ଆଗେଇବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/land-balasore.jpg)
