ଖରିଫ କାର୍ଯ୍ୟକ୍ରମ-୨୦୨୦ ବୈଠକ : ଖରିଫ୍‌ରେ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ବର : ଚଳିତ ଖରିଫରେ ଓଡ଼ିଶାରେ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଖରିଫ ଋତୁରେ ମୋଟ୍‌ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଥାଏ। ସେଥି ମଧ୍ୟରୁ ମୁଖ୍ୟ ଫସଲ ଧାନ ୩୬.୫୦ ଲକ୍ଷ ହେକ୍ଟରରେ ଚାଷ କରାଯିବା ପାଇଁ ଯୋଜନା ରହିଛି। ଅନ୍ୟ ମୁଖ୍ୟ ଫସଲ ହିସାବରେ ମୁଗ, ବିରି ଓ ହରଡ଼ ଆଦି ଡାଲିଜାତୀୟ ଫସଲ ୮ ଲକ୍ଷ ହେକ୍ଟରରେ ଚାଷ କରାଯିବ। ରାଶି, ଚିନାବାଦାମ ପରି ତୈଳବୀଜ ଫସଲ ୩.୮୨ ଲକ୍ଷ ‌େହକ୍ଟରରେ ଚାଷ କରାଯିବ। ଏହା ବାଦ୍ ୨.୭୦ ଲକ୍ଷ ହେକ୍ଟର ଜମିରେ ମକା ଚାଷ, ୧.୮୦ ଲକ୍ଷ ହେକ୍ଟର ଜମିରେ କପା ଚାଷ ଓ ୫.୬୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପନିପରିବା ଚାଷ କରାଯିବ।

ଚଳିତ ୨୦୨୦ର ରାଜ୍ୟରେ ଖରିଫ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଆଜି ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ‌‌ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ରାଜ୍ୟର ପ୍ରାୟ ୭୦ ଭାଗ ଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୃଷି ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ଅର୍ଥନୀତିର ମୂଳ ଆଧାର ହେଉଛି କୃଷି। କୋଭିଡ୍‌-୧୯ ପରି ଏକ ଅସ୍ବାଭାବିକ ପରିସ୍ଥିତିରେ କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପଡ଼ିବ। ରାଜ୍ୟ ତଥା ଦେଶରେ ଲକ୍‌ଡାଉନ୍ ପରିସ୍ଥିତିରେ କୃଷି କ୍ଷେତ୍ରକୁ କ୍ରିୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସମ୍ପ୍ରସାରଣ ଓ ଠିକ୍ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ବ ଦେଇ ଖରିଫ୍‌ ଚାଷ କରିବାକୁ ମନ୍ତ୍ରୀ କହିଥିଲେ। ଚାଷୀମାନଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ୍‌ ମିଡିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ୧୦୦ରୁ ୨୦୦ କୃଷକଙ୍କୁ ନେଇ ହ୍ବାଟ୍‌ସ୍‌ଆପ୍ ଗ୍ରୁପ୍‌ ଗଠନ କରାଯାଇଛି। କୃଷି ସମ୍ବନ୍ଧୀୟ ସୂଚନା, ବିଭାଗୀୟ ବାର୍ତ୍ତା ଓ ପରାମର୍ଶ ତଥା ଭିଡିଓ କ୍ଲିପ୍ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଉଛି ବୋଲି ଶ୍ରୀ ସାହୁ କହିଥିଲେ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମ‌ା ଯୋଜନା ଉଭୟ ଋଣୀ ଓ ଅଣଋଣୀ କୃଷକମାନଙ୍କ ପାଇଁ ଇଚ୍ଛାଧୀନ କରାଯାଇଛି। ଚଳିତ ଖରିଫ ଋତୁରେ ୧୦ ଲକ୍ଷ ଅଣଋଣୀ କୃଷକଙ୍କ ସମେତ ସମୁଦାୟ ୨୫ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବା ସହିତ ଫସଲ ଆୟତନର ୪୦ ପ୍ରତିଶତ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ବର୍ଷ ଖରିଫ ଋତୁରେ ୭୩୩୦.୫୬ କୋଟି ଟଙ୍କାର ଫସଲ ଋଣ ୧୭ ଲକ୍ଷ ୯୧ ଜଣ ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା ବେଳେ ଚଳିତ ୨୦୨୦ ଖରିଫ ଋତୁ‌େର ୭୫୦୦ କୋଟି ଟଙ୍କାର ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ‘ଖରିଫ କାର୍ଯ୍ୟକ୍ରମ-୨୦୨୦’ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ବୈଠକରେ କୃଷି ଉତ୍ପାଦନ କମିସନର୍‌ ସୁ‌େରଶ ଚନ୍ଦ୍ର ମହାପାତ୍ର ଫସଲ ପର୍ଯ୍ୟାୟ ପରିବର୍ତ୍ତନରେ ଅର୍ଥକାରୀ ଓ ଉଦ୍ୟାନଭିତ୍ତିକ ଫସଲକୁ ଗୁରୁତ୍ବ ଦେବା ସହ ଜୈବିକ ଓ ସମନ୍ବିତ କୃଷି ପ୍ରଣାଳୀକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିବା ସହ ସେଚ ଜଳର ଠିକ୍ ଓ ଉପଯୁକ୍ତ ବ୍ୟବହାର ପାଇଁ ଅଣୁ ଜଳସେଚନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଫସଲରେ କୀଟ, ରୋଗପୋକ ପରିଚାଳନା ପାଇଁ ଇ-ସର୍ବେକ୍ଷଣ ଆଧାରିତ ସମନ୍ବିତ କୀଟ ରୋଗପୋକ ପରିଚାଳନାକୁ ଗୁରୁତ୍ବ ଦିଆଯାଇଛି ବୋଲି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଛନ୍ତି।

ବୈଠକରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ସମବାୟ ବିଭାଗର ସଚିବ ବୀର ବିକ୍ରମ ଯାଦବ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ, କୃଷି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର