ଭୁବନେଶ୍ବର : ୟୁନିଟ-୫ରେ ପାୱାର ହାଉସ୍ ଛକ ନିକଟରେ ନିର୍ମାଣ ହୋଇଥିବା ଖାରବେଳ ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଧୀନତା ଦିବସ ଅବସରରେ ଉଦ୍‌ଘାଟନ କରିଛନ୍ତି। ୧୨୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ୯ତାଲା ବିଶିଷ୍ଟ କୋଠା ଏବେ ଦ୍ବିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ କରିବ। ଏଠାରେ ରାଜ୍ୟ ସରକାରଙ୍କର ୧୧ଟି ପ୍ରମୁଖ ବିଭାଗ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୂର୍ତ୍ତ ସଚିବ କ୍ରିଷନ କୁମାର ପ୍ରମୁଖ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଏହି ଖାରବେଳ ଭବନରେ ୮ଟି ମହଲାରେ ଏବେ ବିଭିନ୍ନ ବିଭାଗ କାର୍ଯ୍ୟ କରିବ। ପ୍ରଥମ ମହଲାର ପୂର୍ବ ପାର୍ଶ୍ବରେ ରିସେପ୍ସନ୍ ଏବଂ ପ୍ରତୀକ୍ଷା ଗୃହ, ସାମ୍ବାଦିକ ସମ୍ମିଳନୀ ପାଇଁ ସ୍ବତନ୍ତ୍ର କୋଠରୀ, ଆଲୋଚନା କୋଠରୀ, ପଶ୍ଚିମ ପାର୍ଶ୍ବରେ କ୍ୟାଣ୍ଟିନ ଓ କାଫେ ରହିବ। ଦ୍ବିତୀୟ ମହଲାର ପୂର୍ବ ପାର୍ଶ୍ବରେ ହସ୍ତତନ୍ତ ଓ ହସ୍ତକଳା ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ରହିବ। ତୃତୀୟ ମହଲାରେ ନଗର ଉନ୍ନୟନ ବିଭାଗ, ଚତୁର୍ଥ ମହଲାରେ ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚମ ମହଲାର ପୂର୍ବ ପାର୍ଶ୍ବରେ ଶ୍ରମ ଓ ଇଏସ୍‌ଆ‌ଇ ବିଭାଗ, ପଶ୍ଚିମ ପାର୍ଶ୍ବରେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ, ସପ୍ତମ ମହଲାରେ ପୂର୍ବ ପାର୍ଶ୍ବରେ ଶିଳ୍ପ ବିଭାଗ, ପଶ୍ଚିମ ପାର୍ଶ୍ବରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ରହିବ। ଅଷ୍ଟମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଲାଉଞ୍ଜ୍‌ , ସମ୍ମିଳନୀ କକ୍ଷ, ଅଫିସର୍ସ ଲାଉଞ୍ଜ୍‌, ପ୍ୟାଣ୍ଟ୍ରି ରହିବ।