୧୮% ଅଧିକ ଧାନ କିଣିଲେ ସରକାର

ଖରିଫ୍‌ରେ ୬୨.୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଲେ
ତମ୍ବିତୋଫାନ ସତ୍ତ୍ବେ ସବୁ ଚାଷୀଙ୍କଠାରୁ ଧାନ ସଂଗ୍ରହ ନୋହିଲା
ପଞ୍ଜୀକରଣ କରି ବି ୨.୮ଲକ୍ଷ ଚାଷୀ ନିରାଶ

ଭୁବନେଶ୍ବର : ରାଜ୍ୟରେ ଖରିଫ୍ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି। ଏବର୍ଷ ୧୮ ପ୍ରତିଶତ ଅଧିକ ଧାନ କିଣିଛନ୍ତି ସରକାର। ଏହା ସତ୍ତ୍ବେ ଏବର୍ଷ ଏତେ ଧାନ ଉତ୍ପାଦନ ହୋଇଛି ଯେ ପଞ୍ଜୀକରଣ କରିଥିବା ପାଖାପାଖି ଅଢ଼େଇ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନଥିବା ସୂଚନା ମିଳିଛି। ଟୋକନ୍ ପାଇଥିଲେ ବି ସେମାନଙ୍କ ଠାରୁ କୌଣସି ନା କୌଣସି କାରଣ ପାଇଁ ଧାନ କିଣାଯାଇପାରିନାହିଁ। ଅନ୍ୟପକ୍ଷରେ ବିଧାନସଭାରେ ବିରୋଧୀ ଦଳ ତମ୍ବିତୋଫାନ କରିବା ସତ୍ତ୍ବେ ସରକାର ଖରିଫ୍ ଧାନ କିଣା ଅବଧିକୁ ବୃଦ୍ଧି କରିନାହାନ୍ତି। ଫଳରେ ଚାଷୀବର୍ଗଙ୍କୁ ନିରାଶ ହେବାକୁ ପଡ଼ିଛି। ସରକାର ଦୁଇ ଦୁଇ ଥର ପ୍ରତିଶ୍ରୁତି ଦେଇଥିଲେ ଯେ ଚାଷୀଙ୍କ ଠାରୁ ଶତ ପ୍ରତିଶତ ଧାନ କିଣାଯିବ, ଯାହା ସମୟ ଅବଧି ଶେଷ ହୋଇଯିବା କାରଣରୁ ସମ୍ଭବ ହୋଇନାହିଁ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୦-୨୧ ଖରିଫ୍‌ରେ ୬୨ଲକ୍ଷ ୯୩ ହଜାର ୭୫୨ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଗତବର୍ଷ ତୁଳନାରେ ୯ଲକ୍ଷ ୬୨ ହଜାର ମେଟ୍ରିକ୍ ଟନ୍ ଧାନ ଅଧିକ। ଗତବର୍ଷ ଖରିଫ୍‌ରେ ୫୩ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏବର୍ଷ ପାଖାପାଖି ୧୪.୭ ଲକ୍ଷ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଥିଲେ। ହେଲେ ୨ଲକ୍ଷ ୮୦ ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ଅଥଚ ଖାଦ୍ୟ ଯୋଗାଣ ବିଭାଗ ତଥ୍ୟ କହୁଛି ଯେ ଗତବର୍ଷ ତୁଳନାରେ ପ୍ରାୟ ୨ଲକ୍ଷ ୩୫ ହଜାର ୯୨୬ ଜଣ ଅଧିକ ଚାଷୀ ଧାନ ବିକ୍ରି କରିଛନ୍ତି। ଗତବର୍ଷ ୯ଲକ୍ଷ ୫୬ ହଜାର ୬୮୬ ଜଣ ଧାନ ବିକ୍ରି କରିଥିଲେ। ଏହି ସଂଖ୍ୟା ଏଥର ବଢ଼ି ୧୧ଲକ୍ଷ ୯୨ ହଜାର ଛୁଇଁଛି। ସରକାର ଯେତିକି ଧାନ କିଣିଛନ୍ତି, ତାର ସଂଗୃହୀତ ମୂଲ୍ୟ ୧୧ହଜାର ୭୫୬ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

ଚଳିତବର୍ଷ ବରଗଡ଼ ଜିଲ୍ଲାରେ ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ଧାନ ଉଠାଣ ହୋଇଥିଲା। ସେହିପରି ବଲାଙ୍ଗୀରରେ ୨୨ ପ୍ରତିଶତ, ସମ୍ବଲପୁରରେ ୧୫ ପ୍ରତିଶତ, କୋରାପୁଟରେ ୪୦ ପ୍ରତିଶତ, କଳାହାଣ୍ଡିରେ ୧୪ ପ୍ରତିଶତ, ନବରଙ୍ଗପୁରରେ ୨୮ ପ୍ରତିଶତ ଏବଂ ନୂଆପଡ଼ାରେ ୨୭ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ୨୦ ପ୍ରତିଶତ, ପୁରୀ, କେନ୍ଦୁଝରରେ ୨୬ ପ୍ରତିଶତ ଲେଖାଏଁ, ଭଦ୍ରକରେ ୩୬ ପ୍ରତିଶତ, କଟକରେ ୨୦ ପ୍ରତିଶତ, ଗଜପତିରେ ୩୫ ପ୍ରତିଶତ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଓ ମୟୂରଭଂଜରେ ୩୩ ପ୍ରତିଶତ ଅଧିକ ଧାନ ସଂଗ୍ରହ ହେଇଛି।

ଚଳିତବର୍ଷ ଖରିଫ୍‌ରେ ଅଧିକ ୪୬ଟି ସୋସାଇଟିରେ ଧାନ ସଂଗ୍ରହ କରାଯାଇଥିଲା। ସେହପରି ଗତବର୍ଷ ୩୫୪୩ଟି ମଣ୍ଡି ଖୋଲିଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୮୪୦କୁ ବୃଦ୍ଧି ପାଇଥିଲା।

ଉଲ୍ଲେଖଥାଉକି, ଧାନ କିଣା ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଥିଲେ ଓ ରାଜନୈତିକ ବୟାନବାଜି ବି ବେଶ୍ ଜୋର ଧରିଥିଲା। ବିଧାନସଭାରେ ଧାନ କିଣା ତାତି ପରିଲକ୍ଷିତ ହୋଇଥିଲା ଓ ଦିନ ଦିନ ଧରି ଗୃହକୁ ଅଚଳ କରିଦେଇଥିଲେ ବିଧାୟକ।

ସମ୍ବନ୍ଧିତ ଖବର