ଜୟପାଟଣା : ଖରିଫ ଧାନ ସଂଗ୍ରହ ପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ରେ ମଣ୍ଡି ଶୁଭାରମ୍ଭ ହୋଇଛି। ଏହି ବ୍ଲକ୍ ଅନ୍ତର୍ଗତ ଖଲିଆଭଟା ମଣ୍ଡିକୁ ଧର୍ମଗଡ଼ ଉପଜିଲ୍ଲାପାଳ ଟି. ଏସ୍. ଦିବାକରଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମହିଳା ଚାଷୀ ଏ. ବିଜୟ ଲକ୍ଷ୍ମୀ ୭୭ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।
ପ୍ରକାଶ ଯେ, ଜୟପାଟଣା ଆର୍ଏମ୍ସି ପରିସରରେ ଜୟପାଟଣା, କଲମପୁର, କୋକସରା ବ୍ଲକ୍ର ୫୨ଟି ମଣ୍ଡି କାର୍ଯ୍ୟକାରୀ ହେବାକୁ ଥିବା ବେଳେ ରବିବାର ପୂର୍ବାହ୍ନରେ ଉପଜିଲ୍ଲାପାଳ ଉକ୍ତ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ମଣ୍ଡିରୁ ଶ୍ରୀ ଗୋପାଳ ଫୁଡ୍ ପ୍ରଡକ୍ଟ ଧାନ ଉଠାଇ ଥିଲା। ଗତ ଖରିଫରେ ଏ ଅଞ୍ଚଳରୁ ୧୪ ଲକ୍ଷ କୁଇଣ୍ଟାଲ ଧାନ କିଣା ଯାଇଥିଲା। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରୁ ୩୧ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି। ଧାନ କିଣାଯିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ପ୍ରାପ୍ୟ ଜମାହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଧାନ କିଣା ପ୍ରକ୍ରିୟା ସମୟରେ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହିତ ମଣ୍ଡିରେ ବେଆଇନ କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକ, ଅତିରିକ୍ତ ତହସିଲଦାର ଟି. ପୁଟା, ସମବାୟ ଅଧିକାରୀ ପ୍ରଦୀପ ଘୋଷ, ଅକ୍ଷୟ ଦାସ, ଆର୍ଏମ୍ସି ସମ୍ପାଦକ ଅନୀଲ ରାଉତ, ସମାଜସେବୀ ଭାରତେନ୍ଦୁ ବେହେରା, ସମିତି ସମ୍ପାଦକ ଉଦିତ ରାଉତ ବଜାର କମିଟି କର୍ମଚାରୀ ପ୍ରଦୀପ ସାରାବୁ ଓ ଚାଷୀମାନେ ଉପସ୍ଥିତଥିଲେ।