ବ୍ରହ୍ମପୁର: ପାଣି ଅଭାବରୁ ଗଞ୍ଜାମ ଜିଲ୍ଲାର ଖରିଫ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ଷା ନଥିବାରୁ ଚାଷ ପାଇଁ ଆବଶ୍ୟକ ପାଣି ମିଳୁ ନାହିଁ। ଚାଷୀ ଚାତକ ଭଳି ଆକାଶକୁ ଚାହିଁ ରହିଛି। ଗତ ୧୭ ଓ ୧୮ତାରିଖରେ ଜିଲ୍ଲାରେ କିଛିଟା ବର୍ଷା ହୋଇଥିଲା। ଏହି ଦୁଇଦିନ ପରେ ପୁଣିଥରେ ପାଗ ଶୁଖିଲା। ରୁଆ ହୋଇଥିବା ଧାନତଳି ଏବେ ବଢ଼ିବାର ଆବଶ୍ୟକ ଥିବା ବେଳେ ପାଣି ଅଭାବରୁ ଫସଲ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ରୁଆ ସରିଥିବା କୃଷି ବିଭାଗ ତରଫରୁ ଆକଳନ କରାଯାଇଛି। ବିଗତ ବର୍ଷ‌ରେ ଏହି ସମୟ ବେଳକୁ ଅଧିକାଂଶ ବ୍ଲକ୍‌ରେ ରୁଆ ସରିବାକୁ ବସିଥାଏ। କିନ୍ତୁ ଏ ବର୍ଷ ପାଣି ଅଭାବରୁ ବିଭିନ୍ନ ବ୍ଲକ୍‌ରେ ୫୦ ପ୍ରତିଶତ ମଧ୍ୟ ରୁଆ ହୋଇ ନଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ପାଣି ଅଭାବ ଯୋଗୁଁ ଚଳିତ ବର୍ଷ ଭଲ ଧାନ ଅମଳ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।

Advertisment

ଶିଳ୍ପ ବିହୀନ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଚାଷ ହେଲା ଧାନ। ଧାନ ଚାଷ କରି ବହୁ ଚାଷୀ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ଏବେ ଧାନଚାଷ ନଷ୍ଟ ହେବା ଭଳି ପରିସ୍ଥିତି ଦେଖା ଦେଇଥିବାରୁ ଚାଷୀ ମହଲରେ ଭାଲେଣି ପଡ଼ିଛି। ବର୍ଷା ନଥିବାରୁ ଜିଲ୍ଲାର ଜଳଭଣ୍ଡାରରେ ପାଣି କମିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ହେଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ନଦୀଗୁଡ଼ିକରେ ସେଭଳି ପାଣିର ସ୍ରୋତ ଦେଖିବାକୁ ମିଳୁ ନାହିଁ। ଏହା ଏବେ ଚିନ୍ତାର କାରଣ ହୋଇଛି। ଗତ ଜୁନ୍‌ ଓ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଥିଲା। ଜୁନ୍‌ ମାସରେ ଜିଲ୍ଲାରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। ଏଥର ମାତ୍ର ୭୯.୫୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ଜୁଲାଇ ମାସରେ ହାରାହାରି ୨୨୦.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଗତ ଜୁଲାଇ ମାସରେ ୧୯୧.୩୩ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଅଗଷ୍ଟ ମାସରେ ହାରାହାରି ୨୪୬.୮ ମିମି ସ୍ବାଭାବିକ ବର୍ଷା ହୋଇଥାଏ। କିନ୍ତୁ ଆଜି ସୁଦ୍ଧା ଜିଲ୍ଲାରେ ହରାହାରି ୧୦୪.୫୧ ମିମି ବର୍ଷା ରେକର୍ଡ଼ ‌କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ଠାରୁ ୫୦ ପ୍ରତିଶତରୁ କମ୍‌।

ଲଗାତାର ୩ମାସ ଧରି ନିଅଣ୍ଟିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ସେପଟେ ଜଙ୍ଗଲ ନଷ୍ଟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଦେଖା ଦେବା ସହିତ ବର୍ଷାର ପରିମାଣ କମୁ ଥିବା ପରିବେଶବିତ ମତବ୍ୟକ୍ତ କରିଛନ୍ତି। ଚଳିତ ମାସ ୧୮ତାରିଖରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮.୨୧ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ଅଗଷ୍ଟ ସରିବାକୁ ଆଉ ୧୦ଦିନ ବାକି ରହିଛି। ଏହି ୧୦ଦିନ ମଧ୍ୟରେ ଯଦି ଭଲ ବର୍ଷା ନହେବ, ତେବେ ଜିଲ୍ଲାର ଖରିଫ୍‌ ଚାଷ ନଷ୍ଟ ହୋଇଯିବ ବୋଲି ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲାରେ ଦିନକୁ ଭୂତଳ ଜଳସ୍ତର କମୁଥିବା ଯୋଗୁଁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ ଠିକ୍‌ ଭାବେ କାମ କରୁ ନାହିଁ। ବର୍ଷା ନଥିବାରୁ ଜିଲ୍ଲାରେ ଧାନ ସହିତ ଅନ୍ୟାନ୍ୟ ଫସଲ ମଧ୍ୟ ପ୍ରଭାବିତ ହୋଇଛି।