ବଲାଙ୍ଗୀର ଜିଲ୍ଲାରେ ଖରିଫ ଧାନକିଣା ଆରମ୍ଭ

ଖପ୍ରାଖୋଲରେ ମଣ୍ଡି ଉଦ୍‌ଘାଟନ କଲେ ଜିଲ୍ଲାପାଳ

ବଲାଙ୍ଗୀର/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାରେ ଖରିଫ ଧାନକିଣା ଶୁକ୍ରବାର ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଖପ୍ରାଖୋଲସ୍ଥିତ ଉପବଜାର ପ୍ରାଙ୍ଗଣଠାରେ ଶୁକ୍ରବାର ଖରିଫ ଧାନ ମଣ୍ଡିକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍‌ଘାଟନ କରି ଏହାର ଆରମ୍ଭ କରିଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ଖପ୍ରାଖୋଲରେ ପ୍ରଥମ କରି ଧାନ ମଣ୍ଡି ଆରମ୍ଭ ହୋଇଥିବା ଓ ଚାଷୀମାନେ ସୁବିଧାରେ ସେମାନଙ୍କ ଉତ୍ପାଦିତ ଧାନ ବିକି ପାରିବେ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ମୀର୍‌ ରାଜା ଅଲ୍ଲି, ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଡିଆର୍‌ସିଏସ୍‌ ଦମୟନ୍ତୀ ସିଂହ, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଏଆର୍‌ସିଏସ୍‌ ମିତ୍ରଭାନୁ ବିଶ୍ୱାଳ, ବ୍ଲକ୍‌ ଯୋଗାଣ ନିରୀକ୍ଷକ ବିକାଶ ବର୍ଲା, ଆର୍‌ଏମ୍‌ସି ସଂପାଦକ କେ. ଗଡ଼ତ୍ୟା, ପେକ୍ସ ସଭାପତି ଗୁଣମଣି ଭୋଇ, ସମ୍ପାଦକ ଶ୍ରୀପତି ଭୋଇଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଚାଷୀ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଚଳିତ ବର୍ଷ ଜମି ତୁଳନାରେ କମ୍ ଧାନ ବିକିବାକୁ ଟୋକନ୍‌ ‌ଆସିଥିବା ଅଭିଯୋଗ କରିଥିଲେ। ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଚାଷୀ ସଂଘ ସଭାପତି ମୋହନ ସୁନା, ସୂର୍ଯ୍ୟକାନ୍ତ ସାହୁ, କମ୍ବୁ ଭୋଇ, ବାବୁଲାଲ ଭୋଇ, ତରଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର