ମଣ୍ଡିରୁ ଦୁଇ ଦିନ ମଧ୍ୟରେ ଧାନ ନଉଠିଲେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଡିସେମ୍ବର ୧୫ରୁ ଖରିଫ ଧାନ ସଂଗ୍ରହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ଡିସେମ୍ବର ୧୫ରୁ ୨୦୨୨-୨୩ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ମଙ୍ଗଳବାର ସ୍ଥାନୀୟ ବିକାଶ ଭବନରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବୈଠକରେ ଜିଲ୍ଲାପାଳ ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍ବଚ୍ଛତା ରଖିବାକୁ ଉପସ୍ଥିତ ଲ୍ୟାମ୍ପସ କର୍ତ୍ତୃପକ୍ଷ, ମିଲର୍ସ ଓ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ। ଟୋକନ ପାଇଥିବା ଚାଷୀ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ଡାକରା ପାଇ ମଣ୍ଡିକୁ ଆଣିବାର ଦୁଇ ଦିନ ମଧ୍ୟରେ ଧାନ ଉଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ସମ୍ପୃକ୍ତ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି। ଚଳିତ ବର୍ଷ ଜିଲ୍ଲାରୁ ୨ ଲକ୍ଷ ୮୩୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଗତବର୍ଷ ୪୪୧୮୩ ଚାଷୀଙ୍କ ଠାରୁ ୨ ଲକ୍ଷ ୨୪ ହଜାର ୮୦୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ପୂର୍ବ ପରି ଏଥର ମଧ୍ୟ ୪୪ଟି ଲ୍ୟାମ୍ପସ, ୨ଟି ଆରସିଏମଏସ, ‌୧ ଏମପିସିଏସ ଓ ୮ଟି ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ୧୩୪ଟି ମଣ୍ଡିରେ ଧାନ ସଂଗ୍ରହ କରାଯିବ। ସୁନ୍ଦରଗଡ଼ ଧାନ ସଂଗ୍ରହ ମଣ୍ଡଳରେ ସର୍ବାଧିକ ୮୯ କେନ୍ଦ୍ର (ପିପିସି), ବଣାଇଁ ମଣ୍ଡଳରେ ୩୦ ଓ ପାନପୋଷରେ ୧୫ଟି କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ୫୦୦୮୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ସାଧାରଣ ଏଫଏକ୍ୟୁ ଧାନର ମୂଲ୍ୟ କ୍ବିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଓ ଗ୍ରେଡ୍‌-ଏ ଧାନ ୨୦୬୦ ଟଙ୍କା ରଖାଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟାରେ କଷ୍ଟମ ମିଲିଂ ପାଇଁ ୧୮ ମିଲର୍ସଙ୍କୁ ନିୟୋଜିତ କରାଯାଇଛି। ସେଗୁଡ଼ିକ ହେଲା ଅଗ୍ରସେନ ରାଇସ ମିଲ୍‌, ଜଗନ୍ନାଥ ଏଗ୍ରୋ ଇଣ୍ଡଷ୍ଟ୍ରିଜ, ଜୟ ଗୋସାଇଁ ଏଗ୍ରୋ ଫୁଡ୍ସ, ଜୟ ଜଗନ୍ନାଥ ରାଇସ ମିଲ୍‌, ମା ଭବାନୀ ରାଇସ୍‌ ମିଲ୍‌, ମା ବାସନ୍ତୀ ରାଇସ ମିଲ୍‌, ମା ସନ୍ତୋଷୀ ରାଇସ୍‌ ମିଲ୍‌, ରାଧାଗୋପୀ ରାଇସ୍‌ ମିଲ୍‌, ଶିବପାର୍ବତୀ ରାଇସ୍‌ ମିଲ୍‌, ଶ୍ରୀ ରାଧେକ୍ରୀଷ୍ଣା ଫୁଡ୍‌ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍‌, ଏସ.ଆର. ଏଗ୍ରୋ, ଉତ୍କଳ ରାଇସ୍‌ ମିଲ୍‌, ବିଦ୍ୟା ମିନେରାଲ ପ୍ରାଇଭେଟ୍‌ ଲିମିଟେଡ୍‌, ଜଗନ୍ନାଥ ଫୁଡ୍‌ ପ୍ରୋସେସର୍‌, ଜଗଦେବ ଇଣ୍ଡଷ୍ଟ୍ରିଜ୍‌, ଏମ.ଆର୍‌. ଇଣ୍ଡଷ୍ଟ୍ରିଜ୍‌ ଓ ମା ଦୁର୍ଗା ଫୁଡ୍‌ ପ୍ରଡକ୍ଟ।

ବୈଠକରେ ଚାଷୀମାନେ ଅଂଶଗ୍ରହଣ କରି ମଣ୍ଡି‌ରେ କଟନିଛଟନି, ଶ୍ରମିକ ଓ ଧାନ ବସ୍ତା ସମସ୍ୟା ସହ ଧାନର ପ୍ରାପ୍ୟ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ। ଏହା ଛଡ଼ା ମଣ୍ଡିରେ ଚାଷୀଙ୍କ ନାମରେ ଦଲାଲଙ୍କ ଅନୁପ୍ରବେଶ ରୋକିବାକୁ ଦାବି ହୋଇଥିଲା। ଜିଲ୍ଲା ପରିଷଦ ସଭାପତି ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ତସଲାଡିହି ମଣ୍ଡି କମିଟିକୁ ସୂଚୀତ ନକରି କାହିଁକି ବନ୍ଦ କରାଗଲା ବୋଲି ପ୍ରଶ୍ନ କରିବା ସହ ତାକୁ ପୁଣି ଖୋଲିବାକୁ ଦାବି କରିଥିଲେ। ବୈଠକରେ ସୁନ୍ଦରଗଡ଼ ବିଧାୟିକା, ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଡିଏସପି ସଂଗ୍ରାମ କେଶରୀ ବିଶ୍ବାଳ, ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ବେଶ୍ରା, ପାନପୋଷ ଉପଜିଲ୍ଲାପାଳ, ବଣାଇଁ ଉପଜିଲ୍ଲାପାଳ, ସମସ୍ତ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ, ଆରସିଏମଏସ କର୍ତ୍ତୃପକ୍ଷ ଓ ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର