ଭୁବନେଶ୍ବର: ଚଳିତ ବର୍ଷର ଖରିଫ ଫସଲ ପାଇଁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ଗତ ଖରିଫରେ ସମବାୟ ସଂସ୍ଥା ଦ୍ବାରା ରାଜ୍ୟର ୧୮ ଲକ୍ଷ ୬୧ ହଜାର ୨୦୬ ଚାଷୀଙ୍କୁ ସର୍ବାଧିକ ୮୬୮୬ କୋଟି ୪୦ ଲକ୍ଷ ଟଙ୍କାର ଫସଲ ଋଣ ଯୋଗାଇ ଦିଆଯାଇଥିଲା। ରବିରେ ସମବାୟ ସଂସ୍ଥା ପକ୍ଷରୁ ରେକର୍ଡ ୭୩୬୨ କୋଟି ୪୭ ଲକ୍ଷ ଟଙ୍କାର ଫସଲ ଋଣ ଦିଆଯାଇଥିଲା। ରାଜ୍ୟର ସମୁଦାୟ ଫସଲ ଋଣର ୬୨ ପ୍ରତିଶତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଖରିଫ ଚାଷ ପାଇଁ ଚାଷୀମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ ସମୟରେ ପାଇପାରିବେ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦେଶ ଦେଇଛନ୍ତି। ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର, ଭାଗଚାଷୀମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀମାଧ୍ୟମରେ ଫସଲ ଋଣ ଯୋଗାଇବା ପାଇଁ କୁହାଯାଇଛି।
ଏଥିସହିତ କୃଷି, ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ସ୍ବୟଂସହାୟକ ଗୋଷ୍ଠୀ, ମହିଳା ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି। ଡାଲିଜାତୀୟ ଫସଲ, ତୈଳବୀଜ, ଆଳୁ, ଅନ୍ୟ ଅର୍ଥକରୀ ଫସଲ ଚାଷ ପାଇଁ ଫସଲ ଋଣ ଯୋଗାଇବା ପାଇଁ ମନ୍ତ୍ରୀ କହିଛନ୍ତି। ଉଦ୍ୟାନ କୃଷି, ବାଣିଜ୍ୟିକ ଫସଲ ଚାଷ ନିମନ୍ତେ ଫସଲ ଋଣ ଯୋଗାଇ ଦେବାକୁ ପ୍ରାଥମିକତା ପାଇଁ କୁହାଯାଇଛି। କୃଷି ଋଣ ବାଦ ପଡ଼ିଥିବା ଚାଷୀଙ୍କ ମଧ୍ୟରୁ ଅଧିକରୁ ଅଧିକ ଚାଷୀଙ୍କୁ ସମବାୟ ଋଣ ପରିସରଭୁକ୍ତ କରି ସେମାନଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ଦେବା ପାଇଁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଡିଆରସିଏସ, ଜିଲ୍ଲା କୃଷି ଅଧିକାରୀଙ୍କୁ କୁହାଯାଇଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ପରିଶୋଧ କରୁଥିବା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣର ସୁଧ ନାହିଁ। ୫୦ ହଜାରରୁ ୩ ଲକ୍ଷ କୃଷି ଋଣର ସୁଧ ୨ ପ୍ରତିଶତ ରହିଛି। ଚାଷୀମାନଙ୍କୁ ଉନ୍ନତମାନର ବିହନ, ସାର, କୀଟନାଶକ ଦେବା ପାଇଁ ନିର୍ଦେଶ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/farming.jpg)