ଖରିଫ ଧାନ ସଂଗ୍ରହ ନଭେମ୍ବର ୧ରୁ : ଧାନ ସଂଗ୍ରହ କେନ୍ଦ୍ରରୁ ସେହିଦିନ ଧାନ ଉଠାଇବେ ମିଲର୍‌

୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ୍‌କୁ ପ୍ରାପ୍ୟ ଯିବ

ଭୁବନେଶ୍ୱର: ନଭେମ୍ବର ୧ ତାରିଖରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ଯେଉଁ ଜିଲ୍ଲାରେ ଧାନ ଅମଳ ଶୀଘ୍ର ହେଉଛି, ସେଠାରେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ଯେଉଁଠି ଅମଳ ବିଳମ୍ବ ହେଉଛି, ସେଠାରେ ନଭେମ୍ବର ୧୬ରୁ ୩୦ ତାରିଖ ମଧ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବ। ଧାନ ସଂଗ୍ରହ କେନ୍ଦ୍ରରୁ ମିଲର୍‌ମାନେ ସେହିଦିନ ଧାନ ଉଠାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ‌ଦିଆଯାଇଛି। ଧାନ କିଣିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ପ୍ରାପ୍ୟ ଦିଆଯିବ। ଏଥିରେ ଖିଲାପ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜିଲ୍ଲାପାଳମାନଙ୍କ ସହ ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ମନ୍ତ୍ରୀ କହିଥିଲେ ଯେ ଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ବଳକା ରାଜ୍ୟ ଭାବେ ପରିଗଣିତ ହେବା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ନିମନ୍ତେ ଆବଶ୍ୟକ ଚାଉଳ ଯୋଗାଇ ଦିଆଯାଉଛି। ନିଅଣ୍ଟିଆ ରାଜ୍ୟ ନିମନ୍ତେ କେନ୍ଦ୍ରର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ପ୍ରଚୁର ପରିମାଣରେ ଚାଉଳ ଏଠାରୁ ଯୋଗାଣ ହେଉଛି। କୋଭିଡ୍‌-୧୯ ସ୍ଥିତିରେ ଅଧିକାରୀ ଓ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ୧୪.୯୭ ଲକ୍ଷ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଓ ନିର୍ଭୁଲ୍‌ କରିବା ଦିଗରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ପି-ପାସ୍ ଓ ଚାଷୀଙ୍କୁ ଆଗୁଆ ଟୋକନ ପ୍ରଦାନ ପରି ଟେକ୍ନୋଲୋଜି ବ୍ୟବହାର ପ୍ରତି ଚାଷୀମାନଙ୍କର ଆଗ୍ରହ ପ୍ରକାଶ ପାଇଛି। ଏହା ସହିତ ଚାଷୀଙ୍କ ନାମ ପଞ୍ଜୀକରଣ, ରାସନ୍ କାର୍ଡ ଆବେଦନ ଓ ସଂଶୋଧନ, ପିଡିଏସ୍‌ ରିଟେଲ୍‌ ଲାଇସେନ୍ସ ଦେୟ ପ୍ରଦାନ ଆଦି ପ୍ରମୁଖ ଚାରିଟି ଅନ୍‌ଲାଇନ୍ ସେବା ଦ୍ବାରା ଜନସାଧାରଣ ଅଧିକ ଉପକୃତ ହେବେ।

ଧାନ ସଂଗ୍ରହ ନିମନ୍ତେ ଚାଷୀ ତାଲିକା ଚୂଡ଼ାନ୍ତ କରିବା ନିମନ୍ତେ ସମସ୍ତ ନୂଆ କିମ୍ବା ପରିବର୍ତ୍ତନ କରିଥିବା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ୍‌, ଅଣଭୂଲେଖ ଜମି ଓ ଜଳସେଚିତ ଜମି ଆଦିର ତଥ୍ୟ ସମ୍ପର୍କରେ ନିର୍ଭୁଲ ଭାବେ ଯାଞ୍ଚ୍ କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଲ୍ଲାପାଳମାନଙ୍କୁ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ କହିଥିଲେ। ଏଥି ସହିତ ସମସ୍ତ ଚାଷୀଙ୍କ ଆଧାର ସଂଯୋଗୀକରଣ ଓ ଇଣ୍ଟର୍‌ନେଟ୍‌ ଆଦି ଭିତ୍ତିଭୂମି କାର୍ଯ୍ୟ ଶେଷ କରିବାକୁ କହିଥିଲେ। ଧାନ ସଂଗ୍ରହ କାର୍ଯ୍ୟର ଅଗ୍ରଗତିର ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ନିୟମିତ ମଣ୍ଡି ପରିଦର୍ଶନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରରେ ଟାସ୍କ ଫୋର୍ସ ଗଠନ କରି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ କୁହାଯାଇଥିଲା। ବୈଠକରେ ସମବାୟ ସମିତି ସମୂହ ନିବନ୍ଧକ, ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଯୋଗାଣଅଧିକାରୀ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର