ଖାରବେଳ ଭବନକୁ ନେଇ ଅଡ଼ୁଆ, ନିର୍ମାଣ ଖର୍ଚ୍ଚର ହିସାବ ଦେଉନି ପୂର୍ତ୍ତବିଭାଗ

ତୁରନ୍ତ ୟୁସି ଦାଖଲ କରିବାକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର : ରାଜଧାନୀର ଦୁଇଟି ଚର୍ଚ୍ଚିତ କୋଠାକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ୧୫୯କୋଟି ଟଙ୍କାରେ ବ୍ୟୟରେ ନିର୍ମାଣ ହୋଇଥିବା ଖାରବେଳ ଭବନ ଏବଂ ୪୬କୋଟି ୫୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲୋକସେବା ଭବନ କନଭେନସନ୍ ସେଣ୍ଟରକୁ ନେଇ ପୂର୍ତ୍ତ ବିଭାଗ ଅକଳରେ ପଡ଼ିଛି। ଏହି ଦୁଇଟି କୋଠାର ନିର୍ମାଣ ନେଇ ଯେଉଁ ଅର୍ଥ ସାଧାରଣ ପ୍ରଶାସନ ବିଭାଗ ଦେଇଥିଲା ତାର ୟୁସି ଏବେ ପୂର୍ତ୍ତ ବିଭାଗ ଦେଉନି। ଦୁଇଟି କୋଠାର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗ ୟୁସି ମାଗିଛି। ହେଲେ ପୂର୍ତ୍ତ ବିଭାଗର ଅଫିସରମାନେ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି।

ଖାରବେଳ ଭବନ ନିର୍ମାଣ ପାଇଁ ଏଲ୍‌ଆଣ୍ଡ୍‌ଟିକୁ ପ୍ରାୟ ୧୨୪କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଏହାର ଉଦ୍‌ଘାଟନ ସରିବା ବେଳକୁ ନିର୍ମାଣ ବାବଦକୁ ୧୫୯କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପୂର୍ତ୍ତ ବିଭାଗ ହିସାବ ଦେଇଥିଲା। ଏପରିକି ବାକି ୩୫କୋଟି ପାଇଁ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିବାକୁ ପଡ଼ିଥିଲା। ଏହି ୩୫କୋଟି ଟଙ୍କା କାହିଁକି ଅଧିକ ଖର୍ଚ୍ଚ ହେଲା ତା’ର ହିସାବ ଦେବାକୁ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ମାସ ମାସ ସମୟ ଲାଗି ଯାଇଥିଲା। ହେଲେ ଏଥିରେ ବି ସାଧାରଣ ପ୍ରଶାସନ ବିଭାଗ ସନ୍ତୋଷଜନକ ଉତ୍ତର ପାଇନଥିଲା। ଏହାପରେ ବି ବାରମ୍ବାର ଖର୍ଚ୍ଚ ବଢ଼ି ଚାଲିଛି।

worksodisha.blogspot.com

ତେଣୁ ଯେଉଁ ୧୫୯କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ସେଥିରେ କ’ଣ କ’ଣ ନିର୍ମାଣ ହୋଇଛି, କେଉଁ ବାବଦକୁ କେତେ ଅର୍ଥ ଖର୍ଚ୍ଚ ହୋଇଛି ତା’ର ୟୁସି ମଗାଯାଇଥିଲେ ବି ପୂର୍ତ୍ତ ବିଭାଗ ଦେଉନି। ଏନେଇ ସନ୍ଦେହ ବଢ଼ିବାରୁ ତୁରନ୍ତ ୟୁସି ‌ଦାଖଲ କରିବାକୁ ମୁଖ୍ୟଯନ୍ତ୍ରୀ(କୋଠା)ଙ୍କୁ କୁହାଯାଇଛି।
ସେହିପରି ‌େଲାକସେବା ଭବନ ପରିସରରେ ଥିବା କନଭେନସନ୍ ସେଣ୍ଟର ପାଇଁ ୨୯କୋଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ଏହାର ନିର୍ମାଣ ଶେଷ ହେବାବେଳକୁ ନିର୍ମାଣ ଖର୍ଚ୍ଚ ୪୬କୋଟି ୫୯ଲକ୍ଷ ୩୪ହଜାର ୬୦୦ଟଙ୍କାରେ ପହଞ୍ଚିଥିଲା। ଏତେ ଟଙ୍କା କେଉଁ ବାବଦକୁ ଖର୍ଚ୍ଚ ହେଲା ତା’ର ୟୁସି ମଗାଯାଇଥିଲେ ବି ପୂର୍ତ୍ତ ବିଭାଗ ଦେଉନି।

ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଖାରବେଳ ଭବନ ଓ କନଭେନସନ୍ ସେଣ୍ଟରକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଉଥିଲେ ହେଁ ପୂର୍ତ୍ତ ବିଭାଗ କରୁନି। ଫଳରେ ସରକାରଙ୍କ ବିନା ଅନୁମୋଦନରେ ଏଠାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଟଙ୍କା ଖର୍ଚ୍ଚ କରି ସାରିବା ପରେ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏତେ ଟଙ୍କା ଖର୍ଚ୍ଚ ହେଲା କହି ପ୍ରଶାସନିକ ଅନୁମତି ମାଗୁଛନ୍ତି। ଯାହା ପରେ ସମସ୍ୟା ହେଉଛି। ଏହି ଦୁଇଟି କୋଠା ସାଧାରଣ ପ୍ରଶାସନ ବିଭାଗ ଅଧୀନକୁ ଆସିଲେ ବିଭାଗର ବିନା ଅନୁମତିରେ କାମ ହୋଇପାରିବନି। ଏପରିକି କାମ ପାଇଁ ଆଗୁଆ ଜଣାଇବାକୁ ପଡ଼ିବ। ଯେଉଁଥିପାଇଁ ପୂର୍ତ୍ତ ବିଭାଗର କିଛି ଅଧିକାରୀ ଏହି ଦୁଇ କୋଠାକୁ ହସ୍ତାନ୍ତର କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏହା ନଜରକୁ ଆସିବା ପରେ ନେଇଥିବା ଅର୍ଥର ତୁରନ୍ତ ୟୁସି ଦାଖଲ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା‌ ହେଲା ପୂର୍ତ୍ତ ବିଭାଗ କିଛି ମାସ ତଳେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ କରିଥିବା ଅଭିଯୋଗରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବାବେଳେ ଏବେ ଖାରବେଳ ଭବନରେ ଚିଠାରେ ୬କୋଟିରୁ ଅଧିକ ଟଙ୍କାର କାମ ହୋଇଛି। ଏବାବଦକୁ ୫୩ଲକ୍ଷ ୭୭ହଜାର ୨୧୬ଟଙ୍କା ଏବେ ଠିକା ସଂସ୍ଥାକୁ ଦେବା ପାଇଁ ପୂର୍ତ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ପ୍ରଶାସନିକ ଅନୁମତି ମାଗିଛି। ଖାରବେଳ ଭବନରେ ଏବେ ‌ଯେଉଁ କାମ ହୋଇଛି ‌ତାହା କ’ଣ ଟେଣ୍ତରରେ ହୋଇପାରିନଥାନ୍ତା ନା ଖାରବେଳ ଭବନ ପାଇଁ ଅଲଗା ନିୟମ ଏବଂ ବାକି କୋଠା ପାଇଁ ଅଲଗା ନିୟମ ବୋଲି ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରିରେ ଖାରବେଳ ଭବନର ୭ମ ମହଲାରେ ଟାଇଲ୍‌ ପକାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପୂର୍ତ୍ତ ବିଭାଗ ୬କୋଟି ୧୪ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରିଥିଲା। ଏଥିପାଇଁ ଯୁକ୍ତି ବାଢ଼ିଥିଲା ଯେ ଖାର‌େବଳ ଭବନର ପରିଚାଳନା ଓ ରକ୍ଷଣାବେକ୍ଷଣ ସେବା ଏବଂ ବାର୍ଷିକ ମରାମତି ଖର୍ଚ୍ଚ ପାଇଁ ୬କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ୧ଅଗଷ୍ଟ ୨୦୨୦ରୁ ୩୧ମାର୍ଚ୍ଚ ୨୦୨୧ ମଧ୍ୟରେ ୬କୋଟି ଖର୍ଚ୍ଚ କରିବାକୁ ଦିଆଯାଇଥିଲା। ଏଥିରୁ ପ୍ରତି ମାସରେ ୭ଲକ୍ଷ ୨୧ହଜାର ୬୬୭ଟଙ୍କା ହିସାବରେ ୮ମାସରେ ୫୭ଲକ୍ଷ ୭୩ହଜାର ୩୩୬ଟଙ୍କା ଖର୍ଚ୍ଚ ହୋଇଛି। ଆହୁରି ୫କୋଟି ୪୨ଲକ୍ଷ ୨୭ହଜାର ଟଙ୍କା ବଳିଛି। ତେଣୁ ଏହି ଟଙ୍କାକୁ ଖାରବେଳ ଭବନର ପୁନରୁଦ୍ଧାର କାମ ପାଇଁ ଖର୍ଚ୍ଚ କରାଯାଉ। ଏଥିପାଇଁ ପ୍ରା‌ଶାସନିକ ଅନୁମତି ଦେଲେ ପୁନରୁଦ୍ଧାର କାମ ହେବ। ଏହାପରେ ବାକି ଟଙ୍କା ପୂର୍ତ୍ତ ବିଭାଗର ବିଲଡିଂ ହେଡ୍‌ରୁ ଦିଆଯିବ।

ଏବେ ସେତିକି ଟଙ୍କା‌ ଦେବା ପରେ ପୁଣି ୭ମ ମହଲା ପାଇଁ ୨୯ଲକ୍ଷ ୫୦ହଜାର ୨୫୮ଟଙ୍କା ସାଧାରଣ ପ୍ରଶାସନ ବିଭାଗକୁ ମଗାଯାଇଛି। କାମର ଆବଶ୍ୟକତା ନଥା ପୂର୍ତ୍ତ ବିଭାଗର ଅଧିକାରୀମାନେ କାମ କରାଇଲେ, ମନଇଚ୍ଛା କାମ କରିବା ପରେ ପୁଣି ଏବେ ଟଙ୍କା ମାଗିଛନ୍ତି। ରାଜଧାନୀରେ ବହୁ ଅଞ୍ଚଳରେ ରାସ୍ତା ଅବସ୍ଥା ‌େଶାଚନୀୟ ହୋଇ ପଡ଼ିଥିଲେ ହେଁ ଏହାର ମରାମତି ନକରି କେବଳ କିଛି ସରକାରୀ କୋଠାରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମରାମତି ନାଁରେ ବହୁ ନୂଆ କାମ କରାଯାଉଛି, ହେଲେ ଏଠାରେ ବିନା ଟେଣ୍ଡରରେ ‌କାମ ହେଉଥିଲେ ହେଁ ଉପରିସ୍ଥ ଅଧିକାରୀମାନେ କାହିଁକି ନିରବତା ଅବଲମ୍ବନ କରୁଛନ୍ତି ସେନେଇପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର