ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା‌ରେ ମହିଳାମାନଙ୍କ ଭାଗିଦାରୀ ପାଇଁ ମହିଳା ଏସ୍‌ଏଚ୍‌ଜି ମାନଙ୍କୁ ପ୍ରଥମଥର ପାଇଁ ଧାନମଣ୍ଡିରୁ ଧାନ କ୍ରୟ ପାଇଁ ମିଶନ ଶକ୍ତି ପଦକ୍ଷେପ ନେଇଥିଲା। ଏହି ଏସ୍‌ଏଚ୍‌ଜିମାନେ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡିମାନଙ୍କରେ ନିୟୋଜିତ ଶ୍ରମିକମାନେ ପ୍ରାପ୍ୟ ପାଇନଥିବାରୁ କ୍ଷୋଭପ୍ରକାଶ କରିଛନ୍ତି। ପେକ୍ସମାନଙ୍କ ପକ୍ଷରୁ ପ୍ରାପ୍ୟ ପ୍ରଦାନ କରାଯାଇଥିଲେ ମଧ୍ୟ ଗତ ୩ ମାସ ହେଲା ଏସ୍‌ଏଚ୍‌ଜିମାନଙ୍କ ପକ୍ଷରୁ ଶ୍ରମିକମାନଙ୍କୁ ପ୍ରାପ୍ୟ ଦିଆଯାଇନଥିବା ଜଣାପଡ଼ିଛି।

Advertisment

ପ୍ରାପ୍ତ ସୂଚନାନୁସାରେ ଜୁନାଗଡ଼ ବ୍ଲକ୍‌ରେ ଗତ ୩ ମାସ ତଳେ ଆର୍‌ଏମ୍‌ସି ଅଧୀନରେ ଥିବା ପ୍ରାୟ ୩୫ଟି ମଣ୍ଡିରୁ ଗତ ଖରିଫ ଋତୁରେ ପେକ୍ସ ଓ ଏସ୍‌ଏଚ୍‌ଜିମାନେ ଧାନ କିଣିଥିଲେ। ସେହିପରି ମଣ୍ଡିରୁ ପେକ୍ସ ଓ ଏସ୍‌ଏଚ୍‌ଜିଙ୍କ ଜରିଆରେ ମିଲର୍ସମାନେ ଧାନ କିଣିଥିଲେ। ଧାନ କିଣା ପ୍ରକ୍ରିୟା ଶେଷ ହୋଇ ୩ ମାସ ବିତି ଗଲାଣି ଅଥଚ ଆଜି ପର୍ଯ୍ୟନ୍ତ ଏଠାରେ ନିୟୋଜିତ ଶ୍ରମିକମାନେ ତାଙ୍କ ପାରିଶ୍ରମିକ ପାଇନାହାନ୍ତି। ଅନ୍ୟପକ୍ଷରେ ପେକ୍ସ ପକ୍ଷରୁ ଶ୍ରମିକମାନଙ୍କ ଟଙ୍କା ଦିଆଯାଇଥିବା ବେଳେ ଏସ୍‌ଏଚ୍‌ଜିମାନେ ଶ୍ରମିକମାନଙ୍କ ପ୍ରାପ୍ୟ ଦେଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକମାନେ ବାରମ୍ବାର ବ୍ଲକ୍‌ ପ୍ରଶାସନଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦ୍ବାରସ୍ଥ ହେଲେ ମଧ୍ୟ ପ୍ରାପ୍ୟ ମିଳିନାହିଁ।

ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ବଢ଼ି ଚାଲିଥିବା ବେଳେ କଷ୍ଟ ଉପାର୍ଜିତ ମଜୁରି ପାଇଁ ଶ୍ରମିକମାନଙ୍କୁ ନାକେଦମ ହେବାକୁ ପଡ଼ୁଛି। ଜିଲ୍ଲା ପ୍ରଶାସନ ଏ ନେଇ ପଦକ୍ଷେପ ନନେଲେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ସୁରେନ୍ଦ୍ର ମୋହନ କର ଚେତାବନୀ ଦେଇଛନ୍ତି।