ବଣାଇ ଉପଖଣ୍ତରେ ଖରିଫ ଧାନ କିଣା ବାଟବଣା

ବଣାଇଗଡ଼ : ବଣାଇ ଉପଖଣ୍ତର ୧୩ଟି ଲ୍ୟାମ୍ପ୍‌ସ ଓ ରାଜାମୁଣ୍ତା ଆର୍‌ସିଏମ୍‌ଏସ୍‌ ଅଧୀନରେ ଥିବା ୨୯ଟି ଧାନମଣ୍ତିରେ ଚଳିତ ବର୍ଷର ଖରିଫ ଧାନ କିଣା କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାତ୍ର ଲକ୍ଷ୍ୟ ପୂରଣ ହେଉନଥିବାରୁ ଏହା ବାଟବଣା ହୋଇଛି। ଖୁଣ୍ଟଗାଁ ଲ୍ୟାମ୍ପ୍‌ସର ୩ଟି ଧାନମଣ୍ତିରେ ୪୪୦ କ୍ବିଣ୍ଟାଲ୍‌ ଧାନ ୧୭ ଜଣ ଚାଷୀଙ୍କଠାରୁ କ୍ରୟ ହୋଇଥିବାବେଳେ ଅନ୍ୟ ୨୬ଟି ମଣ୍ତି ଅଚଳ ଅବସ୍ଥାରେ ପଡ଼ିରହିଛି। ଏଥିପାଇଁ ପୂର୍ବରୁ ଧାନ ବିକ୍ରିପାଇଁ ଟୋକନ୍‌ ପାଇଥିବା ୧୮୬୬ ଜଣ ଚାଷୀ ଟାର୍ଗେଟ୍‌ ଅଭାବରୁ ୯୩,୮୭.୮୫ କ୍ବିଣ୍ଟାଲ୍‌ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ବଣାଇଗଡ଼ ଲ୍ୟାମ୍ପ୍‌ସରେ ଆଜି ସୁଦ୍ଧା ୩୨୧ ଜଣ ଚାଷୀଙ୍କ ୧୫,୮୧୨ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବାବେଳେ ଏହା ଏବେ ରଦ୍ଦ ହୋଇଛି। ସରକାରଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ ବଣାଇଗଡ଼ ଲ୍ୟାମ୍ପ୍‌ସର ଚାଷୀ ସମେତ ଉପଖଣ୍ତରେ ୧୮୬୬ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ।

ଚଳିତ ବର୍ଷ ବଣାଇ ଉପଖଣ୍ତରେ ୧୧,୬୮୭ ଜଣ ଚାଷୀ ପଞ୍ଜିକୃତ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦,୯୯୮ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏମାନଙ୍କୁ ମୋଟ ୧୨,୪୩୦ ଟି ଟୋକନ ମିଳିଥିବାବେଳେ ଚଳିତ ବର୍ଷ ୬୬,୪୯୩୮.୦୬ କ୍ବିଣ୍ଟାଲ ଧାନ ୨୯ ଟି ମଣ୍ତିରେ ବିକ୍ରି କରିଥାନ୍ତେ। ଏବେ ସୁଦ୍ଧା ୯,୫୬୮ ଜଣ ଚାଷୀ ମୋଟ ୪୮୦୫୯୨.୧୭ କ୍ବିଟାଲ ଧାନ ବିକ୍ରି କରିଛନ୍ତି। ସରକାରଙ୍କ ଠାରୁ ଚାଷୀଙ୍କ ଟୋକନ ନ ମିଳିବାରୁ ଚାଷୀଙ୍କ ୨୨୪୩୪୬ କ୍ବିଣ୍ଟାଲ୍‌ ଧାନ ବିକ୍ରି ନ ହୋଇ ପଡିରହିଛି। ମାର୍ଚ୍ଚ ୩୦ ସୁଦ୍ଧା ସରକାରଙ୍କ ଖରିଫ ଧାନ କ୍ରୟ ବନ୍ଦ ହେଉଥିବାବେଳେ ଚାଷୀଙ୍କଠାରେ ଏତେ ପରିମାଣର ଧାନ ବିକ୍ରି ନ ହୋଇ ପଡ଼ି ରହିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର